ଭୁବନେଶ୍ୱର: ରାଜ୍ୟ ସରକାର ହକିକୁ ଅଧିକ ଗୁରୁତ୍ୱ ଦେବାକୁ ସହିପାରିନାହାନ୍ତି ଧାବିକା ଦୂତି ଚାନ୍ଦ । ସେ ଏକ ଫେସବୁକ ପୋଷ୍ଟ ଜରିଆରେ ଏ ନେଇ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ସରକାର ଖେଳ ନାଁରେ ରାଜନୀତି କରୁଛନ୍ତି । କେବଳ ଗୋଟିଏ ଖେଳକୁ ଗୁରୁତ୍ୱ ଦେଉଛନ୍ତି ବାକି ଖେଳ ପ୍ରତି ସରକାରଙ୍କ ନିଘା ନାହିଁ ବୋଲି ଲେଖି ପୋଷ୍ଟ କରିଥିଲେ । ହେଲେ ନିଜେ ପୋଷ୍ଟ କରିଥିବା ନିଜର ଏହି ମନ୍ତବ୍ୟକୁ କିନ୍ତୁ ବିବାଦ ଘେରକୁ ଟାଣି ହୋଇଯାଉଛନ୍ତି ବୋଲି ଭାବିବା ପରେ ଧାବିକା ଦୂତି ଚାନ୍ଦ ବୋଧହୁଏ ଡିଲିଟ୍ କରି ଦେଇଛନ୍ତି । ଏବେ କିନ୍ତୁୁ ଏହାର ଜବାବ ରଖିଛନ୍ତି ଦିଲ୍ଲୀପ ତିର୍କି ।
ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କି ଟ୍ୱିଟ୍ କରି ଲେଖିଛନ୍ତି, ‘ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏହି ଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି। ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ଵ ଦେଇ ଆସୁଛନ୍ତି। ସେ ହକି ହେଉ କିମ୍ବା କୌଣସି ଖେଳ। ଅଲିମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଭୁବନେଶ୍ୱରକୁ (ଓଡ଼ିଶା) କାହିଁକି ସ୍ପୋର୍ଟସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ। କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି । ବୋଧହୁଏ ଅନେକ ଖେଳାଳି ଏହା ଜାଣି ନାହାନ୍ତି। ଏହି ଭଳି ମନ୍ତବ୍ୟ ଅନ୍ୟ ଖେଳାଳିଙ୍କ ପ୍ରତି ଗ୍ରହଣୀୟ ନୁହେଁ ।ନିଜେ ଜଣେ ଖେଳାଳି ହେଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ୍’।
ଅନ୍ୟପଟେ ଓଡିଶା ସରକାର ଉପରେ ବର୍ଷି ପୁଣି ନିଜ ପୋଷ୍ଟକୁ ଡିଲିଟ୍ କରି ଦେଇଥିବା ଧାବିକା ଦୂତୀ ଚାନ୍ଦ ଲେଖିଥିଲେ, “ ଓଡ଼ିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ । କିନ୍ତୁ ଏପଟେ କ୍ରୀଡାବିତମାନେ ଦିନକୁ ଦିନ ହଜିଗଲେଣି । ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି । ଆପଣ ଖାଲି ସେଇ ହକି ଇଣ୍ଡିଆ ଟିମକୁ ଧରି ନାଚୁଥାନ୍ତୁ । ବାକି ଖେଳସବୁ ଚୁଲିକୁ ଯାଉ । ହକି ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି କିନ୍ତୁ ଆଥଲେଟିକ୍ସ ପାଇଁ ଲକିଛି ନାହିଁ । ଏ ହକି ବାଡି କେତେ ଦିନ ଲାଷ୍ଟିଂ କରିବ, ପୁରୁଣା ହେଲେ ଆପେ ଆପେ ଫାଟିଯିବ “।
ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଆର୍ଥିକ ସହାୟତା ଏବଂ ପୁରସ୍କାର ପାଇଥିବା ଏହି ଅନ୍ତର୍ଜାତୀୟ ଖେଳାଳି କାହିଁକି ଟାର୍ଗେଟ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଟୋକିଓ ଅଲିମ୍ପିକ୍ସରେ ନିରାଶ ହେବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବ ଭଳି ଆର୍ଥିକ ସହାୟତା ପାଉ ନାହାନ୍ତି କି ତା ମଧ୍ୟ ଏବେ ପ୍ରଶ୍ନ ଉଠିଛି । ଯଦି ଏହା ସତ ହୋଇଥାଏ ତେଣୁ ଏପରି ଅସନ୍ତୋଷ ପ୍ରକାଶ କକି ଦୂତି ପୋଷ୍ଟ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଗତବର୍ଷ ୨୦୨୧ ଅଗଷ୍ଟରେ ଦୂତି ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇ ୨୦୦ ମିଟର ହିଟ୍ରେ ଦୌଡି ସେ ସପ୍ତମ ସ୍ଥାନରେ ରହିଥିଲେ। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଥିଲେ। ଏହା ପୂର୍ବରୁ ଦୂତି ଚାନ୍ଦ ୧୦୦ ମିଟର ରେସ୍ରେ ମଧ୍ୟ ବିଫଳ ହୋଇଥିଲେ। ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଥିଲେ। ହିଟ୍ସରେ ସେ ସପ୍ତମ ସ୍ଥାନରେ ରହିଥିଲେ।
Comments are closed.