Latest Odisha News

BREAKING NEWS

ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ

ଉତ୍ତରାଖଣ୍ଡ: ଶେଷ ହେବାକୁ ଯାଉଛି ଦୀର୍ଘ ୧୩ ଦିନର ସଂଘର୍ଷ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଜୋରଦାର ଚାଲିଛି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ନୂଆ ଜୀବନ ଆଶାରେ ୪୧ ଶ୍ରମିକ । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇଥିବା ବେଳେ ଆଜି ସୁରକ୍ଷିତ ଭାବରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ଏହାରି ଭିତରେ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନକୁ ଗ୍ରୀନ୍ କରିଡର ଦ୍ୱାରା ଉତ୍ତରକାଶୀ ପଠାଯାଇଛି । ଏହି ସ୍ବତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର । ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆ ଯାଇଥିଲା । ସେଠାରୁ ଏକ ଟ୍ରଲିରେ ଗ୍ୱାଲିୟର ନିଆ ଯାଇଥିଲା । ମେସିନକୁ ନେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା । ଗ୍ରୀନ୍ କରିଡର କରି ଏହାକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କ ଉପସ୍ଥିତିରେ ଏହି ମେସିନକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୩ ଦିନ ହେବ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ବର୍ତ୍ତମାନ ସୁଦ୍ଧା ୪୮ ମିଟର ଭିତରକୁ ଡ୍ରିଲିଂ କରାଯାଇସାରିଥିବାବେଳେ ଆଉ ମାତ୍ର ୧୦ ମିଟର ଡ୍ରିଲିଂ କାର୍ଯ୍ୟ ବାକି ରହିଛି। ଡ୍ରିଲିଂ କାମ ଶେଷ ହେବା କ୍ଷଣି ଶ୍ରମିକମାନଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଲର୍ଟରେ ଅଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ । ଉଦ୍ଧାର ହେବା ମାତ୍ରେ ତୁରନ୍ତ ଶ୍ରମିକଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଯିବ । ଏନେଇ ସୂଚନା ଦେଇଛନ୍ତି NDRF ଡିଜି ।

Comments are closed.