ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ଶିକ୍ଷା ମଣିଷ ଜୀବନର ଏକ ସ୍ୱତନ୍ତ୍ର ଅନୁଭବ ଯାହା ମୁକ୍ତି ପ୍ରଦାନ କରେ । ଯିଏ ସାରସ୍ୱତ ଜ୍ଞାନର ବିକାଶ କରେ । ଚାକିରୀ ଜୀବନର ସବୁଠୁ ବଡ ଆଶା – ଏହାକୁ ଅସ୍ୱୀକାର କରାଯାଇନପାରେ । ଟଙ୍କା ହିଁ ମୋହ ସର୍ବସ୍ୱ ଦୁନିଆର ବ୍ରହ୍ମାସ୍ତ୍ର । ଲୋଭରେ ଲୋଭାନ୍ୱିତ ଆଜିର ଯୁବପିଢ଼ି କେବଳ ଦୁଇ ତିନିଟା ଚାକିରୀ ପଛରେ ଆଜି ମରିଚିକା ପରି ଦୃଶ୍ୟମାନ ହୋଇପଡିଛି । ପିଲାଟିଏ ପରିବାରରୁ ହିଁ ପାଠପଢା ଆରମ୍ଭ କରେ । ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରେ । ‘ସା ବିଦ୍ୟା ଯା ବିମୁକ୍ତୟେ’ ର ମନ୍ତ୍ରରେ ମନ୍ତ୍ରିତ ହୁଏ । ଯେଉଁ ଶିକ୍ଷା ମଣିଷର ସକଳ ଦ୍ୱାରକୁ ଉନ୍ମୋଚନ କରିଥାଏ । ସେ ଶିକ୍ଷା କ’ଣ ସତରେ ଆଜି ଦେଖାଯାଉଛି? ଅର୍ଥ ସର୍ବସ୍ୱ ଶିକ୍ଷାଦାନ ଆଜିର ସମାଜରେ ଏକ ଭିନ୍ନ ମୋଡ ନେଇଛି । ବିଦ୍ୟାଳୟର ଶିକ୍ଷା ସମାପ୍ତ ପରେ ପିଲାଟିଏ କଲେଜ/ ମହାବିଦ୍ୟାଳୟରେ ନିଜର ଶିକ୍ଷା ସମାପ୍ତ କରେ । ଆଉ ଏହା ପରେ ଆସିଯାଏ ଏକ ବିରାଟ ପ୍ରଶ୍ନବାଚୀ । ପ୍ରଶ୍ନ ଏଇଟା ଆସେ କି ପିଲା ଏହା ପରେ କ’ଣ କରିବ? ଏଇ ପ୍ରଶ୍ନଟି ସହ ଆମ ବୟସର ସବୁ ପିଲାମାନେ ଭଲ ଭାବରେ ଜଡ଼ିତ ।
କିନ୍ତୁ ଏକବିଂଶ ଶତାବ୍ଦୀରେ ଆଜିର ଦିନରେ ଶିକ୍ଷା ଲାଭ କରିବା ପାଇଁ ବିଭିନ୍ନ ପ୍ରକାର ବିଭାଗ ଖୋଲିଲାଣି । ପିଲାଟିଏ ଯେ କୌଣସି ବିଭାଗରେ ପାଠ ପଢ଼ି ନିଜର ଦକ୍ଷତା ପ୍ରତିପାଦନ କରିପାରୁଛି । ମାଟ୍ରିକ ପାସ୍ କଲାପରେ ଅଭିଭାବକମାନେ ଚିନ୍ତା କରନ୍ତି ପିଲା ଡାକ୍ତର ହେବ ନହେଲେ ଆଇ.ଆଇ.ଟି ଇଞ୍ଜିନିୟର ହେବ । କିନ୍ତୁ ଏସବୁ ଭିତରେ ଗୋଟେ କଥା ନିର୍ଦ୍ବନ୍ଦରେ ନିଦ୍ୱନ୍ଦରେ କୁହାଯାଇପାରେ ଯଦି ଜଣେ ପିଲା ଡାକ୍ତରୀ ଶିକ୍ଷା ପଢିବାକୁ ଅସମର୍ଥ, ଜଣେ ଯଦି ସଙ୍ଗୀତ କି ନାଚ କ୍ଷେତ୍ରରେ ପାରଙ୍ଗମ, ଜଣେ ଯଦି କୃଷି ଶିକ୍ଷା ପାଇଁ ଇଛୁକ ତେବେ ଏଥିପାଇଁ ପ୍ରତିରୋଧ କରାଯିବା କଣ ଠିକ୍? ଅଭିଭାବକଙ୍କ ମତକୁ ସମ୍ମାନ ଦେବା ପାଇଁ ପିଲାଟିର ଅନିଚ୍ଛା ସତ୍ତ୍ୱେ ସେ ନିଜକୁ ଡାକ୍ତର କି ଇଞ୍ଜିନିୟର ପାଇଁ ପ୍ରସ୍ତୁତ କରେ । ହେଲେ ଅଭିଭାବକଙ୍କୁ ଏହା ଜଣା ନଥାଏ ଯେ ପିଲାଟି ଏହା ଗ୍ରହଣ କରିବାକୁ ସମର୍ଥ କି ନୁହେଁ ।
ଆଜି ଓଡ଼ିଶାର ସବୁ ଜାଗାରେ ମାଳ ମାଳ କୋଚିଙ୍ଗ ସେଣ୍ଟର, ରାସ୍ତା କଡେ କଡେ ପ୍ରସାର ପାଇଁ ବଡ ବଡ ହୋର୍ଡ଼ିଙ୍ଗ ବୋର୍ଡ଼, ଖବର କାଗଜରେ ରଙ୍ଗୀନ ବିଜ୍ଞାପନ । ହେଲେ ଯେଉଁ ପିଲା ପଢ଼ନ୍ତି ସେ ହିଁ ଜାଣେ , ସେ ଏଥିପାଇଁ ସମର୍ଥ କି ନୁହେଁ । ଏହା ପରେ ପିଲାଟି ମନରେ ଏହାକୁ ପାଇବା ପାଇଁ ଏକ ଅସମ୍ଭବ ଆଶା ଜନ୍ମନିଏ ଆଉ ତାପରେ ଆରମ୍ଭ ହୋଇଯାଏ କୋଚିଂ ପରେ କୋଚିଂ ବର୍ଷ । ବର୍ଷେ, ଦୁଇବର୍ଷ, ତିନି ବର୍ଷ ଏପରିକି ୫ବର୍ଷ ଯାଏଁ କୋଚିଂ ନେବାରେ ବି ହେଳା କରୁନାହାନ୍ତି ଆଜିର ଯୁବ ପୀଢ଼ି । ଏସବୁ ପ୍ରାୟ ଅନେକ ପିଲାଙ୍କ ଜୀବନର ଏକ ଅଙ୍ଗେନିଭା ଘଟଣା। କହିବା ବାହୁଲ୍ୟ ଯେ କୃଷି ଆମର ମୁଖ୍ୟ ମାନଦଣ୍ଡ । ମୋ ରାଜ୍ୟ ଓଡ଼ିଶା ଉଡ୍ରର ପରିବର୍ଦ୍ଧିତ ସଂସ୍କରଣ, ଆମ ରାଜ୍ୟ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । ତେବେ ଆଜିକାଲି ଯୁବ ସମାଜ ହେଉ କି ଅଭିଭାବକ ସଭିଏଁ କୃଷି ପାଠ୍ୟକ୍ରମ ପ୍ରତି ବିମୁଖ, ସମସ୍ତଙ୍କର ଅନାଦର । କୃଷି ଓ କୃଷକର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ କୃଷିର ବିକାଶ କିପରି ଦେଶର ଅର୍ଥନୀତିର ବିକାଶର ସାହାଯ୍ୟ କରିପାରିବ, ଏଥିପାଇଁ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାରେ କୃଷି ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି ବିଭିନ୍ନ ବିଭାଗମାନ କାର୍ଯ୍ୟରତ । କ୍ଷେତ୍ର ବିଜ୍ଞାନ, ମୃତ୍ତିକା ବିଜ୍ଞାନ, ବିହନ ବିଜ୍ଞାନ, କୀଟତତ୍ତ୍ୱ ବିଭାଗ ପରି ବିଭିନ୍ନ ବିଭାଗରେ ଆଜି ଯୁବସମାଜ ଅଧୟନ କରି ବିଶିଷ୍ଟ ସ୍ଥାନରେ ଅବସ୍ଥାପିତ । କୃଷି ଯେ ଜଣକୁ ବଞ୍ଚିବାର ରାହା ଯୋଗାଏ, ତା ପାଇଁ ଏତେ ଅନାଦର କ’ଣ ପାଇଁ?
କୃଷିବିଜ୍ଞାନ କେନ୍ଦ୍ରରେ ଆଜି କୃଷି ଛାତ୍ରଛାତ୍ରୀ ମାନେ କାର୍ଯ୍ୟରତ । ସେମାନେ କେଉଁ ଗୁଣରେ କମ୍? ନା ସେମାନେ ଚାକିରୀ କରୁନାହାନ୍ତି ନା ସେମାନେ ଅର୍ଥ ଉପାର୍ଜନ କରୁନାହାନ୍ତି? ତେବେ କହିବା କଥା ଆଜିବି ଲୋକଙ୍କ ମନରେ ସେହି ପାରମ୍ପରିକ ଚିନ୍ତାଧାରା ଏବେବି ରହିଛି ଯେ – ପିଲାଟା କୃଷି ପାଠ୍ୟକ୍ରମ ପଢୁଛି, ଚାଷବାସ କରିବ ତ, ଆଉ ବା କଣ କରିବ? କଥାଟା ବାଧିଲେ ବି ଏହା ଅପ୍ରିୟ ସତ । ବହୁତ ଦିନ ପରେ ମୋ କଲମ ବି ବାଧ୍ୟ୍ୟ କଲା ଏହାକୁ ସର୍ବସମ୍ମୁଖରେ ଉନ୍ମୋଚନ କରିବା ପାଇଁ । ଲୋକଙ୍କର ସେହି ଚିନ୍ତାଧାରାରେ ଆଜି ଅଭିଭାବକ ଓ ଯୁବପିଢ଼ି ପ୍ରଭାବିତ । ପରନ୍ତୁ କୃଷି ପାଠ୍ୟକ୍ରମର ବିଭିନ୍ନ ସୁଯୋଗ ସମ୍ପର୍କରେ ଆଜିବି ଅଧିକାଂଶ ଅଜ୍ଞ । ଆଜି କୃଷିକୁ ଆଦରି ଅନେକ ଯୁବଗୋଷ୍ଠୀ ସ୍ୱାବଲମ୍ବୀ । ଗାଁ ଗାଁରେ ଆଜି କୃଷିର ଷ୍ଟାର୍ଟଅପ୍ । ଗାଁ ପୋଖରୀରେ ମଧୁର ଜଳ ମାଛଚାଷ , ଘରେ ଘରେ ପାକଶାଳା ବଗିଚା , ଛାତ ଉପରେ ରୁଫଟପ ଗାର୍ଡ଼େନିଂ ଆଉ ତା ସହ କୃଷି ଆଜି ଯୁବଗୋଷ୍ଠୀକୁ ସ୍ୱାଲମ୍ବୀ ଆଉ ରୋଜଗାରର ବାଟ ଦେଖାଇଛି । ବହାରେ ଦାଦନ ନୁହେଁ ବରଂ ନିଜ ଗାଁ ମାଟିରେ ସୁନା ଫଳାଉଛନ୍ତି ଅନେକ ଲୋକ । ବାସ୍ ଏମାନଙ୍କୁ ଦରକାର ଆଉ ଟିକେ ପ୍ରୋତ୍ସାହନ ଆଉ ସହଯୋଗ । ଏହି ସହଯୋଗ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଅତି ସହଜ ଓ ସରଳ ଉପାୟରେ ଦେଇପାରିବେ ।
୧୯୯୯ର ମହାବାତ୍ୟା ହେଉ , ହୁଡ଼ହୁଡ଼, ତିତଲି , ଫନି ପରି ବାତ୍ୟାର ବିଭୀଷିକା ହେଉ କି ଚକଡ଼ା ପୋକର ବିତ୍ପାତ ହେଉ , ଏସବୁଥିରେ ବେଶ ସୁଦୃଢ଼ ମନୋବଳ ସହ ଚାଷୀ ଏହାକୁ ସାମ୍ନା କରିଛି , ମୁକାବିଲା ବି କରିଛି ଆଉ ଅଣ୍ଟା ସଳଖି ଠିଆ ହେଇଛି । ଯେଉଁ ବାତ୍ୟା ଦିନେ ଚାଷ ଜମିକୁ ବିପର୍ଯ୍ୟସ୍ତ କରିଥିଲା , ପୁଣି ସେ କ୍ଷେତରେ ଫରଫର ହେଇ ଧାନ କେଣ୍ଡା ହସିଛି , ପୁଣି ସୋରିଷର ମହମହ ବାସ୍ନା ସାଙ୍ଗକୁ ହଳଦୀର ଆବରଣରେ ପରିବେଶ ବି ମୁଗ୍ଧ ହୋଇଛି । କିନ୍ତୁ ଚାଷୀ କେବେ ବସିନି । ଚାଷୀ ମନଦୁଃଖ କରିଛି , ଅନୁତାପ କରିଛି କିନ୍ତୁ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇନାହିଁ । ସେ ସୃଷ୍ଟି କରିଛି ଆଦର୍ଶ ଓ ବାସ୍ତବତାର ନୂଆ ଏକ ରୂପରେଖ । ସେ କାଦୁଅ ବିଲରେ ପଶେ କିନ୍ତୁ ଶେଷରେ ସୁବର୍ଣ୍ଣର ମାହୋଲ ବି ରଚନା କରିଦିଏ । ଆଉ ଏଇ କରୋନାର ଭୟାବହତା ଆଉ ଡ଼ର ଭିତରେ ସମସ୍ତେ ଆମେ ଘରେ ସୁରକ୍ଷିତ ରହୁଛନ୍ତି ସତ କିନ୍ତୁ ଚାଷୀର ମନ ସେଇ ଚାଷ ଜମିରେ । ସେ ପରା ତାର ମାନସ ସନ୍ତାନ । ଦିହେଁ ଦୁହିଁକୁ ଛାଡ଼ି କେମିତି ବି ରହିବେ । ବର୍ଷ ବର୍ଷ ଧରି ଏଇ ଅତୁଟ ସମ୍ପର୍କକୁ ଯିଏ ଛିନ୍ନ କରିପାରିନି , ଏ ଭୟାବହତା କଣ ବା କରିବ । ଆଜି ବି ଚାଷୀ ଚାଷ ଜମିରେ ବେଶ ଖୁସିରେ ଚାଷ କରୁଛି । କୃଷି ବିଜ୍ଞାନ ପାଠ୍ୟକ୍ରମ ପଢ଼ି ଚାଷୀକୁଳକୁ ଉପଯୁକ୍ତ ମାର୍ଗଦର୍ଶନ ଦେବାର ସମୟ ଆସିଛି । ଚାଷ ଏକ ଛୋଟ କଥା ନୁହେଁ । ଏହା ମାଟି ସହ ମାଟିର ସମ୍ପର୍କ । ସୁତରାଂ ଛାତ୍ରଛାତ୍ରୀ ମାନଙ୍କୁ ଯଦି ନିଜ ଇଚ୍ଛା ଅନୁସାରେ ପାଠ୍ୟକ୍ରମକୁ ଚୟନ କରି ଶିକ୍ଷା ଗ୍ରହଣ କରନ୍ତେ ବୋଧହୁଏ ଭବିଷ୍ୟତରେ ଏହା ସାହାଯ୍ୟ କରିପାରିବ । କୃଷି ପାଠ୍ୟକ୍ରମକୁ ଅନାଦର ନକରି ଏହାର ସୁଯୋଗ ଦିଗରେ ଅନୁଧ୍ୟାନ କରନ୍ତୁ । କୃଷିର ବୃହତ୍ତର ଦିଗକୁ ଖୋଜନ୍ତୁ । ସବୁ ଶିକ୍ଷା ପରି କୃଷି ବିଜ୍ଞାନ ବି ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଇଁ ଏକ ବଡ଼ ସୁଯୋଗ । ମନରୁ ପାରମ୍ପରିକ ଚିନ୍ତାରୁ କାଢନ୍ତୁ । ଲୋକଙ୍କ କଥାକୁ ନଶୁଣି ନିଜେ ନିଜ ଲକ୍ଷ୍ୟରେ ରୁହନ୍ତୁ । ଦେଖିବେ ସଫଳତା ନିଶ୍ଚୟ ଆପଣଙ୍କ ପାଦସ୍ପର୍ଶ କରିବ ।
କୃଷି ସ୍ନାତକୋତ୍ତର , ମୃତ୍ତିକା ବିଜ୍ଞାନ , ସୋଆ ,
ଭୁବନେଶ୍ୱର
ମୋ-୯୪୩୮୪୬୭୦୭୯
Comments are closed.