Latest Odisha News

କର୍ଣ୍ଣାଟକରେ ମୋଦିଙ୍କ ଗଣିତକୁ ମାତ ଦେବେ କି ରାହୁଲ ?

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ହେବ। ଦୀର୍ଘ ଦିନ ଧରି ଜୋରଦାର ପ୍ରଚାର ପରେ ବର୍ତ୍ତମାନ ବିଭିନ୍ନ ସିଟକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ଥିବାବେଳେ ଗତ ନିର୍ବାଚନରେ ୭୪ ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ଜିତିବା ବ୍ୟବଧାନ ୧୦ ହଜାର ଭୋଟରୁ କମ ଥିଲା।

ତେଣୁ ଏତେ କମ ବ୍ୟବଧାନକୁ କେଉଁ ଦଳ ମ୍ୟାନେଜ କରି ବିଜୟଲାଭ କରିପାରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ୨୦୧୮ ନିର୍ବାଚନରେ ୧୦ ହଜାରରୁ କମ ଭୋଟ ବ୍ୟବଧାନରେ କଂଗ୍ରେସ ୩୭ ଟି ସିଟ ଜିତିଥିବା ବେଳେ ବିଜେପି ୨୭ ଟି ଓ ଜେଡିଏସ ୧୦ ଟି ସିଟ ଜିତିଥିଲା। ଏଭଳି ମୋଟ ୭୪ ସିଟ ମଧ୍ୟରୁ ୫ ଟି ନିର୍ବାଚନ ମଣ୍ଡଳୀରେ ଜିତିବା ବ୍ୟବଧାନ ହଜାରେ ଭୋଟରୁ କମ ଥିଲା।

ସେହିଭଳି ୨୪ ଟି ସିଟରେ ଜିତିବା ଓ ହାରିବା ବ୍ୟବଧାନ ୫ ହଜାରରୁ କମ ଭୋଟ ବ୍ୟବଧାନରେ ହୋଇଥିଲା। ତେଣୁ ଏସବୁ ଚିତ୍ରକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଏହି ସିଟ ଗୁଡିକରେ ଜିତିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ଯେଉଁଠି କଂଗ୍ରେସ ଅଳ୍ପ ବ୍ୟବଧାନ ରେ ଜିତିଥିଲା ସେଠି ଦଳ ବ୍ୟବଧାନକୁ ବଢାଇବାକୁ ଯୋଜନା କରିଥିବା ବେଳେ ବିଜେପି ସେସବୁ ସିଟ ଜିତିବାକୁ ଯୋଜନା କରିଛି। କଂଗ୍ରେସର ବିଧାୟକ ମାନେ ଜିତିଥିବା ନିର୍ବାଚନ ମଣ୍ଡଳୀକୁ ବିଜେପି ସରକାର ଅଧିକ ଫଣ୍ଡ ଦେଇ ନ ଥିବା କଂଗ୍ରେସ ଅଭିଯୋଗ କରିଛି। କିନ୍ତୁ ସେସବୁ ସ୍ଥାନରେ ଦଳର ଏଥର ପ୍ରାର୍ଥୀ ମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କୁହାଯାଇଛି।

୨୦୧୮ ନିର୍ବାଚନରେ ବିଜେପି ୧୦୪ ସିଟ ଜିତିଥିବା ବେଳେ ସେଥିରୁ ୭୭ ଜଣ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ବେଲଗାଓଁ ଦକ୍ଷିଣ ସିଟରେ ବିଜେପି ୫୮ ହଜାରରୁ ଅଧିକ ଭୋଟରେ ଜିତିଥିଲା। ସେହିପରି କଂଗ୍ରେସର ୭୯ ସିଟ ମଧ୍ୟରୁ ୪୨ ଟି ସିଟରେ ପ୍ରାର୍ଥୀ ମାନେ ୧୦ ହଜାର ଭୋଟରୁ ଅଧିକ ବ୍ୟବଧାନ ରେ ଜିତିଥିଲେ।

କଂଗ୍ରେସର ପୁଲକେଶୀନଗର ପ୍ରାର୍ଥୀ ଅଖଣ୍ଡ ଶ୍ରୀନିବାସମୁର୍ଥୀ ୮୧ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ବିଜେପି ୪୦ ଟି ସିଟରେ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତି ଭୋଟ ହାର ବୃଦ୍ଧି କରିଥିଲେ ମଧ୍ୟ ପୂର୍ଣ୍ଣ ବହୁମତ ପାଇପାରି ନ ଥିଲା। ତେଣୁ ଏଥର ସ୍ଥିତି କଣ ହେବ ତା ଉପରେ ସମସ୍ତଙ୍କର ନଜର ରହିଛି।

ଏଥର ନିର୍ବାଚନ କଂଗ୍ରେସ ପାଇଁ ଭବିଷ୍ୟତର ପ୍ରଶ୍ନ ହୋଇ ଛିଡା ହୋଇଥିବା ବେଳେ ବିଜେପି ପାଇଁ ଏକ ସମ୍ମାନର ପ୍ରଶ୍ନ। ସେପଟେ ଜେଡିଏସ ଅସ୍ତିତ୍ୱର ଲଢେଇ ଲଢ଼ୁଛି। କଂଗ୍ରେସ ଓ ବିଜେପି ପ୍ରଚାର ସହ ନିର୍ବାଚନ ଜିତିବାକୁ ନିଜର ସବୁ ଶକ୍ତି ଖଟାଇଛନ୍ତି। ତେଣୁ ରାତି ପାହିଲେ ମତଦାତା କାହା ସପକ୍ଷରେ ଅଧିକ ମତଦାନ କରୁଛନ୍ତି ଓ କିଏ କର୍ଣ୍ଣାଟକର ଶାସନ ଗାଦିରେ ବସୁଛି ତା ଉପରେ ନଜର।

Leave A Reply

Your email address will not be published.