Latest Odisha News

BREAKING NEWS

ଏଏସ୍ଆଇ ନେଉ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ)କୁ ଦାୟିତ୍ୱ ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ପ୍ରାୟ ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସୁନ୍ଦର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ । ଏହି ଶୈବପୀଠ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ । ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ । ମନ୍ଦିର ଚତୁପାର୍ଶ୍ୱ ଜବରଦଖଲ ହୋଇଥିବା ବେଳେ ସେଠାରେ ଆବର୍ଜନା ଏବଂ ଡ୍ରେନ ସମସ୍ୟା ଚିନ୍ତାର କାରଣ ହୋଇଛି ।

ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି । ଏହାବ୍ୟତିତ ଧ୍ୱନୀ ପ୍ରଦୂଷଣ ଓ ବିଶୃଙ୍ଖଳା ଯୋଗୁଁ ମନ୍ଦିର ପ୍ରାଙ୍ଗଣର ପବିତ୍ରତା କ୍ଷୟ ହେବାକୁ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ର ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ପ୍ରାଚୀନ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଏଏସଆଇ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । କପିଳେଶ୍ୱର ମନ୍ଦିର ଏକ ଧାର୍ମିକ ସ୍ଥଳୀ ନୁହେଁ ବରଂ ଜାତୀୟ ସମ୍ପତ୍ତି । ଏଏସଆଇ ଦ୍ୱାରା ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରାଯାଉ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.