ଭୁବନେଶ୍ୱର: ଆଜିଠୁ ଅମାନିଆ ହେବେ ସାବାଡ୍। କାରଣ ରାସ୍ତାରେ ଲାଗିଛି ଏଆଇ। ଗାଡି ଚଳାଇବା ବେଳେ ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ। ଆଜିଠୁ କଟିବ ଏଆଇ ଇ-ଚାଲାଣ। ଆଜିକାଲି ରାସ୍ତାରେ କୃତିମ ବୁଦ୍ଧିମତ୍ତା ବା AI (Artificial Intelligence) ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି, ଯେପରିକି ସ୍ମାର୍ଟ ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା କ୍ୟାମେରା ଏବଂ ସ୍ୱୟଂଚାଳିତ ଗାଡ଼ି। ରାଜ୍ୟରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ କାର୍ୟ୍ୟକାରୀ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଆଧାରିତ ଏହି ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି।
ରାଜ୍ୟର ନିର୍ଦ୍ଧାରିତ ଜାତୀୟ ଓ ରାଜ୍ୟ ରାଜପଥରେ ଏହା କାର୍ୟ୍ୟକ୍ଷମ ହୋଇଛି। ଆଇଇଏମ୍ଏସ୍ ମାଧ୍ୟମରେ ୪ ପ୍ରକାର ଟ୍ରାଫିକ୍ ନିୟମ ଉଲଂଘନ ଚିହ୍ନଟ କରାଯିବ। ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ଦୁଇରୁ ଅଧିକ ଯାତ୍ରା, ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇବା ଏବଂ ଭୁଲ୍ ଦିଗରେ ଗାଡ଼ି ଚଳାଇବା ଭଳି ନିୟମ ଉଲଂଘନ କରୁ କରୁଥିଲେ ରାଜପଥ କ୍ୟାମେରାରେ ସେସବୁ ସ୍ବତଃ ରେକର୍ଡ ହୋଇଯିବ। ଏହି ସମସ୍ତ ଉଲଂଘନ ପାଇଁ ଫଟୋ କିମ୍ବା ଭିଡିଓ ପ୍ରମାଣ ଆଧାରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରାଯିବ।
ଏସ୍ଟିଏ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଥମ ପର୍ୟ୍ୟାୟରେ ମଙ୍ଗୁଳି-ସମ୍ବଲପୁର, ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି ଏବଂ ବ୍ରହ୍ମପୁର-ଭଞ୍ଜନଗର ରାଜପଥରେ ଏହି ବ୍ୟବସ୍ଥା ଲାଗୁ ହେବା ଚାରି ଲେନ୍ ବିଶିଷ୍ଟ ରାଜପଥରେ ଦୁଇଚକିଆ ଯାନ ଘଣ୍ଟା ପ୍ରତି ୬୦ କିମି, ହାଲୁକା ମୋଟର ଯାନ ଘଣ୍ଟା ପ୍ରତି ୧୦୦ କିମି ଏବଂ ଭାରୀଯାନ ଘଣ୍ଟା ପ୍ରତି ୮୦ କିମି ବେଗ ସୀମା ଟପିବେନି। ସେହିପରି ଦୁଇ ଲେନ୍ ବିଶିଷ୍ଟ ରାଜପଥରେ ଦୁଇ ଚକିଆ ଯାନ ଘଣ୍ଟା ପ୍ରତି ୫୦ କିମି ଏବଂ ହାଲୁକା ମୋଟର ଯାନ ଓ ଭାରୀଯାନ ଘଣ୍ଟା ପ୍ରତି ୬୦ କିମି ବେଗ ସୀମା ଡେଇଁବେନି। ଏ ସବୁ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ କଟିବ।


Comments are closed.