କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ୮ ଲକ୍ଷ ୨୦ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି। କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି ରଖିଛି। ଗଡ଼ଗଡିଆ ଘାଟ କାଉଡ଼ି ଯାତ୍ରା ଲାଗି ଖୁବ ପ୍ରସିଦ୍ଧ, କିନ୍ତୁ ଏଠାରୁ କେହି ପାଣି ଉଠାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଧବଳେଶ୍ୱର ପୀଠକୁ ନଯିବା ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ ବୋଲି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳ ରହିଛି। ଏପରି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ୱା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସତର୍କ ଦୃଷ୍ଟି ଦେବାକୁ କହିଛନ୍ତି।
ଯେଉଁ ଅଞ୍ଚଳରେ ବିପଦ ରହିଛି ସେଠାରେ ମାଇକ୍ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତ ନଦୀ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା, ଜିଲ୍ଲାର ସମସ୍ତ ବ୍ୟାରେଜ୍ ଅଞ୍ଚଳକୁ ଯିବା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ସମାବେଶ ଓ ଭିଡ଼ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି ।