ଭୁବନେଶ୍ୱର: ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ତଥା ଅନ୍ୟାନ୍ୟ ରୋଗ ନିର୍ଣ୍ଣୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏମ୍ସ ଭୁବନେଶ୍ୱର, ବାୟୋକେମିଷ୍ଟ୍ରି ବିଭାଗ ପକ୍ଷରୁ ତିନୋଟି ଅତ୍ୟାଧୁନିକ ପରୀକ୍ଷାଗାର ସୁବିଧାର ଶୁଭାରମ୍ଭ । ଗର୍ଭକାଳୀନ ଓ ନବଜାତ ଶିଶୁ (ଆଣ୍ଟିନେଣ୍ଟାଲ୍ ଏଣ୍ଡ୍ ନିୟୁବର୍ଣ୍ଣ) ସ୍କ୍ରିନିଂ ଲାବୋରେଟୋରୀ, ଇମ୍ୟୁନୋଲୋଜି ଲାବୋରେଟୋରୀ ଏବଂ ଏଚ୍ପିଏଲ୍ସି ଲାବୋରେଟୋରୀକୁ ଏମ୍ସ ଭୁବନେଶ୍ବର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ ଉଦ୍ଘାଟନ କରିଛନ୍ତି। ଜଟିଳ ଏବଂ ବିଶେଷ ରୋଗ ନିର୍ଣ୍ଣୟ ସେବାର ଗୁଣବତ୍ତା, ସଠିକତା ଏବଂ ଉପଲବ୍ଧତାକୁ ବୃଦ୍ଧି କରିବା, ସେବାର ପ୍ରାଥମିକ ଉଦ୍ଦେଶ୍ୟ। ଏହି ଉନ୍ନତ ପ୍ଲାଟଫର୍ମ ମାଧ୍ୟମରେ ଅତ୍ୟନ୍ତ ସୂକ୍ଷ୍ମ ମାତ୍ରାରେ ଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଇପାରିବ, ଯାହା ରୋଗ ନିର୍ଣ୍ଣୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଓଡ଼ିଶାର ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ ନଥିବା ଡ. ବିଶ୍ବାସ କହିଛନ୍ତି । ଏହି ଅବସରରେ ଡିନ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଡିନ୍ ତଥା ବାୟୋକେମିଷ୍ଟ୍ରି ବିଭାଗୀୟ ମୁଖ୍ୟ ଡ. ମନସ୍ୱିନୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ସଠିକ୍ ଏବଂ ସମ୍ବେଦନଶୀଳ ପରୀକ୍ଷଣ ପାଇଁ ‘ଆଣ୍ଟିନାଟାଲ୍ ଆଣ୍ଡ ନିଉ-ବର୍ଣ୍ଣ ସ୍କ୍ରିନିଂ ଲାବୋରେଟୋରୀ’ (ଗର୍ଭକାଳୀନ ଓ ନବଜାତ ଶିଶୁ ପରୀକ୍ଷଣ ପରୀକ୍ଷାଗାର)ରେ ଏକ ନୂତନ ‘ରେଭିଟି ଭିକ୍ଟର ୨ଡି ଫ୍ଲୋରୋମିଟର’ ସ୍ଥାପନ କରାଯାଇଛି। ନବଜାତ ଶିଶୁଙ୍କ ପାଇଁ ୭ଟି ନୂତନ ପରୀକ୍ଷଣ ମାନକ ସ୍ଥିର କରାଯିବା ସହିତ ଅନଲାଇନ୍ ରିପୋର୍ଟିଂ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତିତ ‘ଇମ୍ୟୁନୋରିଆକ୍ଟିଭ୍ ଟ୍ରିପସିନୋଜେନ୍’ (ଆଇଆରଟି) ମାଧ୍ୟମରେ ‘ସିଷ୍ଟିକ୍ ଫାଇବ୍ରୋସିସ୍’ ପରୀକ୍ଷା ମଧ୍ୟ ଆରମ୍ଭ କରାଯିବ। ଏହି ପରୀକ୍ଷାଗାରରେ ଗର୍ଭକାଳୀନ ସ୍ୱତନ୍ତ୍ର ପରୀକ୍ଷଣ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଇମ୍ୟୁନୋଲୋଜି ପରୀକ୍ଷାଗାରକୁ ‘ସିମେନ୍ସ ଆଟେଲିକା ନେଫେଲୋମିଟର’ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସୁଦୃଢ଼ କରାଯାଇଛି। ବର୍ତ୍ତମାନ ଏଥିରେ ଛଅଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି। ଏହି ପରୀକ୍ଷାଗାରରେ ଏକାଧିକ ନୂତନ ବିଶେଷ ପରୀକ୍ଷା ହେବାର ଯୋଜନା ରହିଛି। ମଧୁମେହ ନିର୍ଣ୍ଣୟ ଏବଂ ମନିଟରିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ପାଇଁ ଏଚପିଏଲ୍ସି ପରୀକ୍ଷାଗାର ବିଶେଷ ସହାୟକ ହେବ। ଉପରୋକ୍ତ ପରୀକ୍ଷଣ ଗୁଡ଼ିକ ଦ୍ବାରା ଏମ୍ସ ଭୁବନେଶ୍ୱର ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକର ରୋଗୀମାନଙ୍କୁ ଉନ୍ନତ, ଉଚ୍ଚ-ଗୁଣବତ୍ତା ଏବଂ ସୁଲଭ ନିର୍ଣ୍ଣୟ ସେବା ପ୍ରଦାନ କରିବାରେ ସଫଳ ହେବ।
