Latest Odisha News

BREAKING NEWS

ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା, ଋଷିଆ ଯିବାକୁ ଏୟାର ଇଣ୍ଡିଆର ନାହିଁ ଇନସ୍ୟୁରାନ୍ସ

ଆଉ ପ୍ରତ୍ୟକ୍ଷ ବା ସିଧା ବିମାନ ଯୋଗାଯୋଗ ନାହିଁ । ଏବେ ଯାତ୍ରୀ, ତାସ୍କେଣ୍ଟ, ଇସ୍ତାନବୁଲ, ଦୁବାଇ ଓ ଆବୁଧାବି ଦେଇ ଋଷିଆ ଯାତ୍ରା କରିହେବ

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା । ଏବେ ଭାରତରୁ ଋଷିଆ କିମ୍ବା ଋଷିଆରୁ ଭାରତ ବିମାନ ଆଉ ଚାଲିବନି । ପ୍ରତ୍ୟକ୍ଷ ଭାବେ ଏହି ଦୁଇ ଦେଶ ମଧ୍ୟରେ ଆଉ ବିମାନ ଚାଲିବନି । ଭାରତରୁ ଋଷିଆ ଏୟାର ଇଣ୍ଡିଆର ଗୋଟିଏ ବିମାନ ଚାଲୁଥିଲା । ଯାହା ସପ୍ତାହକୁ ଦୁଇ ଦିନ ଚଳାଚଳ କରିଥାଏ ।

ହେଲେ ଗତ ଏପ୍ରିଲ ପହିଲାରୁ ଏୟାର ଇଣ୍ଡିଆ ତାର ବିମାନ ସେବା ବନ୍ଦ କରିଦେଇଛି । କାରଣ ହେଉଛି, ଋଷିଆ ଯିବାକୁ ଏୟାର ଇଣ୍ଡିଆ ପାଖେ ଇନସ୍ୟୁରାନ୍ସ ନାହିଁ । ସୂଚନାଯୋଗ୍ୟ, ବିମାନ ଚଳାଚଳ କରିବା ଲାଗି ଉଡାଣ ସଂସ୍ଥା ଗୁଡ଼ିକୁ ଇନସ୍ୟୁରାନ୍ସ ବା ବୀମା କରିବାକୁ ପଡ଼ିଥାଏ । ଗତ ମାର୍ଚ୍ଚ ୩୧ରେ ଏୟାର ଇଣ୍ଡିଆର ଇନସ୍ୟୁରାନ୍ସ ଶେଷ ହୋଇଛି ।

ଏୟାର ଇଣ୍ଡିଆ ଇନସ୍ୟୁରାନ୍ସ ନବୀକରଣ କରିଛି । କିନ୍ତୁ ବୀମା ସର୍ତ୍ତରେ ଋଷିଆରେ ବିମାନ ଅବତରଣ କରବାକୁ ଅନୁମତି ନାହିଁ । ବୀମା ସଂସ୍ଥା ଗୁଡ଼ିକ ଋଷିଆ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ପାଇଁ, ଋଷିଆରେ ବିମାନ ଅବତରଣ ନୀତିକୁ ସର୍ତ୍ତରୁ ବାଦ୍ ଦେଇଥିବା ଜଣାପଡ଼ିଛି ।

ର୍ପୂବ ବୀମା ମାର୍ଚ୍ଚ ୩୧ରେ ଶେଷ ହେଉଥିଲା । ଏହି ଦିନ ବୀମା ଅବଧି ସରିବା ଆଗରୁ ଏୟାର ଇଣ୍ଡିଆର ଏଆଇ-୧୯୫ ବିମାନ ଋଷିଆରୁ ରାତି ୮.୫୫ରେ ବାହାରି ଏପ୍ରିଲ ୧ରେ ଭୋର ୫.୨୩ରେ ଦିଲ୍ଲୀରେ ଅବତରଣ କରିଥିଲା । ତେବେ ନୂଆ ବୀମା ନିୟମ ହିସାବରେ ଏୟାର ଇଣ୍ଡିଆ ଆଉ ଏହି ଦୁଇ ଦେଶ ମଧ୍ୟରେ ଉଡାଣ କରିପାରିବ ନାହିଁ । କିନ୍ତୁ ଋଷିଆ ଆକାଶ ଦେଇ ଉଡାଣ କରିପାରିବ ବୋଲି ଜଣାପଡ଼ିଛି ।

ଏବେ, ଏହି ଦୁଇ ଦେଶ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଅନ୍ୟ ଦେଶ ଦେଇ ଯିବାକୁ ହେବ । ଆଉ ପ୍ରତ୍ୟକ୍ଷ ବା ସିଧା ବିମାନ ଯୋଗାଯୋଗ ନାହିଁ । ଏବେ ଯାତ୍ରୀ, ତାସ୍କେଣ୍ଟ, ଇସ୍ତାନବୁଲ, ଦୁବାଇ ଓ ଆବୁଧାବି ଦେଇ ଋଷିଆ ଯାତ୍ରା କରିହେବ ।

ଅନ୍ୟପଟେ, ମୁମ୍ବାଇରୁ ମସ୍କୋ ଚଳାଚଳ କରିବାକୁ ଥିବା ବିମାନକୁ ମଧ୍ୟ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି । ଋଷିଆ-ୟୂୁକ୍ରେନ ଯୁଦ୍ଦ ସରିବା ପରେ ଏହି ନୂଆ ବିମାନ ସେବା କଥା ନିଷ୍ପତ୍ତିକୁ ଆସିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.