Latest Odisha News

BREAKING NEWS

ବାୟୁ ପ୍ରଦୂଷଣ ଟାଇପ- ୨ ଡାଇବେଟିସ ବୃଦ୍ଧିର ମୁଖ୍ୟ କାରଣ

ବାୟୁ ପ୍ରଦୂଷଣ ଯେ କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ ଜାଣିଛେ, ହେଲେ ଏକ ନୂତନ ଅନୁସନ୍ଧାନ ଆଉ ଏକ ରୋଗ ବିପଦକୁ ଇଜ୍ଞିତ କରୁଛି।

ଅନୁସନ୍ଧାନରୁ ଜଣାଯାଇଛି ଯେ, ବାୟୁ ପ୍ରଦୂଷଣ ଟାଇପ୍-୨ ଡାଇବେଟିସ୍ ବିପଦକୁ ବଢାଉଛି। ଦିଲ୍ଲୀ ଏବଂ ଚେନ୍ନାଇର ଦକ୍ଷିଣ ଅଞ୍ଚଳରେ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି।

ଅନୁସନ୍ଧାନରେ କୁହାଯାଇଛି ଯେ, ବାୟୁରେ ଉପସ୍ଥିତ ପାର୍ଟିକୁଲେଟ୍ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରି ଟାଇପ୍-୨ ମଧୁମେହର କାରକ ସାଜୁଛି। ଅନୁସନ୍ଧାନରେ ଆହୁରି ଦର୍ଶାଯାଇଛି, ନିଶ୍ୱାସ ନେବାବେଳେ କଣିକା(ଯାହା କେଶଠାରୁ ୩୦ ଗୁଣ ପତଳା) ରକ୍ତ ପ୍ରବାହରେ ପ୍ରବେଶ କରି ଅନେକ ଶ୍ୱାସକ୍ରିୟା ସମ୍ବନ୍ଧୀୟ ଏବଂ ହୃଦରୋଗ ସୃଷ୍ଟି କରିପାରେ। ୨୦୧୦ ମସିହାରେ ଏହି ଅନୁସନ୍ଧାନ ଆରମ୍ଭ ହୋଇଥିଲା। ପ୍ରଥମ କରି ପ୍ରଦୂଷଣ ଏବଂ ମଧୁମେହ ମଧ୍ୟରେ ଏକ ସମ୍ପର୍କ ଥିବା ଜଣାପଡିଛି।

୧୨,୦୦୦ ପୁରୁଷ ଏବଂ ମହିଳାଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନ ସମୟରେ ସମସ୍ତଙ୍କ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରାଯାଇଥିଲା। ଏଥିରେ ଦେଖାଗଲା ଯେ, ଯେଉଁମାନଙ୍କ ଶରୀରରେ ପ୍ରଦୂଷଣ ମାତ୍ରା ଅଧିକ, ସେମାନଙ୍କ ରକ୍ତରେ ଶର୍କରା ସ୍ତର ମଧ୍ୟ ଅଧିକ ରହୁଛି। ଦୀର୍ଘ ଦିନ ଧରି ପ୍ରଦୂଷିତ ଅଞ୍ଚଳରେ ରହୁଥିବା ଲୋକଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ୨୦ ରୁ ୨୨ ପ୍ରତିଶତ ଅଧିକ ଥିଲା ବୋଲି ଅନ୍ୟସନ୍ଧାନରୁ ଜଣାପଡ଼ିଛି ।
ତେବେ ବର୍ତ୍ତମାନ ପରିସ୍ଥିତିରେ ଆମ ଦେଶର ଅଧିକାଂଶ ସହରରେ ବାୟୁ ପ୍ରଦୂଷଣର ମାତ୍ରା ଖୁବ୍ ଅଧିକ। ତେଣୁ ତୁରନ୍ତ ପ୍ରଦୂଷଣ ମାତ୍ରା ରୋକିବା ଉପରେ ଗୁରୁତ୍ୱାରୋପ କରୁଛି ଅନୁସନ୍ଧାନ।

Comments are closed.