Latest Odisha News

BREAKING NEWS

ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ ମହାନ୍ତି: ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତିଙ୍କର ଆଜି ଶ୍ରାଦ୍ଧ ଦିବସ । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ସଙ୍ଗୀତ ଆଜି ମଧ୍ୟ ତାଙ୍କୁ ଜୀବନ୍ତ କରି ରଖିଛି । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅକ୍ଷୟଙ୍କର ପଲାଟି ଦିନରୁ ଗୀତ ପ୍ରତି ଥିଲା ଗଭୀର ଆନ୍ତରିକତା । ଖୋକା ଭାଇ ନାମରେ ତାଙ୍କୁ ଜାଣିଥିଲେ ଲୋକେ ।

ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।

୧୯୪୮ ମସହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁ କଳାକାର ଭାବେ ତାଙ୍କର ଥିଲା ପ୍ରଥମ ଗୀତ । ଏହା ପରେ ସେ ନିଜକୁ ସଙ୍ଗୀତ ଦୁନିଆ ଭିତରେ ହଜାଇ ଦେଇଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ସେ ୧୨୯ଟି ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟକ ଥିଲେ । ଓଡ଼ିଶାର ପୁରପଲ୍ଲୀର କାହାଣୀରେ ଭରି ଦେଉଥିଲେ ମଧୁର ମୂର୍ଚ୍ଛନା । ଯାହାକି ଏବେ ବି ଲୋକଙ୍କ ଓଠରେ ରହିଛି ।

ମନ ଯା’ର ଯାଯାବର…, ବୟସର କୃଷ୍ଣଚୁଡ଼ା ରଙ୍ଗ ତୁମ ମନ୍ଦ ନୁହେଁ…, ଯା’ରେ ଭାସି ଯା’…, ଆଲୋ ହୁଣ୍ଡି ପଇସାକେ ପାନ ଖଣ୍ଡି, ପୂଣ୍ୟର ନଦୀ ତୀରେ ଗୀତ ଆଜି ବି ଲୋକ ମୁଖରେ ରହିଚି । କେବଳ ସଙ୍ଗୀତ ନୁହେଁ ସେ ମଧ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଥିଲେ ।

ଅକ୍ଷୟଙ୍କ ଜୀବନ:

ଅକ୍ଷୟ ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତ ପାଇଁ ହିଁ ଦେଇଥିଲେ ।

ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।
ପରିବାର:

ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି ।

ସଙ୍ଗୀତ:

ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ ଓ ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।

୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । “ରକତ ଟଳମଳ” ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।
ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (ସାଉଣ୍ଡ ଇଫେକ୍ଟ) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, “କାଞ୍ଚି ଅଭିଯାନ”, “ରାଣ୍ଡୀପୁଅ ଅନନ୍ତା” ଆଉ “କୋଣାର୍କ ଗାଥା” ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ “ପେଟେଣ୍ଟ ମେଡିସିନ”କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

ସାଲବେଗଙ୍କ ରଚନା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । ‘ସାତ ଦରିଆପାରେ’ର ଦେଶ ପାଇଁ କଥା, “ହେ ଫଗୁଣ ତୁମେ’ର ଉଦାସୀ ମନ ଆଉ ‘ରାଜାଝିଅ ସାଙ୍ଗେ”ର ହାଲକା ଫୁଲକା ଭାବ; ଦୁଃଖଭରା ‘ରକତ ଟଳମଳ’ ଆଉ ଭାବୁକ ‘ଚକୋରି ଝରାନା ଲୁହ’ – ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ । ତିନୋଟି କଥାଚିତ୍ରରେ ସେ ଅଭିନୟ ବି କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ ।

ପୁରସ୍କାର ଓ ସମ୍ମାନ:

ଜୟଦେବ ପୁରସ୍କାର

ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର

ରାଜ୍ୟ ସଙ୍ଗୀତକାର ପୁରସ୍କାର

ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର

ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ (କେଇସିଟି ଗ୍ରୁପଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ – ୨୦୧୬ ଜାନୁଆରୀ ୬ରେ)

Leave A Reply

Your email address will not be published.