Latest Odisha News

BREAKING NEWS

ନବରଙ୍ଗପୁରର ମା’ ଭଣ୍ଡାରଘରଣୀ: ଯାହାଙ୍କୁ ବିନା ଦର୍ପଣରେ ଦେଖିବା ମନା 

ନବରଙ୍ଗପୁର : ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ଶୋଭାରାଜି ଆମକୁ ଆକର୍ଷିତ କରିଥାଏ । ନବରଙ୍ଗପୁର ଏଥିମଧ୍ୟରୁ ଅନ୍ୟତମ । ପ୍ରକୃତି ମା’ ତାର ସବୁତକ ସୌନ୍ଦର୍ଯ୍ୟ ସତେ ଯେପରି ଏଇଠି ଅଜାଡି ଦେଇଛି । ଆରାଧ୍ୟ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ସାଙ୍ଗକୁ ଇନ୍ଦ୍ରାବତୀ ଡ୍ୟାମ୍ ଓ ସୁଉଚ୍ଚ ପାହାଡ ପର୍ବତର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ- ସମସ୍ତ ଶୋଭାରାଜିର ସମାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ଏଠାକୁ ଆସିବାକୁ। ନବରଙ୍ଗପୁର ହେଉଛି ଓଡ଼ିଶାର ଏକ ସୀମାନ୍ତବର୍ତ୍ତୀ ଇଲାକା,  ଯାହାକୁ ଲାଗିକି ଅଛି ଛତିଶଗଡ଼ର ବସ୍ତର ଜିଲ୍ଲା । ଏହି ପାର୍ବତ୍ୟ ସହରରେ ଦେଖିବାକୁ ମିଳନ୍ତି ୩୦ରୁ ଊର୍ଦ୍ଧ୍ୱ ସମ୍ପ୍ରଦାୟର ଆଦିବାସୀ । ଏଠାକାର ଲୋକଙ୍କ ଜୀବନଶୈଳି ଅତି ସରଳ ।

ସହରର ମଧ୍ୟଭାଗରେ ରହିଛି ନବରଙ୍ଗପୁର ଜିଲ୍ଲାର ଆରାଧ୍ୟ ଦେବୀ ମା ଭଣ୍ଡାରଘରଣୀଙ୍କ ମନ୍ଦିର । ଆଖପାଖ ଅଞ୍ଚଳରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ଆସ୍ଥା ଏହି ମନ୍ଦିର ସହ ଯୋଡିହୋଇ ରହିଛି । ଏଠାକାର ଲୋକେ କୌଣସି କାର୍ଯ୍ୟ କରିବା ପୂର୍ବରୁ ମାଆଙ୍କ ଆଶୀର୍ବାଦ ନେଇଥାନ୍ତି । ମା ଭଣ୍ଡାରଘରଣୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ମାଙ୍କୁ ଏଠାରେ ସିଧା ସିଧା ଦର୍ଶନ କରିବା ମନା । ସେଲାଗି ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ମାଙ୍କୁ ଦର୍ପଣ ସାହାର୍ଯ୍ୟରେ ଦର୍ଶନ କରିଥାନ୍ତି ।

ଯେ କୌଣସି ଶୁଭ କାମ ହେଉ ବା ମାନସିକ ମାଙ୍କ ନିକଟରେ ଆନ୍ତରିକତା ଓ ଭକ୍ତିର ସହ ଗୁହାରୀ କଲେ ମା ଡାକ ଶୁଣନ୍ତି ବୋଲି ଲୋକଙ୍କ ମଧ୍ୟରେ ରହିଛି ପ୍ରଗାଢ ବିଶ୍ୱାସ ।

ନବରଙ୍ଗପୁର ସହରର ଅନତି ଦୂରରେ ରହିଛି ଇନ୍ଦ୍ରାବତୀ ଡ୍ୟାମ୍ । କିଲୋମିଟର କିଲୋମିଟର ବ୍ୟାପି ଅକାତକାତ ଜଳ ରାଶିର ଏକ ମନୋରମ ଦର୍ଶନୀୟ ସ୍ଥାନ ହେଉଛି ପୋଡାଗଡ ଡ୍ୟାମ୍ । ନୀଳ ଜଳରାଶିର ସମତଳତା ଭଙ୍ଗ କରି ମଝିରେ ମଝିରେ ରହିଥିବା ଅନେକ ଟାପୁ ଏଠି ଦୀପପୁଞ୍ଜର ଭ୍ରମ ସୃଷ୍ଟି କରେ । ମୁରାନ ନଦୀ, କପୁର ନଦୀ ଓ ଇନ୍ଦ୍ରାବତୀ ନଦୀର ଜଳରେ ଏଇଠି ସୃଷ୍ଟି ହୋଇଛି ୧୧୦ ବର୍ଗ କିଲୋମିଟରର ଏହା ଏକ ବିଶାଳ ଜଳ ଭଣ୍ଡାର । ନଈ କୁଳିଆ ପରିବେଶ ସାଙ୍ଗକୁ ବିରାଟ ଜଳ ଭଣ୍ଡାର ଏଠି ମନରେ ହ୍ରଦର ଭ୍ରମ ସୃଷ୍ଟି କରେ । ଏଠାକାର ସୂର୍ଯ୍ୟେଦୟ ଏବଂ ସୂର୍ଯ୍ୟାସ୍ତର ମଜା ନେବା ସହ ଜଳ ଭଣ୍ଡାରର ଧାରେ ଧାରେ ଆପଣ ବୁଲି ମଜା ନେଇପାରିବେ ।

ଏଥିସହ ଅପଣ ଉପଭୋଗ କରିପାରିବେ ପାପଡାହାଣ୍ଡିର ପ୍ରସିଦ୍ଧ ଶିବ ମନ୍ଦିର, ଚନ୍ଦନଧାରା ଜଳପ୍ରପାତ, ହିର୍ଲି ଡାଙ୍ଗର ହିଲଷ୍ଟେସ, ମୃଗ ବିହାର ଓ ପୋଡାଗଡ ପାହାଡ ଆଦି ସ୍ଥାନମାନଙ୍କର ମନୋରମ ସୌନ୍ଦର୍ଯ୍ୟ ।

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର । ସବୁଜିମାଘେରା ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରେ  । ପ୍ରାୟତଃ ବର୍ଷସାରା ଦୂର ଦୂରାନ୍ତରରୁ  ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିଥାଏ  ।

Leave A Reply

Your email address will not be published.