Latest Odisha News

ଉଦଘାଟିତ ହେଲା ୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର – ୨୦୧୮

କଟକ: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର’ କଟକ ରିଜର୍ଭ ପୋଲିସ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତା ନଭେମ୍ବର ୧୫ରୁ ୧୯ ତାରିଖ ଯାଏଁ କଟକ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ।

ଭାରତର ବିଭିନ୍ନ ରାଜ୍ୟରୁ ୩୩ଟି ଦଳରୁ ପ୍ରାୟ ୧୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ।

ଆଜି ଉଦଘାଟିତ ହୋଇଥିବା ଏହି ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟରରେ ବିଭିନ୍ନ ରାଜ୍ୟର ପୋଲିସ ତଥା କେନ୍ଦ୍ରୀୟ ପୋଲିସ ଦଳରୁ ପ୍ରାୟ ୩୦୦ଜଣ ପ୍ରଶିକ୍ଷକ ଓ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଏହି ପ୍ରତିଯୋଗିତାରେ ମୁଖ୍ୟତଃ ଜିମ୍ନାଷ୍ଟିକ୍ସ, ଜୁଡ଼ୋ, ତାଇକୋଣ୍ଡୋ ଏବଂ ଉଷୁ ବିଭାଗରେ ପ୍ରତିଦ୍ୱିତା ଅନୁଷ୍ଠିତ ହେଉଛି ।

ଆରକ୍ଷୀ ମହାନିର୍ଦ୍ଦେଶକ ଡ଼ା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ ରହିଛନ୍ତି । ଅତିରିକ୍ତ ମହାନିର୍ଦ୍ଦେଶକ ମନୋଜ ଛାବ୍ରା ଓ ବିନୟତୋଷ ମିଶ୍ର ଯଥାକ୍ରମେ ପରିଚାଳନା କମିଟିର ଉପାଧ୍ୟକ୍ଷ ଓ ପରିଚାଳନା ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

କଟକରେ ଅନୁଷ୍ଠିତ ହୋଇଥିବା ଆଜିର ଉଦଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ପରିଚାଳନା କମିଟିର ମୁଖ୍ୟ ଡ଼ା. ରାଜେନ୍ଦ୍ର ପ୍ରସାଦ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ନଭେମ୍ବର ୧୯ ତାରିଖର ଉଦଯାପନୀ ଉତ୍ସବରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.