ଜମ୍ମୁ: ଦେଶ ଭିତରେ ଲୋକଙ୍କୁ ବିଭାଜନ କରିବାକୁ କୌଣସି ରାଜନୈତିକ ଦଳ ପଛାଇ ନାହାନ୍ତି । ଯେଉଁଥିରେ ନିଜ ଦଳ କଂଗ୍ରେସ ମଧ୍ୟ ରହିଛି । ଏହା କହିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ । କଂଗ୍ରେସର ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତାଙ୍କୁ ନେଇ ଏକ ଗ୍ରୁପ କରିଥିବା ଗୁଲାମ ରବିବାର କହିଛନ୍ତି, କଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ଭିଟାମାଟି ଛାଡିବା ପଛର କାରଣ କହିଛନ୍ତି। ଯେଉଁ ଘଟଣା ଘଟିଛି ସେଥିପାଇଁ ପାକିସ୍ତାନ ଏବଂ ତା ଦ୍ୱାରା ପରିଚାଳିତ ହେଉଥିବା ଆତଙ୍କବାଦ ଦାୟୀ ।
୧୯୯୦ରେ କଶ୍ମୀର ପଣ୍ଡିତଙ୍କ ନିର୍ଯାତନା ଉପରେ ଆଧାରିତ ବଲିଉଡ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚାଲିଥିବା ବିବାଦର ପୃଷ୍ଠଭୂମିରେ ଏପରି ମନ୍ତବ୍ୟ ରଖିଛନ୍ତି ଗୁଲାମ ନବୀ ଆଜାଦ ।
ଧର୍ମ, ଜାତି ଏବଂ ଅନ୍ୟାନ୍ୟ ଜିନିଷ ଆଧାରରେ ରାଜନୈତିକ ଦଳଗୁଡିକ ବିଭାଜନ ସୃଷ୍ଟି କରନ୍ତି । ଏଥିପାଇଁ ସେ ତାଙ୍କର ଦଳ କଂଗ୍ରେସକୁ ମଧ୍ୟ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି । ବୁଦ୍ଧିଜୀବୀ ସମାଜ କିନ୍ତୁ ଏକାଠି ରହିବା ଦରକାର । ଜାତି, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ଆଜାଦ କହିଛନ୍ତି।
ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ହେଉଛନ୍ତି ସବୁଠାରୁ ବଡ ହିନ୍ଦୁ ତଥା ଧର୍ମନିରପେକ୍ଷ ନେତା। ଜମ୍ମୁ କଶ୍ମୀରରେ ଯାହା ଘଟିଛି ସେଥିପାଇଁ ପାକିସ୍ତାନ ଏବଂ ଆତଙ୍କବାଦୀମାନେ ଦାୟୀ। ଏହା ଜମ୍ମୁ କଶ୍ମୀରରେ ହିନ୍ଦୁ, କଶ୍ମୀର ପଣ୍ଡିତ, ମୁସଲମାନ, ଡୋଗ୍ରା ସମେତ ସମସ୍ତଙ୍କୁ ପ୍ରଭାବିତ କରିଛି।
ଉଲ୍ଲେଖଯୋଗ୍ୟ, ୧୯୯୦ ଦଶକରେ କଶ୍ମୀରୀ ପଣ୍ଡିତଙ୍କୁ ଭିଟାମାଟି ଛାଡିବା, ହତ୍ୟା କରିବାକୁ ନେଇ ନିର୍ମାଣ ହୋଇଛି ଦ କଶ୍ମୀର ଫାଇଲ୍ସ ଫିଲ୍ମ । ମାର୍ଚ୍ଚ ୧୧ରେ ରିଲିଜ ହେବା ପରଠାରୁ ଏହି ଫିଲ୍ମ ବିରୋଧୀ ଦଳ ଏବଂ କିଛି ବୁଦ୍ଧିଜୀବୀ ଏହାକୁ ସମାଲୋଚନା କରିଛନ୍ତି। ତେବେ ନିକଟରେ ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫିଲ୍ମକୁ ନିଜର ସମର୍ଥନ ଜଣାଇଥିଲେ।
Comments are closed.