Latest Odisha News

BREAKING NEWS

‘‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଯୋଡ଼ି ହେବେ ସମସ୍ତ ଆରଟିଓ’

ଭୁବନେଶ୍ୱର/କଟକ: ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୧ ଯାଏଁ ସ୍ୱଚ୍ଛତା ହିଁ ସେବା ଅଭିଯାନ ହେବ । ସ୍ୱଚ୍ଛତାକୁ ନେଇ ଏହି ଅଭିଯାନ ୧୫ ଦିନ ବ୍ୟାପୀ ଚାଲିବ । ଏହି ଅଭିଯାନରେ ସକ୍ରିୟତାର ସହ ଭାଗ ନେବ ରାଜ୍ୟ ପରିବହନ ପ୍ରାଧିକରଣ । ଚଳିତ ଥରର ଥିମ୍ ରହିଛି “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” । ଏହି ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ।

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ପ୍ରସ୍ତୁତି ଓ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବାକୁ ଆଜି ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାସହ ରାଜ୍ୟର ସମସ୍ତ ଆରଟିଓମାନେ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ । ଏହି ଅଭିଯାନରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଡ଼ି ହେବେ ବୋଲି ନିଷ୍ପତ୍ତି ହୋଇଛି । ଏହାସହ ପରିବହନ ସେବା ସହ ସଂପର୍କିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବ ।

ରାଜ୍ୟ ପରିବହନ ପ୍ରାଧିକରଣ, କଟକ କାର୍ଯ୍ୟାଳୟ ସମେତ ରାଜ୍ୟବ୍ୟାପୀ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳ ସଫେଇ କରାଯିବ । ସ୍ୱଚ୍ଛତା ଓ ଏହାର ଉପକାରିତା ସଂପର୍କରେ ସଚେତନ କରାଯିବ । ଦୈନନ୍ଦିନ ସଫେଇ କାର୍ଯ୍ୟରେ ଅବହେଳିତ ହୋଇ ରହିଯାଉଥିବା ସ୍ଥାନଗୁଡ଼ିକ ଚିହ୍ନଟ କରି ତାହାର ସଫେଇକୁ ଗୁରୁତ୍ୱ ଦିଆଯିବ ।

ରାଜପଥ କଡ଼, ବସଷ୍ଟପ୍, ରାସ୍ତାପାର୍ଶ୍ୱ ଢାବା, ଶୌଚାଳୟ ଆଦିରେ ସଫେଇ କରାଯିବ । ଏହାସହ ବୃକ୍ଷରୋପଣ, ସ୍ୱଚ୍ଛତା ଦୌଡ଼, ଶପଥପାଠ, ରାସ୍ତା ଓ ଫ୍ଲାଏଓଭରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଏହି ଅଭାଯାନର ପ୍ରାଧାନ୍ୟରେ ରହିବ । ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଠିକଣା ଢଙ୍ଗରେ କରିବାକୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମସ୍ତ ଅଧିକାରୀଙ୍କୁ କହିଛନ୍ତି ।

ଏହି ଅଭିଯାନରେ ସଫେଇ ମିତ୍ରଙ୍କ ସୁରକ୍ଷା ସମ୍ବନ୍ଧିତ ସଚେତନତାକୁ ମଧ୍ୟ ବ୍ୟାପକ କରାଯିବ । ବିଭିନ୍ନ କ୍ୟାମ୍ଫ ଜରିଆରେ ସେମାନଙ୍କୁ ସରକାରୀ ଯୋଜନା ସଂପର୍କରେ ଅବଗତ କରାଯିବ । ସଡ଼କ ଦୁର୍ଘଟଣା ରୋକିବା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ସଂପର୍କରେ ଥିବା ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି ।

ତେବେ ସ୍ୱଚ୍ଛତାର ଅଭ୍ୟାସ କେବଳ ୧୫ ଦିନରେ ସୀମିତ ନ ରଖି କାର୍ଯ୍ୟାଳୟ ତଥା ଆଖାପାଖରେ କିଭଳି ନିରନ୍ତର ଏହା କାର୍ଯ୍ୟକାରୀ ହେବ ସେ ସଂପର୍କରେ ସଚେତନତା ଓ ପଦକ୍ଷେପ ବୃଦ୍ଧି କରାଯିବ ବୋଲି ପରିବହନ ଆୟୁକ୍ତ କହିଛନ୍ତି ।

Comments are closed.