ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ତ୍ରିଶୂଳିଆ ନିକଟସ୍ଥ ରତଗଡ ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି ଉତ୍ସବରେ ଭୁବନେଶ୍ୱର ସେଣ୍ଟ୍ରାଲ, ଭୁବନେଶ୍ୱର ଉତ୍ତର ଏବଂ ବାଙ୍କି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ, ବିଜେଡି କର୍ମୀ ଏବଂ ସ୍ଥାନୀୟ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମରେ ପହଞ୍ଚିବା ପୂର୍ବରୁ ପ୍ରଥମେ ବିଜୁ ପଟ୍ଟନାୟକ ବିମାନବନ୍ଦର ଛକ ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିଶୁଳିଆ ଅଭିମୁଖେ ଯିବେ । ତେବେ ଯେପରି ଯିବା ବାଟରେ ଟ୍ରାଫିକ ସମସ୍ୟା ନ ଉପୁଯେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ସେହିପରି କାର୍ଯ୍ୟସ୍ଥଳରେ ଯେପରି ପାର୍କିଂ ପାଇଁ କୌଣସି ସମସ୍ୟା ନ ଉପୁଯେ ସେଥିପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି ।
ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ର ବରିଷ୍ଠ ଅଧିକାରୀ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର ହୋଇଛି । ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଟର୍ଣ୍ଣ-କି ପରାମର୍ଶଦାତା ରହିବେ ।
ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟ ଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ । ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 4 ବର୍ଷରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହା ହେଉଛି ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସବୁଠୁ ବଡ଼ ଅର୍ଥ ବିନିଯୋଗ ।
ଭୁବନେଶ୍ବର, ଖୋର୍ଦ୍ଧା, କଟକ ଓ ପୁରୀ ସହରର ଗମନାଗମନ ବ୍ୟବସ୍ଥାକୁ ନାଗରିକଙ୍କ ପାଇଁ ସହଜ, ସରଳ ଓ ସୁଗମ କରିବା ପାଇଁ ମେଟ୍ରୋ ରେଳ ବ୍ୟବସ୍ଥାର ଆବଶ୍ୟକତା ଥିବା ଅନୁଭବ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୬ କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ସମେତ ମୋଟ୍ ୨୦ଟି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା ରହିଛି ।
Comments are closed.