ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରାଜଧାନୀବାସୀଙ୍କୁ ସୁବିଧାରେ ଗମନାଗମନ ପାଇଁ ସରକାର ‘ଆମ ବସ’ ପରିବହନ ସୁବିଧା ଉପଲବ୍ଧ କରାଇଥିଲେ ହେଲେ ଏବେ ‘ଆମ ବସ’ ଖାଲି ସରକାର ନୁହେଁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଛି । ଭୁବନେଶ୍ୱରରେ ଏବେ ‘ଆମ ବାସ’ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ପ୍ରତି ଦିନ ଆମ ବସ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଖବର ସାମ୍ନାକୁ ଆସୁଛି। ଯଦିଓ ପରିବହନ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ‘କୃଟ’ ପକ୍ଷରୁ ବହୁବିଧ ବ୍ୟବସ୍ଥା କରାଯାଉଛି, ଆମ ବସ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଏହାସହ ନିଶାସେବନ ନେଇ ଚେକିଂ କରାଯାଉଛି କିନ୍ତୁ ଅନେକ ସମୟରେ ‘ଆମ ବସ’ ଅସାବଧାନତା ଯୋଗୁଁ ଛାତିଥରା ଦୁର୍ଘଟଣା ହେଉଛି। ବିଧାନସଭାରୁ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି।
ବିଧାନସଭା ତଥ୍ୟ ଅନୁଯାୟୀ, ଦୁଇ ବର୍ଷରେ ୧୪ ମୁଣ୍ଡ ନେଲାଣି ଆମ ବସ୍। ବିଧାନସଭାରୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ। ଦୁଇ ବର୍ଷରେ ୩୨ ଦୁର୍ଘଟଣା ଘଟାଇଛି ଆମ ବସ୍। ୩୨ଟି ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଛି। ଏହାସହ ୧୮ ଜଣ ଗୁରୁତର ହୋଇଛନ୍ତି। ବିଧାନସଭାରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ଦୁର୍ଘଟଣା ରୋକିବକୁ ଲଗାତାର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ତାହା ସହ ସ୍ପିଡ଼ ଲିମିଟକୁ ମଧ୍ୟ ଫିକ୍ସ କରାଯାଇଛି। ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିଜେଲ ଚଳିତ ବସ୍ ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।