Latest Odisha News

BREAKING NEWS

୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେନି ଅମର ଶତପଥୀ

ଭୁବନେଶ୍ୱର: ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। ତେବେ ଅମର ଶତପଥୀଙ୍କ ଟିକେଟ୍‌ କଟିବା ପରେ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଅମର ଶତପଥୀ ଦଳରେ ରହିବେ ନା ଛାଡିବେ ସେ ନେଇ ରାଜନୈତକ ମହଲରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଘଟିଛି ଅନ୍ତ। ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ।

ବର୍ଷାଙ୍କୁ ବଡ଼ଚଣା ଟିକେଟ ମିଳିବା ପରେ ଅମର ନିଜର ପ୍ରତିକ୍ରିୟାରେ କହିଛନ୍ତି, ୨୦୨୪ ନିର୍ବାଚନ ଲଢ଼ିବି ନାହିଁ। ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାଁନ୍ତି। କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି। ଅନ୍ୟଦଳରୁ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି। ମୁଁ ନିଷ୍ପତ୍ତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବିନି। ତେବେ କାହିଁକି ମୋ ଟିକେଟ କଟିଲା ମୁଁ କହିପାରିବିନି ବୋଲି କହିଲେ ଅମର ଶତପଥୀ।

ସୂଚନାଥାଉକି ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବଡଚଣାର ଟାଣୁଆ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅମରଙ୍କ ଭଳି ପୁରୁଖା ନେତାଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତିନି ଦିନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।

ଅନ୍ୟପଟେ ବଡଚଣାକୁ ନେଇ ଆଜି ଶଙ୍ଖ ଭବନରେ ବଡ଼ ବୈଠକ ଚାଲିଛି। ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଶଙ୍ଖ ଭବନରେ ପହଞ୍ଚିଛନ୍ତି । ଏହି ବୈଠକରେ ଯାଜପୁରର ସାଂସଦ, ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା ଓ ବଡଚଣାର ସ୍ଥାନୀୟ ନେତା ଉପସ୍ଥିତ ଅଛନ୍ତି । ବଡ଼ଚଣା ପାଇଁ ଅନ୍ୟତମ ଆଶାୟୀ ଥିବା ରାଜନାରାୟଣ ମହାପାତ୍ର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.