Latest Odisha News

BREAKING NEWS

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା

କେଦାର ମିଶ୍ର

ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି ନାହିଁ । ଗପଟି ଯୋଉଠି ସରିଗଲା ପରି ଲାଗେ, ଠିକ୍ ସେଇଠୁ ନୂଆ ଗପଟିଏ ଆରମ୍ଭ ହୁଏ । ପୁରୁଣା ଗପର ରକ୍ତରେ ନୂଆ ଗପର ମଂଜି ଜୀବନ୍ତ ହୋଇ ରହିଥାଏ । ତେଣୁ ଆମର ଲୋକକଥାରେ ପରସ୍ପରକୁ ଚିହ୍ନିନଥିବା, ପରସ୍ପର ସହ ସମ୍ପୃକ୍ତ ନଥିବା ଘଟଣା ଓ ଚରିତ୍ରମାନେ ଗୋଟେ ଅସରନ୍ତି ଗପର ଶୃଙ୍ଖଳା ତିଆରି କରନ୍ତି । ଗପକୁ ନେଇ ଆମର କଳ୍ପନା ଅରଣ୍ୟ ପରି ଘଞ୍ଚ, ଅନ୍ଧକାରମୟ ଓ ବିଶୃଙ୍ଖଳିତ । ତେବେ ମୋଟାମୋଟି ଭାରତୀୟ ଗପର ଗଢଣଟି ରହସ୍ୟମୟ । ଆଉ ଏଇ ରହସ୍ୟ ଇ ସୁନ୍ଦର । ଆମର ଗପ ଏମିତି –

ଆସରେ ପିଲେ କହିବି କଥା, କି କଥା ?
ବେଙ୍ଗର କଥା । କି ବେଙ୍ଗ ?
ବୁଢା ବେଙ୍ଗ। କି ବୁଢା ?
ବ୍ରାହ୍ମଣ ବୁଢା । କି ବ୍ରାହ୍ମଣ ?
ସୁଦ୍ ବ୍ରାହ୍ମଣ । କି ସୁଦ୍ ?
ପିଠା ଲୁଦ । କି ପିଠା ?
ତାଳ ଗଇଁଠା । କି ତାଳ?
ସୋରିଷ ମାଳ । କି ସୋରିଷ ?
ବଣ ସୋରିଷ । କି ବଣ ?
କିଆ ବଣ । କି କିଆ?
ରଜା ବିହା । କି ରଜା?
ଖଣ୍ଡ ଖଜା । କି ଖଣ୍ଡଟ୍ଟ.

ଗପ କହିବାର କୌଶଳଟି ଏତେ ଅଦ୍ଭୁତ ଆଉ ମନୋରମ ଯେ ସେଠି ତାର୍କିକତାର କୌଣସି ଭୂମିକା ନାହିଁ । ଗପ ନିଜକୁ ଆପେ ଆପେ ଗଢିବା ଲାଗି ଜୀବନର ତର୍କ ପ୍ରସ୍ତୁତ କରେ । ଆମ ଗପର ଗଢଣ ସେଇ ଆମିବା ପରି ଯାହାକୁ ଖଣ୍ଡ ଖଣ୍ଡ କରି ଛିଣ୍ଡେଇ ଦେଲା ପରେ ବି ସେମାନେ ଏକତ୍ର ଆଉ ଏକ ଜୀବନ ପିଣ୍ଡର ନିର୍ମାଣ କରିପାରନ୍ତି । ହୁଏତ ’ବୁଢା ବେଙ୍ଗ’ ସହ ’ବୁଢା ବ୍ରାହ୍ମଣ’ର କିଛି ସଂପର୍କ ନାହିଁ । ଏମାନେ ପରସ୍ପରଠୁ ଦୂରରେ ଦୁଇଟି ଅଲଗା ପ୍ରତୀକ ହୋଇପାରନ୍ତି । ଗପରେ ଏମାନେ ହାତ ଧରାଧରି ହୋଇ ନୂଆ ଜଗତଟିଏ ନିର୍ମାଣ କରିପାରନ୍ତି ।

ସେଥିଲାଗି ଆମ ଗପର ଜୀବନବୋଧଟି ଆଧୁନିକ ଗପର ସଜ୍ଞା ସହ ଖାପ ଖାଏ ନାହିଁ । ଭାରତୀୟ ଗପର ଜୀବନଶକ୍ତି ହେଉଛି ଆମର ସର୍ବଶକ୍ତିମାନ କଳ୍ପନା । ତେବେ ଏହି କଳ୍ପନାଶକ୍ତିକୁ ଗାଲୁଆମୀ, ଉଦ୍ଭଟତା କିମ୍ବା ଅନ୍ଧବିଶ୍ବାସ ବୋଲି ଭାବିଲେ ଚଳିବ ନାହିଁ । ଆମର ଜୀବନ ଓ କଳ୍ପନା, ଗୋଟିଏ ଭାବଭୂମିକୁ ଜନ୍ମ ନେଇଥା’ନ୍ତି । ଆମର ଗପ ଯେତିକି ବାସ୍ତବ, ସେତିକି କଳ୍ପନାପ୍ରବଣ। ‘କଥା ସରିତ୍ ସାଗର’ରେ ଗପ ନଦୀରୁ ସମୁଦ୍ର ଆଡକୁ ଯାଏ । ଆଖ୍ୟାନ, ପୁରାଣ ଓ ସାଧାରଣ ବର୍ଣ୍ଣନା ପରସ୍ପରକୁ ଗୋଟେ ଅଭିନବ ସୂତ୍ରରେ ମାଳ କରି ଗୁନ୍ଥି ଧରିଥା’ନ୍ତି । ’ପଞ୍ଚତନ୍ତ୍ର’ରେ ଗୋଟିଏ କାହାଣୀରୁ ଆଉ ଗୋଟେ କାହାଣୀ ଅନାୟାସରେ ଜନ୍ମ ନେଉଥାଏ । ସେଠି ସବୁ ଚରିତ୍ର ମଣିଷ ନୁହନ୍ତି । ସେମାନେ କିନ୍ତୁ ମଣିଷ ପରି । ଚତୁର ବିଲୁଆ ହେଉ କି ଧୂର୍ତ୍ତ ବିଲେଇ, ସଂଗୀତ ଶାସ୍ତ୍ରରେ ପ୍ରବୀଣ ମୂର୍ଖ ଗଧ ହେଉ ଅବା ସେ ଅହଂକାରୀ କଇଁଛ – ସବୁ ଚରିତ୍ର ମଣିଷ ପରି ମଣିଷକୁ ବାଟ ଦେଖାନ୍ତି । ସେମିତି ‘ଜାତକ କଥା’ – ବୋଧିସତ୍ତ୍ବ ବୁଦ୍ଧ ହେବା ଆଗରୁ ବହୁ ରୂପ ଓ ଜୀବନବୋଧକୁ ସାକ୍ଷାତ କରନ୍ତି । ଚରମ ବୁଦ୍ଧତ୍ବ ପାଇବା ଆଗରୁ ଜନ୍ମ ଜନ୍ମ ଧରି ଗୋଟେ ସାଧାରଣ ଜୀବ ଭାବରେ ତାଙ୍କର ଯାତ୍ରାକୁ ‘ଜାତକ’ କେତେ ବାଗରେ ବର୍ଣ୍ଣନା କରିଛି । ସେ ବର୍ଣ୍ଣନା କେବଳ ଘଟଣାର ସ୍ଥୂଳ ଚିତ୍ରାୟନ ନୁହେଁ, ଏଥିରେ ରହିଛି ଜୀବନର ସୂକ୍ଷ୍ମ ଅନୁବୀକ୍ଷଣ । ଜୀବନର ଲକ୍ଷ୍ୟ ଖୋଜୁ ଖୋଜୁ ମଣିଷକୁ ପେଚା, ହାତୀ, ମାଙ୍କଡ, ବାଘ, ଭାଲୁ କେତେ କ’ଣ ହେବାକୁ ପଡେ । ଆଉ ମଜାର କଥା ହେଉଛି ସବୁ ମଣିଷେତର ଜୀବ ମଣିଷକୁ ’ମାନବିକତା’ର ପାଠ ପଢାନ୍ତି ।

ଆମକୁ ଭାରତୀୟ କାହାଣୀର କଳା ଓ କୌଶଳ ବିଷୟରେ ଖୁବ୍ ବେଶି ଜଣାନାହିଁ – ସେଇଟା ଭାରତୀୟ ଆଧୁନିକତାର ଦୁର୍ଭାଗ୍ୟ । ଆମେ ଜୀବନ ଓ ସୃଜନକୁ ଆଧୁନିକତା ମାଧ୍ୟମରେ ନୂଆ କରି ଦେଖିବାର ସୁଯୋଗ ପାଇଲୁ । ତେବେ ଏହି ନୂଆପଣଟିଏ ଏତେ ନୂଆ ଯେ ସେଠି ହଜାର ହଜାର ବର୍ଷର ପୁରୁଣା ଚେରଟି ଅନାବଶ୍ୟକ ମନେ ହେଲା । ଆମେ ଗପରେ ଆଦର୍ଶ ବୋଲି କାଫକା, ଦସ୍ତୋଭସ୍କି କିମ୍ବା ହେମ୍ପିଂଓ୍ବେଙ୍କୁ ଦେଖିଲୁ । ଦେଖିବାରେ ଅସୁବିଧା ନାହିଁ। ଏମାନେ ପୃଥିବୀର ଗଳ୍ପ ପରମ୍ପରାକୁ ନୂଆ ଦିଶା ଦେଇଛନ୍ତି। ହେଲେ ସେମାନଙ୍କ ସହିତ ଆମ ନିଜର ବିଷ୍ଣୁ ଶର୍ମା କିମ୍ବା ଅବେଲାକରା କାହାଣୀର ଆଦର୍ଶ ରହିବା ମଧ୍ୟ ଜରୁରୀ ଥିଲା। ଆମର ସମସ୍ୟା ହେଉଛି ପୁରୁଣା ଭାରତୀୟ ଗପକୁ କେବଳ ନୈତିକତାର ପାଠ ବୋଲି ଆମେ ଭାବିଲୁ। ତେଣୁ ସେଇ ସବୁ ଗପର ଆଧାରରେ ଯାହା ଲେଖାଗଲା, ସେଠି କେବଳ ପ୍ରବଚନ ଓ ଆପ୍ତବାକ୍ୟ ରହିଲା। ସମକାଳ ସହିତ ଓ ମଣିଷର ବାସ୍ତବତା ସହିତ ଏ ସବୁ ଗପ ନିଜକୁ କ୍ଵଚିତ ଜୋଖି ପାରିଲେ। ଫଳରେ କବିତା ପରି ଗପର ଗ୍ରାହକ ସଂଖ୍ୟା ଆମ ଭାଷାରେ କମିଗଲା। ଆଜି ମଧ୍ୟ ଗପରେ କଥକତାର ଚାହିଦା ଅଛି, ଏକଥା ଆମେ ବୁଝିବା ଉଚିତ ନୁହଁ କି?

ଆମର କାହାଣୀ ନ ସରୁ ଓ ଫୁଲ ଗଛ ନ ମରୁ, ଆମର ଏତିକି ମାତ୍ର ଆଶା।

Leave A Reply

Your email address will not be published.