Latest Odisha News

BREAKING NEWS

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଅନନ୍ୟ ଯାତ୍ରା: କାଗଜ ବନ୍ଧେଇରୁ ଡିଜିଟାଲ୍ ରୂପ

ସବୁ ଓଡ଼ିଆଙ୍କ ମନରେ ଯେମିତି ପ୍ରଭୁ ଜଗନ୍ନାଥ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି ସେହିଭଳି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଦଶ ହଜାର ପୃଷ୍ଠାର ଏକ ଲକ୍ଷ ପଞ୍ଚାଅଶି ହଜାରରୁ ଅଧିକ ଓଡ଼ିଆ ଶବ୍ଦ, ତା ସହିତ ଇଂ‌ରାଜୀ, ହିନ୍ଦୀ ଓ ବଙ୍ଗଳାରେ ତା’ର ଅର୍ଥ କିଛି ଛୋଟିଆ କଥା ନୁହେଁ। ଏତେ ବଡ଼ ଗୋଟିଏ ସମ୍ବଳର ଭାଗ୍ୟ କିନ୍ତୁ ବହୁତ ଦୁଃଖଜନକ। ଏହାର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ ବହୁ ଶ୍ରମ ସ୍ୱୀକାର କରି ଏହାକୁ ଲୋକଲୋଚନକୁ ଆଣିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଏହା କାଗଜ ଠୁଙ୍ଗା ଭାବରେ ବିକ୍ରି ହୋଇଥିଲା। ବହୁତ କମ୍ ସଂଖ୍ୟକ କପି ଓଡ଼ିଶାର ବିଭିନ୍ନ ଲୋକ ବା ଜାଗାରେ ବହି ରୂପରେ ଥିଲା। ତେଣୁ ଏହା ବହୁତ ବିରଳ ଥିଲା। କିନ୍ତୁ ଓଡ଼ିଆ ଭାଷା, ସାହିତ୍ୟ ଦିଗରେ କାମ କରୁଥିବା ସବୁ ବୟସ ଓ ପିଢ଼ି ପାଇଁ ଏହା ଏକ ପରିଚିତ ଓ ସମ୍ମାନସ୍ପଦ ଗ୍ରନ୍ଥ।

ବର୍ତ୍ତମାନର ଡିଜିଟାଲ ଯୁଗକୁ ଦୃଷ୍ଟିରେ ରଖି ନୂଆରୂପ ନେଇଛି ଏହି ବିଶାଳ ଗ୍ରନ୍ଥ। ଯେକୌଣସି ୱେବ୍‌ ପୃଷ୍ଠାରୁ ଓଡ଼ିଆ ଶବ୍ଦର ଅର୍ଥ ସିଧାସଳଖ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୁ ଅନ୍‌ଲାଇନ୍‌ରେ ହିଁ ଖୋଜିହେବ। ସ୍ୱିଡେନ୍‌ରେ କାମ କରୁଥିବା ଓଡ଼ିଆ ଇଞ୍ଜିନିଅର୍ ସାନୁଜିତ୍ ପୁହାଣ ଏହି ସୁବିଧା ଆଣିଦେଇଛନ୍ତି। ସୃଜନିକା ଓ ଚିକାଗୋ ବିଶ୍ୱବିଦ୍ୟାଳୟର କାମ ଏହାପାଇଁ ଭିତ୍ତି ଯୋଗାଇଛି। ବର୍ତ୍ତମାନ କେହି ଚାହିଁଲେ ଗୁଗୁଲ କ୍ରୋମ ୱେବ୍ ବ୍ରାଉଜରରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଯୋଡ଼ିପାରିବେ ଏବଂ ଅନ୍‌ଲାଇନ୍‌ରେ ଏହାକୁ ବ୍ୟବହାର କରିପାରିବେ। ଇଣ୍ଟର୍‌ନେଟ୍‌ରେ ଥିବା ଯେକୌଣସି ୱେବସ୍ଥଳୀରେ ଓଡ଼ିଆ ଅକ୍ଷରରେ ଶବ୍ଦ ଥିଲେ ସେହି ଶବ୍ଦକୁ ଭାଷାକୋଷରୁ ଖୋଜିହେବ। ଏଥିପାଇଁ ଜଣକୁ ଗୁଗୁଲ୍ କ୍ରୋମ୍ ବ୍ୟବହାର କରିବାକୁ ହେବ ଏବଂ ‘Purnachandra Odia Bhashakosha Lookup’ ନାମରେ ଗୋଟିଏ ଏକ୍ସ୍‌ଟେନ୍‌ସନ୍ ଯୋଡ଼ିବାକୁ ହେବ। ଏହାକୁ ତଳ ଲିଙ୍କ୍ ସାହାଯ୍ୟରେ କରିହେବ କିମ୍ବା କ୍ରୋମ ଭିତରୁ ମଧ୍ୟ କରିହେବ।

<https://chromewebstore.google.com/detail/mmkeifkpeagpmejagggkjckhlpnmjpbk>

ଏଥିପାଇଁ ଇମେଲ୍ ଆକାଉଣ୍ଟ ସାହାଯ୍ୟରେ ଲଗ୍ ଇନ୍ କରିବାକୁ ହେବ। ଗୁଗୁଲ୍ ମେଲ୍ ଆକାଉଣ୍ଟ ସବୁଠାରୁ ଭଲ କାମ କରିବ। ଏହି ଏକ୍ସ୍‌ଟେନ୍‌ସନ୍ ଥରେ କମ୍ପ୍ୟୁଟରରେ ରହିଗଲେ ଯେକୌଣସି ୱେବ୍‌ପୃଷ୍ଠାକୁ ଯାଇ ଶବ୍ଦ ଉପରେ ଦୁଇଥର କ୍ଲିକ୍ କଲେ ଭାଷାକୋଷରେ ସେହି ଶବ୍ଦ ପାଇଁ ଥିବା ତଥ୍ୟ ସିଧାସଳଖ ଖୋଲିବ। ଆଉ ଗୋଟିଏ ବାଟ ମଧ୍ୟ ରହିଛି – ଶବ୍ଦଟିକୁ ସିଲେକ୍ଟ କରି ମାଉସ୍‌ର ଡାହାଣ ପଟ ଚାବି ଦବାଇ ‘look up Odia word’କୁ ବାଛିଲେ ମଧ୍ୟ ଭାଷାକୋଷରେ ଥିବା ସେହି ଶବ୍ଦ ସମ୍ପର୍କିତ ତଥ୍ୟ ଖୋଲିଯିବ। ଫଳରେ ଅନ୍‌ଲାଇନ୍‌ରେ ଯେକୌଣସି ଓଡ଼ିଆ ପୃଷ୍ଠାରୁ ଶବ୍ଦକୁ ଭାଷାକୋଷରୁ ଖୋଜିହେବ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଏହି ଡିଜିଟାଲ ଯାତ୍ରା କିନ୍ତୁ ଏତେ ସହଜ ଓ ସରଳ ନଥିଲା। ଏହି ଯାତ୍ରାର କାହଣୀ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ପୁରୁଣା। ବିଜ୍ଞାନ, ଶିକ୍ଷା ଓ ବିକାଶ ଦିଗରେ କାମ କରୁଥିବା ଏକ ଆଗ୍ରହୀ ଦଳ ସୃଜନିକା ତରଫରୁ ବିଜ୍ଞାନ ତରଙ୍ଗ ପତ୍ରିକା ପ୍ରକାଶନ ସମୟରେ ଏହା ବହୁତ ଭାବରେ ବ୍ୟବହାର ହେଉଥିଲା। ସେ ସମୟରେ ଏହା କେତେ ବିରଳ ଅନୁଭବ ହେଲା। ୨୦୦୪ ମସିହାରେ ସୃଜନିକାର ଡିଜିଟାଇଜେସନ୍ କାମ ଆରମ୍ଭ ସମୟରେ ପ୍ରଥମ କାମ ଭାବରେ ଭାଷାକୋଷକୁ ନିଆ ଯାଇଥିଲା। ସ୍ୱଳ୍ପ ମୂଲ୍ୟର ଯନ୍ତ୍ରପାତି ଖୋଜିବା ଅବସରରେ ଏକ ସ୍ୱତନ୍ତ୍ର ଧରଣର ସ୍କାନର ଉପଲବ୍ଧ ହୋଇଥିଲା। ଏହା ସ୍ୱଚ୍ଛ ଥିଲା ଏବଂ ଏହାକୁ ବହି ଉପରେ ଓଲଟାଇ ରଖାଯାଇ ପାରୁଥିଲା। ଫଳରେ ବିଶାଳ ଆକାରର ଭାଷାକୋଷ ବହିକୁ ନ ଓଲଟାଇ ସ୍କାନରକୁ ବହି ଉପରେ ଓଲଟାଇ ସ୍କାନ କରାଗଲା। ଅନେକ ପରୀକ୍ଷା ନିରୀକ୍ଷା ପରେ ୨୦୦୬ ମସିହା ଅଗଷ୍ଟ ମାସରେ ଭାଷାକୋଷର ପ୍ରଥମ ତିନି ଖଣ୍ଡ ଗୋଟିଏ ସିଡିରେ ପ୍ରସ୍ତୁତ କରାଗଲା। ଏଥିରେ ସହଜରେ ଶବ୍ଦ ଖୋଜିବା ପାଇଁ ପ୍ରତି ପୃଷ୍ଠାରେ ଥିବା ପ୍ରଥମ ଓ ଶେଷ ଶବ୍ଦ ଦୁଇଟିକୁ ଟାଇପ୍ କରାଗଲା। ସ୍କାନ ପୃଷ୍ଠାଗୁଡ଼ିକୁ ପିଡିଏଫ୍ ଆକାରରେ ରଖାଗଲା ଏବଂ ପ୍ରତି ଶବ୍ଦ ଯୋଡ଼ାକୁ ସେହି ପୃଷ୍ଠା ସହ ଲିଙ୍କ୍ କରାଗଲା। ଯେପରି ସେହି ଶବ୍ଦ ଯୋଡ଼ାରେ କ୍ଲିକ୍ କଲେ ସିଧାସଳଖ ଭାଷାକୋଷର ସେହି ପୃଷ୍ଠା ଖୋଲିଯିବ।

୨୦୦୬ ମସିହା ଅଗଷ୍ଟ ମାସରେ ତିନି ଭାଗକୁ ନେଇ ପରୀକ୍ଷାମୂଳକ ସିଡି ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଗଲା। ଲୋକଙ୍କର ପ୍ରବଳ ଉତ୍ସାହ ଏ ଦିଗରେ ଦେଖାଦେଇଥିଲା। ନଭେମ୍ବର ୨୦୦୬ରେ ସାତଖଣ୍ଡଯାକ ଗୋଟିଏ ସିଡିରେ ଉପଲବ୍ଧ କରାଯାଇ ପାରିଲା। ବହୁତ ଅଳ୍ପ ମୂଲ୍ୟ ବିନିମୟରେ ସାଧାରଣ ଲୋକଙ୍କୁ ସିଡି ଯୋଗାଇ ଦିଆଗଲା। ଠିକ୍ ଏହି ସମୟରେ ଏହି ଗ୍ରନ୍ଥର ପୁନର୍ମୁଦ୍ରଣ ମଧ୍ୟ ଭୁବନେଶ୍ୱରର ଲାର୍କ ବୁକ୍ସ ଆରମ୍ଭ କରିଥିଲେ। ଏହା ଏକ ସଂଯୋଗ ଥିଲା। ଏକା ସମୟରେ ଦୁଇଟି ରୂପରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଲୋକଙ୍କ ପାଖରେ ପହଞ୍ଚିଲା। ଅବଶ୍ୟ କୋର୍ଟ କେଶ୍ ଯୋଗୁଁ ଏହାର ପ୍ରକାଶନ ବିଳମ୍ବିତ ହୋଇଥିଲା।

ଏହି ସମୟରେ ଜଣାପଡ଼ିଲା ଯେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟ ତରଫରୁ ଭାଷାକୋଷର ଡିଜିଟାଲ୍ ସଂସ୍କରଣ ପ୍ରସ୍ତୁତ କରାଯାଉଛି। ତାଙ୍କ ସହ ଯୋଗାଯୋଗ କରିବା ପରେ ଜଣାଗଲା ଯେ ସେମାନେ ବିଶେଷ ଆଗେଇ ପାରିନାହାନ୍ତି। ନଭେମ୍ବର ମାସରେ ସାତଖଣ୍ଡ ଯାକର କାମ ସରିବା ପରେ ସେମାନଙ୍କ ପାଖକୁ ସିଡି ପଠାଇ ଦିଆଗଲା। ସେମାନେ ଇଣ୍ଟର୍‌ନେଟ୍‌ରେ ପୂରା ମାତ୍ରାରେ ଖୋଜିହେବା ଭଳି ବା ସର୍ଚ୍ଚେବ୍‌ଲ୍ କରିହେବା ପରି ବ୍ୟବସ୍ଥା କରିବାକୁ ଚାହୁଁଥିଲେ। ତେଣୁ ସେମାନେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଡିଜିଟାଲ କପିରୁ ପୁନଃଟାଇପ୍ କରାଇଥିଲେ। କିନ୍ତୁ ଏଥିରେ ବହୁତ ଭୁଲ ଥିବା ଦେଖାଗଲା। ତେଣୁ ଚିକାଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ଟାଇପ୍‌ ହୋଇଥିବା ଫାଇଲ୍‌ଗୁଡ଼ିକୁ ସୃଜନିକା ପକ୍ଷରୁ ସଂଶୋଧନ କାମ କରାଗଲା। ଏଥିପାଇଁ ପ୍ରାୟ ୫ ବର୍ଷ ସମୟ ଲାଗିଲା ଓ ୨୦୨୨ ମସିହାରେ ଏହା ସମ୍ପୂର୍ଣ୍ଣ ହେଲା। ଚିକାଗୋ ବିଶ୍ୱବିଦ୍ୟାଳୟର ସୂଚନା ଅନୁସାରେ ତାଙ୍କ ଦକ୍ଷିଣ-ପୂର୍ବ ଏସୀୟ ଅଭିଧାନ ମଧ୍ୟରେ ଭାଷାକୋଷ ହେଉଛି ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ଅନ୍‌ଲାଇନ୍ ଅଭିଧାନ। ଏବେ ବି ଏଥିରେ ରହିଥିବା ଆଉକିଛି ଦୋଷତ୍ରୁଟିକୁ ସଂଶୋଧନ କରାଯାଉଛି।

ଏହାରି ଭିତରେ ସୃଜନିକା ତରଫରୁ ଡିଜିଟାଇଜେସନ୍ କାମ ଆହୁରି ଆଗେଇଲା। ଅଭିଧାନ ସଂଗ୍ରହଠାରୁ ଆରମ୍ଭ କରି ଓଡ଼ିଆ ପତ୍ରପତ୍ରିକା, ବହି ଓ କେତେକ ଲେଖକଙ୍କର ସମ୍ପୂର୍ଣ୍ଣ ରଚନା ସଂରକ୍ଷିତ ହେଲା। ଏତେ ଗୁଡ଼ିଏ ଜିନିଷ ସିଡି ମାଧ୍ୟମରେ ବିତରଣ କରିବା ଆଉ ସୁବିଧାଜନକ ହେଲାନାହିଁ। ତେଣୁ ଏକ ୱେବସ୍ଥଳୀ ଆରମ୍ଭ କରିବା ଯୋଜନା କରାଗଲା। ୨୦୧୭ ମସିହା ଏପ୍ରିଲ ମାସରେ କାମ ଆରମ୍ଭ ହୋଇ ନଭେମ୍ବର ୧୭ ତାରିଖରେ ଏହାର ଲୋକାର୍ପଣ କରାଗଲା। ସେତେବେଳେ ମାତ୍ର ୨୦୦ରୁ କିଛି ଅଧିକା ବହି, ୨୦ଟି ଖବରକାଗଜ, ୧୦୦ ପତ୍ରିକା ୱେବସ୍ଥଳୀରେ ରହିଥିଲା। ଏକ ସ୍ୱତନ୍ତ୍ର ବିଭାଗରେ ଭାଷାକୋଷ ରହିଥିଲା। ଏଥିରେ ସମ୍ପୂର୍ଣ୍ଣ ସାତୋଟି ଯାକ ଖଣ୍ଡ ଡାଉନ୍‌ଲୋଡ୍ କରିବାର ସୁବିଧା ରହିଥିଲା। ସିଡି ଭଳି ଏଥିରେ ମଧ୍ୟ ଶବ୍ଦ ଯୋଡ଼ା ରହିଥିଲା।

ବୈଷୟିକ ଜ୍ଞାନକୌଶଳ ବଢ଼ିବା ସହ ସୃଜନିକାରେ ହେଉଥିବା ଡିଜିଟାଇଜେସନ୍ କାମର ଧାରା ମଧ୍ୟ ସେହି ଅନୁସାରେ ଉନ୍ନତ ହେଲା। ଫଳରେ ସୃଜନିକା ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଭାଷାକୋଷ ତିନିଥର ଡିଜିଟାଇଜ୍ ହୋଇସାରିଲାଣି। ପ୍ରତିଥର ଏହାର ଗୁଣାତ୍ମକ ମାନ ବଢ଼ିଛି। ସେଗୁଡ଼ିକ ପରବର୍ତ୍ତୀ ସମୟର ଓଡ଼ିଆ ବିଭବରେ ଉପଲବ୍ଧ ହୋଇଛି। ଏବେ ଓଡ଼ିଆ ବିଭବରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ତିନୋଟି ରୂପ ଉପଲବ୍ଧ। ପ୍ରଥମଟି ହେଉଛି ଭାଗ ଅନୁସାରେ ପିଡିଏଫ୍ ଫାଇଲ୍, ଦ୍ୱିତୀୟଟି ଶବ୍ଦ ଟାଇପ୍ କରି ଭାଷାକୋଷର ମୂଳ ପୃଷ୍ଠାର ନକଲ ପାଇବା ଏବଂ ତୃତୀୟଟି ହେଉଛି ଶବ୍ଦ ଖୋଜି ସିଧାସଳଖ ଏହାର ବର୍ଣ୍ଣନା, ଅର୍ଥ ଆଦି ପାଇବା।

ଏହା ପରେ ୨୦୨୪ ବେଳକୁ ସାନୁଜିତ୍ ବାବୁ ଏହାକୁ ମୋବାଇଲ୍‌ରେ ବ୍ୟବହାର ଉପଯୋଗୀ କରିବା ପାଇଁ ପ୍ରୟାସ କଲେ। କିଛିଦିନର ପରୀକ୍ଷା ପରେ ସେ ଏକ ଆପ୍ ପ୍ରସ୍ତୁତ କଲେ। ଏହା ଗୁଗୁଲ୍ ପ୍ଲେଷ୍ଟୋର୍‌ରେ ଉପଲବ୍ଧ ହେଲା। ଲୋକମାନେ ଯେକୌଣସି ଜାଗାରେ ମୋବାଇଲ୍‌ରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଆ ଶବ୍ଦ ଓ ତା’ର ଅର୍ଥ ଖୋଜି ପାରିଲେ। କହିବାକୁ ଗଲେ ଦଶହଜାର ପୃଷ୍ଠାର ବିଶାଳ ଗ୍ରନ୍ଥ ଆମ ଆଙ୍ଗୁଠି ଟିପରେ ରହିଲା।  ବର୍ତ୍ତମାନ ତାକୁ ଆଉପଦେ ଆଗକୁ ନେଇଛନ୍ତି ସାନୁଜିତ୍ ବାବୁ। ଫଳରେ ବ୍ୟବାହରକାରୀ ୱେବ‌୍‌ସାଇଟ୍‌ରୁ ହିଁ ସିଧା ଭାଷାକୋଷରେ ଶବ୍ଦ ଖୋଜିପାରିବେ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଏହି ନିଆରା ଯାତ୍ରାରେ ଅନେକ ଲୋକଙ୍କ ସହଯୋଗ ରହିଛି। ତେବେ ଏହି ଆପ୍‌କୁ ଯେତେ ଅଧିକ ଲୋକ ବ୍ୟବହାର କରି ମତାମତ ଜଣାଇବେ, ଏହା ସେତେ ଉନ୍ନତ ହୋଇପାରିବ। ତେଣୁ ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଓଡ଼ିଆର ଭାଷାର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏଭଳି ଉଦ୍ୟମକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ।

 

ସୃଜନିକା

୧୦୧, ସରସ୍ୱତୀ କୁଞ୍ଜ, ଜାଗମରା ବଜାର ନିକଟ,

ଡାକ- ଖଣ୍ଡଗିରି, ଭୁବନେଶ୍ୱର – ୭୫୧୦୩୦

Email: srujanika@gmail.com

Website: https://odiabibhaba.in

Leave A Reply

Your email address will not be published.