ଭୁବନେଶ୍ୱର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନ ଓ ଚତୁର୍ଥ ଦିନନାଥ ପାଠୀ ସ୍ମାରକୀ ବକ୍ତୃତା ପ୍ରଦାନ ସଭା। ଏହି ଅବସରରେ ଶିଳ୍ପୀ ସାହିତ୍ୟିକ ଓ ବୁଦ୍ଧିଜୀବିଙ୍କଠାରୁ ଆରମ୍ଭ କରି ଯୁବ ପ୍ରତିଭା ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି ଆୟୋଜନରେ ଚଳିତ ବର୍ଷ ସୋନପୁରର ପ୍ରଖ୍ୟାତ ଗଞ୍ଜପା ଚିତ୍ରଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କୁ ଓଡ଼ିଶାର ପାରମ୍ପରିକ ଗଞ୍ଜପା କଳାର ସୁରକ୍ଷା ଓ ଅବିରତ ସାଧନା ପାଇଁ ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଦିନନାଥ ପାଠୀଙ୍କ ସାମଗ୍ରିକ କୃତି ଓ ତାର ସାମ୍ପ୍ରତିକ ଗୁରୁତ୍ଵ ସମ୍ପର୍କରେ ଏ ବର୍ଷର ଚତୁର୍ଥ ଦିନନାଥ ପାଠୀ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ନାସନାଲ ମନୁ୍ମେଣ୍ଟସ ଅଥରିଟିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା। ନିଜର ସନ୍ଦର୍ଭ ‘ଓଡ଼ିଶାର କଳା ସ୍ଥାପତ୍ୟ: ଏକ ଇତିହାସତାତ୍ତ୍ୱିକ ଅଧ୍ୟୟନ’ ଉପରେ ବ୍ୟାଖ୍ୟା କରିବା ସମୟରେ ସେ ଓଡ଼ିଶାର ସ୍ଥାପତ୍ୟ କଳା ଓ ପ୍ରସ୍ତର କଳା ସମ୍ପର୍କରେ ଏକ ଗଭୀର ପରୀକ୍ଷା ମୂଳକ ଆଲୋଚନା କରିଥିଲେ । ନିଜ ବକ୍ତବ୍ୟରେ ସେ ଦିନନାଥ ପାଠୀଙ୍କ ଚମତ୍କାର ବ୍ୟକ୍ତିତ୍ଵର ପରିପ୍ରକାଶ କରିବାକୁ ଯାଇ କବି ଓ ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ରଙ୍କ ଗୋଟିଏ ଇଂରାଜୀ ବାକ୍ୟର ଉଦ୍ଧାର କରିଥିଲେ (ଯାହାର ଓଡିଆ ଅନୁବାଦ କିଛି ଏହିପରି ଥିଲା), “କେବେ କେବେ ମୋର ମନରେ ପ୍ରଶ୍ନ ଉଠେ ଯେ ସେ ଶବ୍ଦର ସୃଜନଶୀଳ ପ୍ରୟୋଗରେ ଅଧିକ ପାରଙ୍ଗମ ଥିଲେ ନା ରେଖା ଓ ରଙ୍ଗର ଭାଷାରେ । ପ୍ରକୃତରେ, ଉଭୟ କ୍ଷେତ୍ରରେ ସେ ସମାନ ଭାବରେ ଅସାଧାରଣ ଥିଲେ । (Sometimes I wondered whether he was more competent in using words or drawing lines and paint. Indeed, he excelled in both).
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ବୈଜ୍ଞାନିକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି ଯୋଗଦେଇଥିଲେ। ନିଜ ଉଦବୋଧନରେ ସେ ଓଡ଼ିଶାର କଳା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ପ୍ରସାରର ଗୁରୁତ୍ୱ ଉପରେ ମତପ୍ରକାଶ କରିଥିଲେ। ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ । କେତକୀ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଜ୍ୟୋତିରଞ୍ଜନ ସ୍ୱାଇଁ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମତପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମଟି ଫେସବୁକ୍ ମାଧ୍ୟମରେ ସିଧାସଳଖ ପ୍ରସାରଣ କରାଯାଇଥିଲା, ଯାହା ଦ୍ୱାରା ଦେଶ ଓ ବିଦେଶର ଦର୍ଶକମାନେ ମଧ୍ୟ ଏହି ଆୟୋଜନ ସହ ଯୋଡ଼ିହେବାର ସୁଯୋଗ ପାଇଥିଲେ।
ଉଲ୍ଲେଖନୀୟ ଯେ ଜାତୀୟ ସ୍ତରରେ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠା ତଥା ଶିଳ୍ପୀ କଳାକାରଙ୍କ କଳାକୃତି ସମୂହର ସମୃଦ୍ଧି ଓ ସେଗୁଡ଼ିକ ସମ୍ପର୍କରେ ଉପଯୁକ୍ତ ଜନ ସଚେତନତା ସୃଷ୍ଟି କରିବା ଏବଂ ସେହି ସବୁ କଳାକୃତିଗୁଡ଼ିକୁ ସଂଗ୍ରହ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବା, ଶିଳ୍ପୀ କଳାକାରଙ୍କ କଳାକୃତି ଓ ଜୀବନୀ ସମ୍ପର୍କରେ ଗବେଷଣାମୂଳକ ତଥ୍ୟ ସଂଗ୍ରହ ଓ ପ୍ରକାଶନ, ତଥା ସମାଜର ସାମଗ୍ରିକ ଉନ୍ନତି ପାଇଁ କଳା ପ୍ରଦର୍ଶନୀ ଓ ଶିବିର, ଏବଂ ଗବେଷଣା ମାଧ୍ୟମରେ ଚାରୁ ଓ କାରୁ କଳା, ସ୍ଥାପତ୍ୟ କଳା ଓ ସଂସ୍କୃତି ସମ୍ପର୍କରେ ଶିକ୍ଷା ଭିତ୍ତିକ ଓ ସହଯୋଗମୂଳକ କାର୍ଯ୍ୟକ୍ରମ ଆଦି ଆୟୋଜନ ହେଉଛି କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଲକ୍ଷ୍ୟ।