ଗୁଣୁପୁର: ବିଷମକଟକର ଡଙ୍ଗରିଆ ଜନଜାତିଙ୍କ ଉନ୍ନତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଦେଶବିଦେଶରେ ପରିଚୟ ପାଇବ ଡଙ୍ଗରିଆଙ୍କ ଝାଡୁ । ଏଥିପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି ।
ପୂର୍ବରୁ ଜିଲ୍ଲାର କପାଡାଗୁଡା ସାଲ୍ ର ଚାହିଦା ବଜାରରେ ଶୀର୍ଷ ସ୍ଥାନରେ ରହିଛି । ଏବେ ରଙ୍ଗବେରଙ୍ଗ ଝାଡୁ ଜରିଆରେ ଡଙ୍ଗରିଆ ଜନଜାତିଙ୍କୁ ଏକ ନୂଆ ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ଏଥିପାଇଁ ବିଷମକଟକ ସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଦକ୍ଷତା ତାମିଲ ଶିବିରରେ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ତାଲିମ କେନ୍ଦ୍ରରେ ସୁଦୂର କୋଲକାତାର କାରିଗରମାନଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଷ୍ଟିଲ୍ ପାଇପ୍ ଓ ପ୍ଲାଷ୍ଟିକ୍ ପାଇପ୍ର ବ୍ୟବହାରରେ ପାରମ୍ପରିକ ଝାଡୁକୁ ଅତ୍ୟାଧୁନିକ ରୂପ ଦିଆଯାଉଛି ।
ତେବେ କେବଳ ଅତ୍ୟାଧୁନିକ ଝାଡୁ ପ୍ରସ୍ତୁତିକରଣରେ ଜିଲ୍ଲା ପ୍ରଶାସନ ଡଙ୍ଗରିଆଙ୍କୁ ସୀମିତ ରଖିନି । ଝାଡୁଗୁଡିକ ନୂତନ ତରିକାରେ ପ୍ରସ୍ତୁତ କରି ଅରମାସ୍ ଏବଂ ଓଡିଶା ଜୀବିକା ମିଶନ ଦ୍ୱାରା ଡଙ୍ଗରିଆଙ୍କଠାରୁ ସମସ୍ତ ଝାଡୁ କ୍ରୟ କରାଯାଇ ରାଜ୍ୟ, ଦେଶ ତଥା ବିଦେଶକୁ ରପ୍ତାନୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏପରିକି ଝାଡୁ ବିକ୍ରୟ ପାଇଁ ଇ-କମର୍ସ ସାଇଟ୍ ଆମାଜାନ୍ ସହ ଚୁକ୍ତି ମଧ୍ୟ ହୋଇଥିବା ଜଣାପଡିଛି । ଅନ୍ୟପଟେ ଡଙ୍ଗରିଆଙ୍କୁ ଝାଡୁ ମାଧ୍ୟମରେ ଏକ ଉନ୍ନତ ଜୀବନଶୈଳୀ ଦେବାକୁ ଉପଜିଲ୍ଲାପାଳ ଜେ. ସୋନାଲ ସରକାରୀ ତଥା ଅନ୍ୟ ସଂସ୍ଥାଙ୍କ ସହ ଆଲୋଚନା ଜାରି ରଖିଥିବା ସୂଚନା ରହିଛି ।
Comments are closed.