Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍ ବୈଠକ: ଓଡ଼ିଶା ସିଭିଲ୍ ସର୍ଭିସ ନିୟମ ସଂଶୋଧନ ସମେତ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମରେ ସଂଶୋଧନ ପ୍ରସ୍ତାବ ସମେତ ଏହି ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରିଛି ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଚାକିରି ନିୟମରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । ଯଦି କୌଣସି ସରକାରୀ କର୍ମଚାରୀଙ୍କ ଚାକିରି ଅବଧି ସମୟରେ ମୃତ୍ୟୁ ହୁଏ ତାଙ୍କ ପରିବାର ବର୍ଗଙ୍କୁ ତାଙ୍କ ଆର୍ଥିକ ପରିସ୍ଥିତି ନେଇ ଚାକିରି ପ୍ରଦାନ କରାଯିବ । ମୃତ୍ୟୁ ପରେ ମଧ୍ୟ ତାଙ୍କର ପରିବାର ବର୍ଗରୁ କେହି ଜଣେ ଆତ୍ମୀୟ ସରକାରୀ ଚାକିରୀ ପାଇପାରିବେ । ଏହି ବ୍ୟବସ୍ଥାକୁ ଆଜି ଅନୁମୋଦନ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ପୂର୍ବରୁ କେବଳ ଗ୍ରୁପ ସି ଏବଂ ଗ୍ରୁ ଡ଼ି କର୍ମଚାରୀ ମାନେ ଏହି ସରକାରୀ ସୁବିଧା ହାସଲ କରିପାରୁଥିଲେ ।

ଏହାବ୍ୟତୀତ, ରାଜ୍ୟରେ ଦୁଇଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିପାରିଛି । ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକରେ ଥିବା ସମସ୍ତ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ହେବ । ଏହି ପ୍ରକଳ୍ପ ଲାଗି ସମୁଦାୟ ୩୪୪ କୋଟି ଟଙ୍କା ବ୍ୟୟ ହେବାର ନିଷ୍ପତ୍ତି ହୋଇଛି ।

ସବୁଠାରୁ ବଡ଼ କଥାହେଲା, ଓଡ଼ିଶା ଖଣି ନିଗମ (ଓଏମସି)ର ଦୀର୍ଘକାଳୀନ ମିଆଦି ଲିଂକେଜକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିପାରିଛି ।

ଆଜିର ଏହି କ୍ୟାବିନେଟ ବୈଠକରେ ଗ୍ରହଣ କରାଯାଇଥିବା ସମସ୍ତ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ୨୦୨୦-୨୧ ରାଜ୍ୟ ବଜେଟ ଆସନ୍ତା ଫେବୃଆରୀ ୧୮ ତାରିଖରେ ଉପସ୍ଥାପନ ହେବାକୁ ଥିବା ବେଳେ ଏଥିରେ ୧.୫୦ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହେବ ।

Leave A Reply

Your email address will not be published.