ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟଲେଡି ଜିଲ ବାଇଡେନ ଦୁଇଦିନ ପରେ ଆସିଥାନ୍ତେ ଭାରତ ।ସାମିଲ ହୋଇଥାନ୍ତେ ଜି-୨୦ ସମ୍ମିଳନୀରେ । ଏହା ପୂର୍ବରୁ ଉଭୟଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପରେ ଜଣାପଡିଛି ଜିଲ ବାଇଡେନ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ତେବେ ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ଅଫିସ ପକ୍ଷରୁ କୁହାଯାଇଛି, ତାଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନାହିଁ । ସେ ଏବେ ଡେଲାବେୟର ସ୍ଥିତ ନିଜ ଘରେ ରହୁଛନ୍ତି । ତାଙ୍କର କମ୍ୟୁନିକେଶନ ଡାଇରେକ୍ଟର କହିଛନ୍ତି, ହ୍ୱାଇଟ ହାଉସ ମେଡିକାଲ ୟୁନିଟ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
୭୧ ବର୍ଷୀୟ ଜିଲ ବାଇଡେନ ପ୍ରଥମ ଥର ପାଇଁ ଅଗଷ୍ଟ ୧୬ ତାରିଖରେ ସାଉଥ କେରୋଲିନରେ ରାଷ୍ଟ୍ରପତିଙ୍କ ସହ ଛୁଟିରେ ଥିବାବେଳେ କୋଭିଡ ଆକ୍ରାନ୍ତ ହୋଇଥିଲେ । ସେତେବେଳେ ସେ ୫ ଦିନ ପାଇଁ କ୍ୱାରେଣ୍ଟିନରେ ଥିଲେ । କୋଭିଡ ରିପୋର୍ଟ ଆସିବା ପରେ ସେ ରାଷ୍ଟ୍ରପତିଙ୍କ ସହ ମିଶିବା ପାଇଁ ଅନୁମତି ପାଇଥିଲେ ।
ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ହ୍ୱାଇଟ ହାଉସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ବାଇଡେନ ସେପ୍ଟେମ୍ବର ୮ ତାରିଖରେ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହାପରେ ସେପ୍ଟେମ୍ବର ୯ ଏବଂ ୧୦ରେ ଜି-୨୦ ସମ୍ମିଳନୀରେ ଭାଗ ନେବେ ।
Comments are closed.