Latest Odisha News

BREAKING NEWS

କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ: ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା

ଭୁବନେଶ୍ବର : କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତ୍ତନ ଆଣିଛି । ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିଡ୍‌ର ସଂକ୍ରମଣ ଫଳରେ ଏହା ପୃଥିବୀର ସମୟକୁ କୋଭିଡ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ସୋଆ ବିଶ୍ବବିଦ୍ୟାଳୟ ଦ୍ୱାରା ଭର୍ଚୁଆଲରେ ଆୟୋଜିତ ଫୋର୍ଟନାଇଟଲି ଏକାଡେମିକ ଲେକ୍‌ଚର ପ୍ରଦାନ କରି ଡକ୍ଟର ଭୋରା କହିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ୪ଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରୁଛି । ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟସେବା, ଜଳବାୟୁରେ ସ୍ଥିରତା, ଅର୍ଥନୈତିକ ପୂର୍ନଃଜାଗରଣ ଓ ସନ୍ତ୍ରାସବାଦର ମୂଳୋତ୍ପାଟନ । କୋଭିଡ୍‌ର ବିଭୀଷିକା ମଧ୍ୟରେ ଭାରତ ଟୀକା ଉତ୍ପାଦନ କରି ୬୦ଟି ଦେଶକୁ ଯୋଗାଇ ପାରିବା କମ୍ କଥା ନୁହେଁ ବୋଲି ସେ କହିଥିଲେ । ସେ କହିଥିଲେ, ଏହି ଟୀକା ଉତ୍ପାଦନ କ୍ଷମତା ଭାରତ ପକ୍ଷରେ ଏକ ବିଶେଷ ସଫଳତା ଓ ନିରାଶାବାଦୀ ନ ହୋଇ ଦେଶର ସଫଳତା ଉପରେ ଦୃଷ୍ଟିପାତ କରିବା ଆବଶ୍ୟକ ।

ଜଳବାୟୁ ପରିବର୍ତ୍ତନ ଏକ ବିଶେଷ ଆହ୍ୱାନ ବୋଲି ବର୍ଣ୍ଣନା କରି ଡକ୍ଟର ଭୋରା କହିଥିଲେ ଯେ, ସୂର୍ଯ୍ୟାଲୋକ ବ୍ୟବହାର କରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି । ଏହା ଛଡ଼ା ୧୯୪୭ ମସିହାରେ ଭାରତର ସ୍ୱାକ୍ଷର ସଂଖ୍ୟା ଜନସଂଖ୍ୟାର ୧୨ ପ୍ରତିଶତ ହୋଇଥିବା ବେଳେ ଶୀଘ୍ର ଏହା ଶତ ପ୍ରତିଶତରେ ପହଞ୍ଚିବ । ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ବିଶ୍ବବିଦ୍ୟାଳୟ ବିଷୟରେ ବିବରଣୀ ରଖିଥିଲେ । ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର ପ୍ରଫେସର (ଡ) ଅମିତ ବାନାର୍ଜୀ, ପ୍ରୋ ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍‌, ଫାକଲ୍ଟି ମେମ୍ବର, ଛାତ୍ରଛାତ୍ରୀ, ୟୁନିଭର୍ସିଟି ଆଉଟ୍‌ରିଚ୍ ସେଲର କର୍ମକର୍ତ୍ତା ଓ ଅତିଥିମାନେ ଯୋଗ ଦେଇଥିଲେ । ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଡ: ଭୋରା ସୋଆ ପରିଦର୍ଶନରେ ଆସି ଏକ ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିଲେ । ଇଥିଓପିଆରୁ ଆସି ସୋଆରେ ଡକ୍ଟରେଟ୍ କରୁଥିବା ଛାତ୍ରୀ ସେଗ୍‌ନେଟ ମେନଜିତସୁ ଆବେବେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.