Latest Odisha News

BREAKING NEWS

ସୋନପୁରରେ ଗର୍ଜିଲେ ଶାହ; କହିଲେ, ‘ଓଡ଼ିଶାରେ ବିଜେପି ସରକାର ଆସିଲେ ଗରିବି ଦୂର ହେବ’

ସୋନପୁର: ଓଡିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁର ଜିଲ୍ଲାର ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ଶାହ । ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ଶାହ । ସେ କହିଛନ୍ତିଯେ, ନବୀନ ସରକାରଙ୍କ ୨୦ ବର୍ଷ ଶାସନକାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି । ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି । ତେଣୁ ଓଡ଼ିଶାକୁ ଏବେ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି ।

ଏହାସହ ଏଥର ଓଡିଶାରେ ବିଜେପି ସରକାର ଆଣିବା କି ନାହିଁ ବୋଲି ଓଡିଶାବାସୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହାସହ ଓଡିଶାରେ ୨୦ ଲୋକସଭା ସିଟ୍‌ ଜିତି ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା କି ନାହିଁ ସେ ଲୋକଙ୍କୁ ପଚାରିଛନ୍ତି ।

ଶାହ ଆହୁରି କହିଛନ୍ତି ଯେ, ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ଏଥର ବିଜେପିକୁ ୫ ବର୍ଷ ଦେଇ ଦେଖନ୍ତୁ । ୫ ବର୍ଷରେ କିପରି ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ । ଏଥିପାଇଁ ଆପଣଙ୍କର ଓ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଦରକାର । ଲୋକସଭା ସହ ଓଡ଼ିଶା ବିଧାନସଭାରେ ବହୁମତ ଦରକାର । ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ ବୋଲି ଶାହ ତାଙ୍କ ସମ୍ବୋଧନରେ କହିଛନ୍ତି ।

ଖଣିଜ ସଂପଦ ପ୍ରସଙ୍ଗ ଉଠାଇ ଶାହ କହିଛନ୍ତି ଯେ, ‘ଓଡ଼ିଶାରେ ପ୍ରଚୁର ପରିମାଣର ଖଣିଜ ସଂପଦ ରହିଛି । ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ । ରାଜ୍ୟ ସରକାର ଓଡ଼ିଶାର ଖଣିଜ ସଂପଦକୁ ଲୁଟି ଚାଲିଛନ୍ତି । ବିଜେପି ସରକାର ବନାନ୍ତୁ, ଖଣିଜ ସଂପଦର ସୁବିନିଯୋଗ ହେବ । ରାଜ୍ୟରେ ଏତେ ପରିମାଣର ଖଣିଜ ସମ୍ପଦ ଥିବା ସତ୍ତ୍ବେ ସବୁଠାରୁ ଅଧିକ ଗରିବ ବି ଏଇଠି । ଓଡିଶାର ଜନତା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ମୋଦି ସରକାର ଆସିଲେ ଆଉ ବାହାରକୁ ଦାଦନ ଖଟି ଯିବେନି ଓଡିଶାବାସୀ । ଏଇଠାରେ ହିଁ ମୋଦି ସରକାର ରୋଜଗାରର ସମସ୍ତ ବ୍ୟବସ୍ଥା କରିବେ’ ।

ଶାହା ନବୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି ହେଲେ, ନବୀନ ସରକାର ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି । କିନ୍ତୁ ଓଡ଼ିଶାବାସୀ ଜାଣିଛନ୍ତି ଚାଉଳ ଆଉ ଘର ମୋଦି ହିଁ ଦେଉଛନ୍ତି । ସେହିପରି ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ । ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ । ଓଡ଼ିଶାକୁ ୧୦ ବର୍ଷରେ ୪ ଲକ୍ଷ ୮୧ ହଜାର କୋଟି ଦେଇଛନ୍ତି ମୋଦି । ମୋଦିଙ୍କ ସବୁ ଅନୁଦାନକୁ ଏଠା ସରକାର ନିଜ ନାଁରେ ନେଇଯାଉଛି ବୋଲି କହି ଶାହ ବର୍ଷିଛନ୍ତି ।

ଏହାପରେ ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ ଶାହ । ହୋଟେଲରେ ପହଞ୍ଚିବା ସହ ଦଳୀୟ କର୍ମୀଙ୍କ ସହ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ ।

Leave A Reply

Your email address will not be published.