Latest Odisha News

BREAKING NEWS

ନର୍ଲାରେ ନୂଆ ପୁରୁଣା ଲଢେଇ

ଭୁବନେଶ୍ବର: କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଆସୁଥିବା ନର୍ଲା ବିଧାନସଭା ଦେଖିବ ବଡ ଲଢେଇ । ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକ ସହ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ରହିଥିବା ନର୍ଲାରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଗତଥରର ବିଜେତା ବିଜେଡିର ଭେଟେରାନ୍ ନେତା ଭୂପିନ୍ଦର ସିଂ ଏଥର ମଇଦାନରେ ନାହାନ୍ତି । ତାଙ୍କ ଜାଗାରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ଗତଥର ଭୂପିନ୍ଦରଙ୍କୁ ଟକ୍କର ଦେଇଥିବା କୃଷକ ନେତା ଅନିରୁଦ୍ଧଙ୍କ ଉପରେ ପୁଣି ଭରସା କରିଛି ବିଜେପି । ସେପଟେ ସାଂସଦ ମୋହ ଛାଡି ବିଧାନସଭା ଯୁଦ୍ଧ ଲଢିବାକୁ ନର୍ଲାରୁ ଓହ୍ଲାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ।

୨୦୦୯ରେ ନର୍ଲାରୁ କଂଗ୍ରେସ ଟିକେଟରୁ ଜିତିଥିଲେ ଭୂପିନ୍ଦର ସିଂ । ପରେ ସେ ହାତ ଛାଡି ବିଜେଡିରେ ମିଶିବା ସହ ରାଜ୍ୟସଭା ଯାଇଥିଲେ । ୨୦୧୯ରେ ବିଜେଡି ଟିକେଟରେ ଲଢି ଜିତିଥିଲେ ଭୂପିନ୍ଦର । ହେଲେ ଏଥର ତାଙ୍କ ଟିକେଟ୍ କାଟି ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ନର୍ଲାରୁ ପ୍ରଥମ ଥର ପାଇଁ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି । ଗତଥର ମନୋରମାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ସ୍ବାଧୀନ ଭାବେ ନିର୍ବାଚନ ଲଢି ୨୨ହଜାରରୁ ଅଧିକ ଭୋଟ ପାଇଥିଲେ । ତେଣୁ ପତ୍ନୀ ମନୋରମାଙ୍କ ପାଇଁ ଏହା ସହାୟକ ହୋଇପାରେ ।

ବିଜେପି ଅନିରୁଦ୍ଧ ପ୍ରଧାନଙ୍କୁ ପୁଣି ରିପିଟ୍ କରିଛି । ଗତଥର ଭୂପିନ୍ଦରଙ୍କଠାରୁ ହାରିଥିଲେ ବି ୪ପ୍ରତିଶତରୁ ଅଧିକ ଭୋଟ୍ ବଢାଇଥିଲେ ଅନିରୁଦ୍ଧ । କୃଷକ ନେତା ଭାବେ ଜଣାଶୁଣା ଅନିରୁଦ୍ଧ ଏଥର ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ସେପଟେ ଲୋକସଭା ଛାଡି ଏଥର ବିଧାନସଭା ବାଜି ଖେଳୁଛନ୍ତି ଭକ୍ତ ଦାସ । ବିଧାନସଭା ଆସନରେ କଂଗ୍ରେସର ସ୍ବତନ୍ତ୍ର ଭୋଟବ୍ୟାଙ୍କ ରହିଛି । ସମର୍ଥକଙ୍କୁ ଏକଜୁଟ କରି ଚବିଶ ଲଢେଇ ପାଇଁ ରଣନୀତି କରୁଛନ୍ତି ଭକ୍ତ ।

Leave A Reply

Your email address will not be published.