Latest Odisha News

BREAKING NEWS

ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ ହେଉଛନ୍ତି ସମ୍ବିତ ପାତ୍ର । “ପୁରୀ ଲୋକସଭାବାସୀଙ୍କ ସେବାରେ ଡକ୍ଟର ସମ୍ବିତ ପାତ୍ରଙ୍କ ୫ ବର୍ଷ” ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ଡକ୍ଟର ସମ୍ବିତ ପାତ୍ର ତାଙ୍କର ୫ ବର୍ଷର ସେବା କାମ ବିଷୟରେ ଉଲ୍ଲେଖ କରିଛନ୍ତି ।

ରିପୋର୍ଟ୍ କାର୍ଡ ସମ୍ବନ୍ଧରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଭକ୍ତଜନ ପୁରୀ ଜଗନ୍ନାଥ ଧାମରେ ପାଦ ଦିଅନ୍ତି । ୨୦୧୯ ମସିହାରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀ ଲୋକସଭାବାସୀଙ୍କ ସେବା କରିବା ପାଇଁ ଓ ଏହି କାର‌୍ୟ୍ୟ ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମୋ ଉପରେ ଦୃଢ଼ ବିଶ୍ବାସ ମୋତେ ବଳ ଦେଇଥିଲା । କିନ୍ତୁ ୨୦୧୯ ମସିହା ନିର୍ବାଚନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୋ ପରୀକ୍ଷା ନେଇଥିଲେ, ମୋତେ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା । କିନ୍ତୁ ପରାଜୟ ପରେ ମଧ୍ୟ ମୁଁ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଞ୍ଚା ଦେଇନି। ବିନା କୌଣସି ପଦ ପଦବୀରେ ମୁଁ ପୁରୀ ଲୋକସଭାବାସୀଙ୍କ ସେବା ପାଇଁ ନିଷ୍ଠାର ସହ କାର‌୍ୟ୍ୟ କରୁଛି । ଆଜି ମୁଁ ଆପଣ ସମସ୍ତଙ୍କ ସମ୍ମୁଖରେ ୨୦୧୯ରୁ ୨୦୨୪ ପର‌୍ୟ୍ୟନ୍ତ ପୁରୀ ଲୋକସଭାବାସୀଙ୍କ ସେବାରେ କରିଥିବା କାର‌୍ୟ୍ୟର ଏକ ବିବରଣୀ ପ୍ରସ୍ତୁତ କରୁଛି ଓ ଏହି ରିପୋର୍ଟ କାର୍ଡରେ ପୁରୀ ଲୋକସଭାର ସାତଟି ବିଧାନସଭା ଯଥା: ପିପିଲି, ସତ୍ୟବାଦୀ, ପୁରୀ, ବ୍ରହ୍ମଗିରି, ଚିଲିଜା, ରଣପୁର ଓ ନୟାଗଡ଼ରେ ମୋ ମାଧ୍ୟମରେ ହେଇଥିବା ଜନକଲ୍ୟାଣକାରୀ କାର‌୍ୟ୍ୟ ବିଷୟରେ ସମ୍ୟକ ସୂଚନା ଦିଆ ଯାଇଛି ଓ ଆଶା କରୁଛି ଆପଣମାନେ ଏହାର ସମୀକ୍ଷା କରିବେ ଓ ଏଥର ପୁରୀ ଲୋକସଭା ପାଇଁ ମୋତେ ଜନ ପ୍ରତିନିଧି ଭାବେ ଚନୟ କରି ସେବା ପାଇଁ ସୁଯୋଗ ଦେବେ।

ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ପୁରୀ ଲୋକସଭା କ୍ଷେତ୍ର ଅଞ୍ଚଳରେ ରାଜରାସ୍ତାର ବିକାଶ, ରେଳସେବାର ବିକାଶ, ଦିବ୍ୟଙ୍ଗଙ୍କ ସାମାଜିକ ଉତ୍ଥାନ, ଡାକସେବା କାର‌୍ୟ୍ୟାଳୟ ଖୋଲିବା ପାଇଁ ଉଦ୍ୟମ, କୃଷକଙ୍କ ଆର୍ଥିକ ବିକାଶ, ସେବାକାର‌୍ୟ୍ୟ, ଜନତାଙ୍କ ସହ ସିଧା ସମ୍ବାଦ ଜରିଆରେ ପୁରୀ ଲୋକସଭାବାସୀଙ୍କ ସମସ୍ୟାର ସମାଧାନ, ଚିଲିକା ମୁହାଣରେ ଆଲୋକୀକରଣ, ବୁଣାକାରଙ୍କ ବିକାଶ, ନିରନ୍ତର ସଂସ୍କୃତି ପ୍ରବାହ ପାଇଁ ଆର୍ଥିକ ସହଯୋଗ ଆଦି କ୍ଷେତ୍ରରେ ଡକ୍ଟର ସମ୍ବିତ ପାତ୍ରଙ୍କ ନିରନ୍ତର ପ୍ରୟାସ ବାବଦରେ ଉଲ୍ଲେଖ ରହିଛି।
ଅନ୍ୟ ପକ୍ଷରେ ପୁରୀ ଲୋକସଭା ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ, ମାତୃଶକ୍ତି ସଶକ୍ତିକରଣ ଏବଂ ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ପ୍ରୟାସ ଆଦି ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।

ଏହି ରିପୋର୍ଟ କାର୍ଡ ଉନ୍ମୋଚନ କାର‌୍ୟ୍ୟକ୍ରମରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ପୁରୀ ଲୋକସଭା ପ୍ରଭାରୀ ଅମିୟ ଦାସ, ସହ ପ୍ରଭାରୀ ଶଙ୍କର ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

 

Leave A Reply

Your email address will not be published.