Latest Odisha News

BREAKING NEWS

ସମ୍ କୋଭିଡ଼୍ ହସ୍ପିଟାଲରେ ୧୧ବର୍ଷୀୟ ବାଳିକାର ସଫଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର: କୋଭିଡ଼୍ ସଂକ୍ରମିତ ଜଣେ ୧୧ବର୍ଷୀୟ ବାଳିକାଙ୍କ ସଫଳ ଅସ୍ତ୍ରୋପ୍ରଚାର। ସମ୍ କୋଭିଡ଼ ହସ୍ପିଟାଲରେ ଏହି ଅସ୍ତ୍ରୋପ୍ରଚାର କରାଯାଇଛି। ବାଳିକାଙ୍କ ଆପେଣ୍ଡିସାଇଟିସ୍ ସମସ୍ୟା ଥିଲା। ତାଙ୍କ ଅସ୍ତ୍ରୋପ୍ରଚାର କରିଥିଲେ ସମ୍ ଶିଶୁରୋଗ ଅସ୍ତ୍ରୋପ୍ରଚାର ବିଭାଗର ଡ଼ାକ୍ତର।

ବାଳିକା ଜଣକ ହେଉଛନ୍ତି ଭୁବନେଶ୍ୱର ପଟିଆ ଅଞ୍ଚଳର। ତାଙ୍କ ତଳିପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଗତ ୨୭ତାରିଖରେ ସେ ସମ୍ ହସ୍ପିଟାଲକୁ ଆସିଥିଲେ। ପରୀକ୍ଷା କରାଯିବା ପରେ ସେ କୋଭିଡ଼୍ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଅସ୍ତ୍ରୋପ୍ରଚାର କରିବା ପାଇଁ ସମ୍ ହସ୍ପିଟାଲର ଶିଶୁରୋଗ ଅସ୍ତ୍ରୋପ୍ରଚାର ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଲଳିତ ପରିଡ଼ା ନିଷ୍ପତି ନେଇଥିଲେ।

କୋଭିଡ଼ ହସ୍ପିଟାଲରେ ସମସ୍ତ କୋଭିଡ଼୍ ନିୟମକୁ ପାଳନ କରି ବାଳିକାର ଆପେଣ୍ଡେକ୍ଟୋମି କରାଯାଇଥିଲା। ପୂର୍ବରୁ ଅଲଟ୍ରାସାଉଣ୍ଡରେ କେବଳ ଆପେଣ୍ଡିସାଇଟିସ୍ ଚିହ୍ନଟ ହୋଇଥିଲା। ହେଲେ ଅପରେସନ ସମୟରେ ପେଟରେ ପ୍ରାୟ ଦେଢ଼ ସେମିର ଷ୍ଟୋନ୍ ମଧ୍ୟ ଥିବା ଜଣାପଡ଼ିଥିଲା। ସର୍ଜରୀ ପରେ ବାଳିକାର ଶରୀରରୁ ଏହା କଢ଼ାଯାଇଥିଲା। ଏହି ସର୍ଜରୀରେ ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ଡ଼ଃ ସ୍ୱସ୍ତିକା ସ୍ୱାରୋ ସହଯୋଗ କରିଥିଲେ। ସର୍ଜରୀ ପରେ ଆଇସିୟୁରେ ତାର ଚିକିତ୍ସା ଓ ଯତ୍ନ ନେଇଥିଲେ ଶିଶୁରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ତର ମୃଣ୍ମୟ ଦାସ ମହାପାତ୍ର ଓ ଡ଼ଃ ଶୁଭଶ୍ରୀ ବେଉରା। ଝିଅଟି ସୁସ୍ଥ ହେବା ପରେ ସମ୍ କୋଭିଡ଼ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ବାପା ଅଜୟ ନାୟକ।

Leave A Reply

Your email address will not be published.