ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ପ୍ରାୟ ତିରିଶ ବର୍ଷ ତଳେ ଆମ ଗାଁକୁ ଆସିଥିଲେ ପ୍ରିୟନାଥ ବାବୁ। ସେତେବେଳେ ବୟସ ଏଇ ବାଇଶ କି ତେଇଶ ହେବ। ଭେଣ୍ଡିଆ ପିଲା। ନୂଆ କରି ଆମ ଗାଁ ପାଖରେ ତାଙ୍କୁ ଅସ୍ଥାୟୀ ଚାକିରି ଖଣ୍ଡେ ମିଳିଛି। ଆମ ଗାଁରୁ ପ୍ରିୟନାଥଙ୍କ ଗାଁ ପାଖାପାଖି ତିନିଶ କିଲୋମିଟର ହେବ। ତେଣୁ ଗାଁରୁ ତ ଆଉ ସେ ଯିବାଆସିବା କରି କାମ କରିପାରିବେ ନାହିଁ। ସେଥିପାଇଁ ବାଧ୍ୟ ହୋଇ ସେ ଆମ ଗାଁ ସାହୁକାରଙ୍କ ଘର ବଖରାଏ ଭଡ଼ା ନେଇ ସେଇଠି ରହୁଛନ୍ତି। ସେ ନୂଆ ହେଉ ବା ପୁରୁଣା, ସାଧାରଣତଃ ବାହାର ଗାଁରୁ କୌଣସି ଲୋକ ଆସିଲେ, ଆମ ଗାଁ ଲୋକେ ତାଙ୍କୁ ବଡ଼ ମର୍ଯ୍ୟାଦାର ସହ ବ୍ୟବହାର କରନ୍ତି। ଖୁବ୍ ସମ୍ମାନ ଦିଅନ୍ତି। ନୂଆକରି ଯେତେବେଳେ ପ୍ରିୟନାଥ ଆମ ଗାଁକୁ ଆସିଲେ, ପ୍ରଥମେ ସେ ଘର ଖଣ୍ଡିଏ ଯୋଗାଡ଼ କରିବା ପୂର୍ବରୁ, ଆମ ଗାଁ କ୍ଲବ୍ ଘରେ ରହିଲେ। ଗାଁର ଭେଣ୍ଡିଆ ପିଲାମାନଙ୍କ ଯୁବକ୍ଲବ୍ ସେଇଟା। ମୂଳତଃ ଗାଁର ଭଲମନ୍ଦ କାମଠାରୁ ଆରମ୍ଭ କରି, ବିଭିନ୍ନ ଉନ୍ନତିମୂଳକ କାମ, ଗାଁର ସଫେଇ, ସ୍କୁଲର ପରିଚାଳନା ଇତ୍ୟାଦି କାମ କରେ ଏହି କ୍ଲବ୍। ସେ କ୍ଳବରେ ଗାଁର ସବୁ ପିଲା ସ୍ୱେଚ୍ଛାସେବୀ। ଚାରି ପାଞ୍ଚ ଜଣ ନେତୃତ୍ୱ ନିଅନ୍ତି। ଜଣେ ସଭାପତି ଆଉ ଜଣେ ସମ୍ପାଦକ। ବାକି ସମସ୍ତେ ସହଯୋଗୀ। ଗାଁର ସବୁ କାମରେ କ୍ଲବ୍ ସବୁଠୁ ଆଗରେ। ଗାଁ କ୍ଲବର କୌଣସି ସଦସ୍ୟ କ୍ଲବଘରେ ଶୁଅନ୍ତି ନାହିଁ କିମ୍ବା ରହନ୍ତି ନାହିଁ। ରାତି ହେଲେ ଯିଏ ଯାହା ଘରକୁ। କିନ୍ତୁ ପ୍ରିୟନାଥ ଆସିଲା ପରେ, ସେ ସେଇ କ୍ଲବ୍ ଘରେ ରାତ୍ରିଯାପନ ଆରମ୍ଭ କରିଦେଲେ। ଗାଁ ପିଲାମାନେ ଭାବୁଥିଲେ, ଇଏ ବୋଧେ ସପ୍ତାହେ କି ପନ୍ଦର ଦିନ ରହି, ନିଜ ବ୍ୟବସ୍ଥା କରି ସେଠାରୁ ଚାଲିଯିବେ। କିନ୍ତୁ ସେମିତି କିଛି ହେଲାନି। ଓଲଟା, ସେ ଗାଁ କ୍ଲବର ସଦସ୍ୟମାନଙ୍କୁ ସଲାସୁତରା କରି ଆମ ଗାଁ କ୍ଲବର ସଦସ୍ୟତା ନେବା ଦିଗରେ ନିଜର ଆଗ୍ରହ ପ୍ରକାଶ କଲେ। ସେହିମାସର ଶେଷ ରବିବାର ଦିନ ଯେତେବେଳେ ଗାଁ କ୍ଲବ ପିଲାଙ୍କ ମାସିକ ବୈଠକ ବସିଲା, ସେଇଠି ସେଇ ବୈଠକରେ ସେ ବି ବସିଲେ। ଆମେ ଜଣେ ଦୁଇ ଜଣ ଏହାକୁ ନେଇ ପ୍ରଶ୍ନ ଉଠାଇଲୁ। ଆମର ଯୁକ୍ତି ଥିଲା ଯେ, ବୈଠକରେ ଗାଁ କଥା ଆଲୋଚନା ହେବ। ଯାହାକି ଆମର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର। ବାହାର ଗାଁ ଲୋକ ସେହି ବୈଠକରେ ବସିବାର ଯଥାର୍ଥତା କେତେ? ତେବେ ସେଇ ବୈଠକରେ ସେ ସଭାପତି ଓ ସମ୍ପାଦକଙ୍କୁ ଗୋଟିଏ ଲମ୍ବାଚଉଡ଼ା ନମସ୍କାର କରି ନିଜ ଅଭିପ୍ରାୟ ସ୍ପଷ୍ଟ କରିଦେଲେ। ସେ କହିଲେ, ମୁଁ ଏଇଠି ଯେତେବେଳେ ଚାକିରି କରିବି, ଆଉ କଣ ମୋ ନିଜ ଗାଁକୁ ଯିବାର କୌଣସି ସୁଯୋଗ ଅଛି? କାରଣ ମୋର ଏ ଚାକିରିରେ ବଦଳି ନାହିଁ। ତେଣୁ ଏହା ସ୍ଥାୟୀ ଚାକିରି। ଅବସର ନେବା ଯାଏଁ ମୁଁ ଏଇଠି ରହିବି। ତେଣୁ ଏଇଟା ମୋର ଗାଁ। ସେଥିପାଇଁ ମୁଁ ଏ ଗାଁ କ୍ଲବର ସଦସ୍ୟ ହେଲେ ଅସୁବିଧା କେଉଁଠି? ଆପଣମାନେ ନିଜେ କହୁନାହାନ୍ତି। ପ୍ରିୟନାଥଙ୍କ ଏ ପ୍ରିୟବାକ୍ୟ ଶୁଣି ସଭାପତି ସମ୍ପାଦକ ଏବଂ ଅନ୍ୟ ଯେଉଁମାନେ ଗତ କିଛି ଦିନ ହେଲା ତାଙ୍କ ସହ ସଲାସୁତରାରେ ଥିଲେ, ସେମାନେ ଗୋଟିଏ ବଡ଼ ସମ୍ମତି ଜଣାଇଲେ। ଆଉ ସେଇଦିନ ହିଁ ଗାଁ କ୍ଲବର ସଦସ୍ୟ ପାଲଟିଗଲେ ପ୍ରିୟନାଥ। ଏଇ କଥାଟା ମୋତେ ଏବଂ ମୋର ଆଉ ଜଣେ ଦୁଇ ଜଣ ସାଙ୍ଗକୁ ଟିକିଏ ଅଡୁଆ ଲାଗିଲା। ଆମେ କହିଲୁ, କିଛି ଦିନ ତାଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରାଯାଉ, ତା ପରେ ସଦସ୍ୟତା ଦିଆଗଲେ ଅସୁବିଧା କଣ? ତେବେ ଆମ କଥାକୁ କେହି ଶୁଣିଲେ ନାହିଁ। ଆମର ଯୁକ୍ତି ଥିଲା ଯେ, ଅଜ୍ଞାତ କୁଳଶୀଳସ୍ୟ ବାସୋନଦେୟଃ । ଅଜଣା ଲୋକକୁ ସ୍ଥାନ ଦେବା ଅନୁଚିତ। କିନ୍ତୁ ଅନ୍ୟମାନଙ୍କ ଯୁକ୍ତି ଥିଲା, ଅତିଥି ଦେବୋ ଭବ। ସେ ଯାହା ହେଉ, ଗାଁ କ୍ଲବର ସଦସ୍ୟତା ମିଳିଲା ପ୍ରିୟନାଥଙ୍କୁ। ସେଦିନ ବୈଠକ ଶେଷ ହେବା ପୂର୍ବରୁ, କେଜାଣି କାହିଁକି ମୋର ଷଷ୍ଠେନ୍ଦ୍ରିୟ କହିଲା, ଆମ କ୍ଲବର ଶେଷ ଦିନ ଆସିଗଲା। ମୁଁ ସମସ୍ତଙ୍କ ଆଗରେ କହିଦେଲି, ସମୟ ହିଁ କହିବ, ଏ କ୍ଲବର ଆୟୁଷ କେତେ?
ସତକୁ ସତ ସେଇଆ ହିଁ ହେଲା। କିଛି ଦିନ ଯାଏଁ କ୍ଲବ ଘରେ ଡେରା ପକାଇଲେ ପ୍ରିୟନାଥ। ସମସ୍ତଙ୍କ ପ୍ରିୟପାତ୍ର ହେବା ପାଇଁ କେତେବେଳେ କାହାକୁ କିଛି ଖାଦ୍ୟ ପ୍ରସ୍ତୁତ କରି ଖୁଆଇ ଦେଲେ ତ, ପୁଣି କେତେବେଳେ ଗାଁର ମୁରବୀ ସ୍ଥାନୀୟ ଲୋକଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରି ଅତି ଭକ୍ତିର ସମସ୍ତ ଲକ୍ଷଣ ପ୍ରଦର୍ଶନ କଲେ। କିଏ କାହା ବିଲରୁ ପନିପରିବା ବୋଝ ମୁଣ୍ଡାଇ ଆସିଲା ବେଳେ, ତାକୁ ଟିକିଏ ହାତ ଲଗାଇ ଦେଲେ। କାହାପାଇଁ ହାଟରୁ ପରିବା ବ୍ୟାଗ ବୋହି ଧରି ଆସିଲେ ତ ପୁଣି କାହାର ଲୁଗା ବୁଜୁଳାକୁ ଇସ୍ତ୍ରୀ କରାଇବା ପାଇଁ ଲଣ୍ଡ୍ରିରେ ନେଇ ପହଞ୍ଚାଇ ଦେଲେ। ସମସ୍ତଙ୍କ ସାମ୍ନାରେ ହସ ହସ ବଦନ। ଧୀରେ ଧୀରେ ଲୋକଙ୍କ ଆସ୍ଥା, ବିଶ୍ୱାସ ଏବଂ ମନ ଜିଣିବାରେ ଲାଗିଲେ ପ୍ରିୟନାଥ। ଦୁଇ ତିନି ମାସ ଭିତରେ ପ୍ରିୟନାଥ ପାଲଟିଯାଇଥିଲେ ପୂରା ଆମ ଗାଁ ଲୋକ। ବାହାରୁ କେହି ଆସିଲେ କେବେ ତାକୁ ଲାଗୁନଥିଲା ଯେ, ପ୍ରିୟନାଥ ଆମ ଗାଁ ଲୋକ ନୁହନ୍ତି ବୋଲି। କିନ୍ତୁ ଭିତରେ ଭିତରେ ଚାଲିଥାଏ ପ୍ରିୟନାଥଙ୍କ ପ୍ରପଞ୍ଚ। ଗାଁ କ୍ଲବ୍ ସଦସ୍ୟଙ୍କୁ ଜଣକ ବିରୋଧରେ ଜଣକୁ କହି ଧୀରେ ଧୀରେ ଫାଟ ସୃଷ୍ଟି କରିବା ଥିଲା ତାଙ୍କ ଉଦ୍ଦେଶ୍ୟ। ଏଥିରେ ସେ ସଫଳ ହେଲେ। ମାତ୍ର ପାଞ୍ଚ ମାସ ପରେ ଗାଁ କ୍ଲବର ମାସିକ ସଭାରେ ସଭାପତି ସମ୍ପାଦକ ପରସ୍ପର ବିରୋଧରେ କହିବା ଆରମ୍ଭ କରିଦେଲେ। ସଦସ୍ୟମାନେ ଦୁଇ ଭାଗ ନହୋଇ ତିନି ଚାରି ଗୋଷ୍ଠୀରେ ପରିଣତ ହେଲେ। କଥା ହାତ ଉଠାଉଠି ଯାଏଁ ଗଲା। ଗାଁରେ ଗଣ୍ଡଗୋଳ ଝଗଡ଼ା ହେଲେ ତାର ସମାଧାନ କରୁଥିଲା କ୍ଲବ୍। ହେଲେ ଏବେ କ୍ଲବରେ ଯେଉଁ ଝଗଡ଼ା ଲାଗିଲା, ତାକୁ ସମାଧାନ କରିବ କିଏ? କ୍ଲବର ଉପଦେଷ୍ଟା ଥିବା ବରିଷ୍ଠ ସଦସ୍ୟମାନେ ପ୍ରସ୍ତାବ ଦେଲେ ପ୍ରିୟନାଥଙ୍କୁ ସଭାପତି ଦାୟିତ୍ୱ ଦିଆଯାଉ। ପ୍ରିୟନାଥ ମନେ ମନେ ବଡ଼ ଖୁସି। କିନ୍ତୁ ଏକଥାକୁ ସମର୍ଥନ କରୁନଥିଲେ ସବୁଠୁ କନିଷ୍ଠ ସଦସ୍ୟମାନେ। ଭେଣ୍ଡିଆ ପିଲାଏ, ପାଟିତୁଣ୍ଡ କରି ହୋହଲ୍ଲା କଲେ। କହିଲେ, ବାହାର ଲୋକଟିଏ ଗାଁ କ୍ଲବର ସଭାପତି ହେବ କାହିଁକି? ଗୋଟିଏ କାମ କରାଯାଉ, କ୍ଲବକୁ ଭାଙ୍ଗି ଦିଆଯାଉ। ଏଣିକି ଗାଁ ଲୋକେ ଗାଁ କଥା ବୁଝିବେ। ଆଉ କେହି କିଛି ବୁଝିବା ଦରକାର ନାହିଁ। ସୋନୁ, ମୁନା, ହର, ସାଇ ଭଳି ପିଲାମାନେ ନିଆଁଖଣ୍ଡ ହୋଇ ଗାଁ କ୍ଲବ ଘରେ ଭଙ୍ଗାରୁଜା କଲେ। ସେଦିନ ରାତିରେ ପ୍ରିୟନାଥଙ୍କ ସବୁ ଜିନିଷକୁ କ୍ଲବ ଘରୁ ବାହାରକୁ ଫିଙ୍ଗିଦେଲେ ସେମାନେ। ତାପରେ କ୍ଲବ ଘରେ ତାଲା ପଡ଼ିଲା। ସେବେଠୁ ଆଉ କେବେ କ୍ଲବ ଘରର ତାଲା ଖୋଲିନି।
ପ୍ରିୟନାଥ ରାତାରାତି ଗାଁ ସାହୁକାରଙ୍କ ପାଖକୁ ଯାଇ, ତାଙ୍କର ଗୋଟିଏ ବଖରା ଘର ଭଡ଼ାରେ ନେଇ ସେଇଠି ରହିଲେ। ଗାଁ ସାହୁକାର କି ଛାଡ଼ିବା ଲୋକ? ଛୋଟ ମୋଟ ସବୁ କାମ ପ୍ରିୟନାଥଙ୍କ ଦ୍ୱାରା କରାଇଲେ। ଏପରିକି ତାଙ୍କ ଘରେ ଭଡ଼ାରେ ରହିବା ପରେ, ପ୍ରିୟନାଥଙ୍କ ନିତିଦିନିଆ କାମ ପାଲଟି ଗଲା, ହାଟରୁ ତାଙ୍କ ସଉଦା ପତ୍ର ଆଉ ପରିବା ବୁଜୁଳା ବୋହି ଆଣିବା। ଗାଁ କ୍ଲବ୍ ଭାଙ୍ଗି ଯିବା ପରେ ଆଉ ଗାଁର ଯୁବକମାନଙ୍କ ଭିତରେ ଏକତା ନଥିଲା। ତେଣୁ କାହାର କିଛି ଅସୁବିଧା ହେଲେ, କେହି ଆଉ କାହା ପାଖରେ ଠିଆ ହେଉନଥିଲେ। ଏହାର ସବୁଠୁ ବଡ଼ ଫାଇଦା ହେଲା ପ୍ରିୟନାଥଙ୍କୁ। କାରଣ ସେ ଯଦି କିଛି ଭୁଲଭଟକା କରିଦିଅନ୍ତି, ତାହେଲେ ତାଙ୍କ ବିରୋଧରେ ସ୍ୱର ଉଠାଇବା ପାଇଁ ଆଉ କେହି ନାହାନ୍ତି। ତେବେ ପ୍ରିୟନାଥ କି ସହଜ ଲୋକ? ଏବେ ତାଙ୍କ ଦୃଷ୍ଟି ଥିଲା ସାହୁକାରଙ୍କ ଦୁଇ ପୁଅଙ୍କ ଉପରେ। ଉଭୟଙ୍କ ଭିତରେ ଫାଟ ସୃଷ୍ଟି କରାଇବା ଥିଲା ତାଙ୍କ ମୂଳ ଲକ୍ଷ୍ୟ। ଏମିତି ହିଁ ଜଣକ ବିରୋଧରେ ଜଣକୁ କହି, ସେମାନଙ୍କ ଭିତରେ ଅପଡ଼ କରାଇବାରେ ସଫଳ ହୋଇଥିଲେ ସେ। ପରିସ୍ଥିତି ଏମିତି ହେଲା ଯେ, ବୁଢ଼ା ସାହୁକାର ମରିଲା ବେଳକୁ, ଦୁଇ ଭାଇ ପରସ୍ପରର ମୁହଁ ଚାହିଁବାକୁ ବି ନାରାଜ। ବୁଢ଼ା ମରିବା କ୍ଷଣି ଜମି ବାଡ଼ି ଘରଦ୍ୱାର ସବୁ ଭାଗବଣ୍ଟା ହେଲା।
ଏସବୁ ଭିତରେ ପ୍ରିୟନାଥଙ୍କ ଦୃଷ୍ଟିଥିଲା ଗାଁ ମନ୍ଦିର ଉପରେ। କାରଣ ଗାଁ ମନ୍ଦିରର ପରିଚାଳନା ଦାୟିତ୍ୱ ରହିଛି ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଉପରେ। ମନ୍ଦିର ପରିଚାଳନାରେ ଅଛନ୍ତି ଗାଁର ସବୁଠୁ ବୟସ୍କ ବ୍ୟକ୍ତିମାନେ। କାହାରି ଜଣକର ବୟସ ପଞ୍ଚସ୍ତରୀରୁ କମ୍ ନୁହେଁ। ବର୍ଷ ବର୍ଷ ଧରି ସେମାନେ ଗାଁ ମନ୍ଦିରର ସମସ୍ତ ପୂଜା ରୀତିନୀତି ସାଙ୍ଗକୁ ବାର୍ଷିକ ଉତ୍ସବ, ଗାଁ ଯାତ୍ରା, ସେ ସବୁ ପରିଚାଳନା କରିଆସୁଛନ୍ତି। ଗାଁର ଭେଣ୍ଡିଆ ପିଲାମାନେ, ସେହି ମୁରବୀ ସ୍ଥାନୀୟ ଲୋକଙ୍କ ନିର୍ଦ୍ଦେଶ ମୁତାବକ ସବୁ କାମ କରୁଛନ୍ତି। ଭୁଲଭଟକା, ନୀତିନିୟମ ସେ ସବୁକୁ ପରିଚାଳନା କରୁଥାନ୍ତି ବୟସ୍କମାନେ। ଏବେ ପ୍ରିୟନାଥ ଏହି ଭେଣ୍ଡିଆ ପିଲାଙ୍କୁ ମତାଇ ବୟସ୍କଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି। ଗାଁ କମିଟି ବୈଠକରେ ଯଦିଓ ପ୍ରିୟନାଥଙ୍କ କିଛି କହିବାର ଅଧିକାର ନାହିଁ, କିନ୍ତୁ ସେ କହିବାକୁ ଚାହୁଁଥିବା କଥାସବୁ ଏଇ ଭେଣ୍ଡିଆ ପିଲାମାନେ କହୁଛନ୍ତି। ମାନେ ପ୍ରିୟନାଥ ନିଜ କଥାକୁ ଅନ୍ୟମାନଙ୍କ ମୁହଁରେ କୁହାଉଛନ୍ତି। ଗାଁ ପିଲାଙ୍କ କହିବା କଥା ଯେ, ବୟସ୍କ ଲୋକମାନେ କାହିଁକି ମନ୍ଦିର ପରିଚାଳନା କରିବେ? ଆମେ ତ ସବୁ କାମ କରିବା ଆରମ୍ଭ କଲୁଣି। ତେଣୁ ଏଣିକି ମନ୍ଦିର ଦାୟିତ୍ୱ ବି ଆମକୁ ଦିଆଯାଉ। ମୁରବୀ ସ୍ଥାନୀୟ ଲୋକଙ୍କୁ ଯେତେବେଳେ ବୈଠକରେ ଅପମାନିତ କଲାଭଳି କଥାବାର୍ତ୍ତା କରାଗଲା, ସେମାନେ ଆତ୍ମସମ୍ମାନ ଦୃଷ୍ଟିରୁ ସେଇ ବୈଠକରୁ ଉଠି ଚାଲିଆସିଲେ। ସେମାନେ କହିଲେ, ଏଣିକି ଗାଁ ମନ୍ଦିର ପରିଚାଳନା ଯିଏ କରିବାର ଅଛି କରୁ। ଆମେ କିନ୍ତୁ କୌଣସି ଦାୟିତ୍ୱ ତୁଲାଇବୁ ନାହିଁ।
ବାସ୍ .. କେଞ୍ଚୁଆକୁ ଗୋଳିପାଣି ସଜ। ଏହି ସୁଯୋଗ ଅପେକ୍ଷାରେ ଥିଲେ ପ୍ରିୟନାଥ। ଏବେ ଗାଁ ମନ୍ଦିର ପରିଚାଳନା ଦାୟିତ୍ୱରେ ଗାଁର ଦଳେ ଭେଣ୍ଡିଆ ପିଲା। ଆଉ ସେମାନଙ୍କ ନେତୃତ୍ୱ ନେଉଛନ୍ତି ପ୍ରିୟନାଥ। ପ୍ରିୟନାଥଙ୍କ ଇସାରାରେ ଚାଲିଛି ଗାଁରେ ସବୁକିଛି। କେତେବେଳେ ମନ୍ଦିରରେ ଭୋଗ ଲାଗୁନି ତ ଆଉ କେତେବେଳେ ମନ୍ଦିରର ପୂଜାରୀ ଗାଏବ। କେତେବେଳେ ମନ୍ଦିର ଅପବିତ୍ର ହେଲାଣି ତ ଆଉ କେତେବେଳେ ମନ୍ଦିରରେ ପୂଜାପାର୍ବଣ ବ୍ୟତୀତ ଆଉ ସବୁ କାର୍ଯ୍ୟ ହେଲାଣି। ଏଥର ଗାଁ ଯାତ୍ରା ସମୟରେ ମନ୍ଦିରରେ ଠିକ୍ ସମୟରେ ପୂଜାର୍ଚ୍ଚନା ହୋଇପାରିଲା ନାହିଁ। ଏହା ଅନେକଙ୍କୁ ବ୍ୟଥିତ କରିଥିଲା। ଗାଁ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅବ୍ୟବସ୍ଥା ହୋଇଛି। ଏତିକିବେଳେ ଗାଁର ସବୁଠୁ ବୟସ୍କ ନବେ ବର୍ଷୀୟ ହୟଗ୍ରୀବ ସ୍ୱାଇଁ ମନ୍ଦିର ଦୁଆରେ ଠିଆ ହୋଇ ଅନେକ ସମୟ ଧରି ଠାକୁରଙ୍କ ଆଡ଼କୁ ଅନାଇ ରହିଥିଲେ। ସେହି ସମୟରେ ତାଙ୍କ ଆଖି ସାମ୍ନାରେ ପଡ଼ିଗଲେ ପ୍ରିୟନାଥ। ସେ କଣ ଭାବିଲେ କେଜାଣି, ପ୍ରିୟନାଥଙ୍କୁ ନିଜ ପାଖକୁ ଡାକିଲେ। ପ୍ରିୟନାଥ ଯେତେବେଳେ ତାଙ୍କ ପାଖକୁ ଆସିଲେ, ସେ ତାଙ୍କ ଅତି କ୍ଷୀଣ କଣ୍ଠରେ ପ୍ରିୟନାଥଙ୍କ କାନରେ କହିଲେ, ବାବୁରେ .. ମୋର ନବେ ବର୍ଷ ବୟସ ଭିତରେ ଏମିତି ଅଘଟଣ କେବେ ଘଟିନି। ପ୍ରଥମ ଥର ପାଇଁ ଏଭଳି ସ୍ଥିତି ହୋଇଛି ଆମ ଗାଁ ମନ୍ଦିରରେ। ଗୋଟିଏ କଥା କହିବି କିଛି ଭାବିବୁନି। ମୁଁ ଦେଖୁଛି, ତୁ ଯେବେଠୁ ଆମ ଗାଁକୁ ଆସିଛୁ, ସେବେଠୁ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଲାଗି ରହିଛି। ତୋତେ ଖରାପ ଲାଗିପାରେ, ହେଲେ ମୁଁ ଯାହା ଲକ୍ଷ୍ୟ କରିଛି, ସେ କଥା କହୁଛି। ତୁ ନା .. ବୁଜୁଳା ବୋହିଲାଠୁ ବୁଜୁଳା କାଟିଲା ଯାଏଁ .. ସବୁଥିରେ ପାରଙ୍ଗମ। ହୟଗ୍ରୀବଙ୍କ ଏଇତକ କଥା ସରିଲା ବେଳକୁ ପ୍ରିୟନାଥଙ୍କ ଆଖି ଦୁଇଟା ଢିମା ଢିମା ହୋଇଯାଇଥିଲା। ….
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.