ସଂସ୍କୃତିକୁ ନଷ୍ଟ କରୁଛି କିଏ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…
ଏ ଦୁନିଆରେ କେହି ବି ଶତ ପ୍ରତିଶତ ଠିକ ନୁହଁନ୍ତି। ସମସ୍ତଙ୍କ ଭିତରେ ସିମୀତତା ଅଛି। ସମସ୍ତେ ସୀମିତତାକୁ ନେଇ ଆଗକୁ ବଢନ୍ତି। ସେମିତି ଏ ଦୁନିଆରେ କେହି ବି ପ୍ରଶ୍ନର ଉର୍ଦ୍ଧ୍ବରେ ନୁହଁନ୍ତି। ଏପରିକି ଭଗବାନ ବି ନୁହଁନ୍ତି। ଅସଲ କଥା ହେଉଛି, ଯିଏ ଯେତେ ପ୍ରଶ୍ନର କଷଟି ପଥରରେ ଉତ୍ତୀର୍ଣ୍ଣ ହୁଏ, ସିଏ ସେତେ ଉଜ୍ଜ୍ୱଳ ହୁଏ।
ସ୍ବେଚ୍ଛାଚାରି ମାନେ ହିଁ ପ୍ରଶ୍ନକୁ ପସନ୍ଦ କରନ୍ତିନି। ପ୍ରଶ୍ନକାରୀଙ୍କୁ ବିରୋଧ କରନ୍ତି। ଏ ଦୁନିଆରେ ଯେତେ ଯିଏ ନିଜକୁ ମହାନ ବୋଲି ପ୍ରମାଣିତ କରିଛନ୍ତି, ସେମାନେ ସେତେବେଳର ଦୁନିଆରେ ଅନେକ ଅନେକ ପ୍ରଶ୍ନ ଓ ବିରୋଧୀତାକୁ ସମ୍ମୁଖୀନ ହୋଇଛନ୍ତି ଓ ସେଥିରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ବୁଦ୍ଧ, ଗାନ୍ଧୀ, ଗାଲିଲିଓ, ଆଇନଷ୍ଟାଇନ, ଯୀଶୁ, ମହମ୍ମଦ, ରାମ କି କୃଷ୍ଣ ହୁଅନ୍ତୁ।
ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କର ନିଜ ନିଜ ବିଚାର ବ୍ୟକ୍ତ କରିବାର ଅଧିକାର ଅଛି ଓ ସମସ୍ତଙ୍କୁ ଏଥିପାଇଁ ସୁଯୋଗ ମଧ୍ୟ ମିଳିବା ଆବଶ୍ୟକ। କିନ୍ତୁ ଏହା ସେପର୍ଯ୍ୟନ୍ତ ଠିକ, ଯେଉଁ ପର୍ଯ୍ୟନ୍ତ ଏହା ଆଉ ଜଣଙ୍କର ଅଧିକାର ପରିସରକୁ ସ୍ପର୍ଷ ନକରିଛି। ଅର୍ଥାତ ମୁଁ ମୋର ଅଧିକାର ପାଇଁ ଆଉ ଜଣଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିପାରିବିନି। ମୋ ଅଧିକାରର ସୀମା ସେଇଯାଏ, ଯେଉଁଠି ଆଉ ଜଣକ ଅଧିକାରର ସୀମା ଆରମ୍ଭ ହେଉଛି।
ଜଣକର ବିଚାର ଯଦି ଅନ୍ୟ ଜଣକୁ ପସନ୍ଦ ହେଉନି, ତେବେ ସେ ତାକୁ ନଶୁଣିପାରେ, ନପଢ଼ିପାରେ। ସେ ସ୍ୱାଧୀନତା ତାର ଅଛି। ଏପରିକି ତାର ପ୍ରତିବାଦ ମଧ୍ୟ କରିପାରେ। ଏଇ ତ ଗଣତନ୍ତ୍ରର ଲାଭ। ଜଣକର ବିଚାର ଯଦି ଅନ୍ୟ ଜଣକର ଭାବନାକୁ ଆଘାତ ଦେଉଛି, ତେବେ ସେ ତାକୁ ନିଶ୍ଚୟ ପ୍ରତିବାଦ କରୁ। କିନ୍ତୁ ତା ପୂର୍ବରୁ ସେ ପ୍ରଥମେ ସେ ବିଚାରକୁ ବୁଝୁ, ତା’ପରେ ଯାଇ ପ୍ରତିବାଦ କରୁ। ଏବଂ ପ୍ରତିବାଦ ବି ଏକ ଦାୟିତ୍ୱପୂର୍ଣ୍ଣ କାମ। କିପରି ସୁସ୍ଥ ଭାବେ ପ୍ରତିବାଦ କରାଯାଏ, ତାହା ମଧ୍ୟ ବୁଝିବାକୁ ପଡ଼ିବ। ପ୍ରତିବାଦ ନା’ରେ ବ୍ୟକ୍ତିଗତ ଆକ୍ଷେପ, ଅଶ୍ଳୀଳ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ଅସଭ୍ୟତାର ପରିଚୟ। ପ୍ରତିବାଦ ନା’ରେ ଆମେ ଆଉଜଣଙ୍କର ସ୍ୱାଭିମାନକୁ ଆହତ କରିବା ଆଇନତଃ ବର୍ଜନୀୟ। ଏହା ଯିଏ ବି କରୁଛି, ସେ ଛିଃ ଛି ଶୁଣିବା ଯୋଗ୍ୟ। ସେ ଯିଏ ବି ହେଉ।
ଯେଉଁ ବିଚାର ଓ ମର୍ଯ୍ୟାଦାକୁ ସୁରକ୍ଷା କରିବା ପାଇଁ ପ୍ରତିବାଦ କରାଯାଉଛି, ଅନ୍ୟପକ୍ଷରେ ସେହି ପ୍ରତିବାଦର ଶୈଳୀ ଓ ଭାଷା ସମ୍ପୂର୍ଣ୍ଣ ଭାବେ ସେହି ଵିଚାରର ପରିପନ୍ଥୀ। ଉଦାହରଣ ସହ କହିଲେ, ମାତା ସୀତାଙ୍କ ମର୍ଯ୍ୟାଦା ଓ ମହାନତାକୁ ସୁରକ୍ଷା କରିବା ପାଇଁ ଯେଉଁ ଭାଷା ଓ ଶୈଳୀ ବ୍ୟବହାର କରାଯାଉଛି, ତାହା ରାବଣ ଠାରୁ ବି ଆହୁରି ଇତର। ସେଥିରେ ମାତା ସୀତାଙ୍କ ଚେତନା ଆହୁରି ଅଧିକ ବିଦୀର୍ଣ୍ଣ ହେଉଛି। ଏହା ଯୁଗେ ଯୁଗେ ନିନ୍ଦନୀୟ। ଆମେ ନିଶ୍ଚିତ ଯେ, କାରଣ ଯାହା ବି ହେଉ, କାହାର ଝିଅ ଉଦ୍ଦେଶ୍ୟରେ କି କାହାର ଭଉଣୀ ଉଦ୍ଦେଶ୍ୟରେ ସର୍ବୋପରି ଜଣେ ନାରୀ ଉଦ୍ଦେଶ୍ୟରେ ଅଶ୍ଳୀଳ ଭାଷା ଓ ଅଶ୍ଳୀଳ ଇଙ୍ଗିତ ବ୍ୟବହାର କରିବାରେ ମାତା ସୀତା ଆଦୌ ବି ଖୁସି ହୋଇନଥାନ୍ତେ। ସୀତାଙ୍କୁ ଭକ୍ତି କରୁଥିବା ଲୋକଟିଏ କିପରି ଆଉ ଜଣେ ନାରୀକୁ ଏପରି ଖରାପ ଦୃଷ୍ଟିରେ ଦେଖିପାରେ! ସେ ନାରୀଟି ଯାହା ବି ହେଉ, ଯେମିତି ବି ହେଉ, ଯାହା ବି କହୁ। ସେ ତ ନାରୀ ନା। ସେ ନାରୀକୁ ନିର୍ଯ୍ୟାତନା ଦେଇ ତୁମେ ତ ରାବଣପଣକୁ ବଢ଼େଇଲ ନା, ତାହେଲେ ତୁମ ଭିତରେ ସୀତା ଭକ୍ତି କାହିଁ? ଏହା ନିଃସନ୍ଦେହ ଯେ ସୁରକ୍ଷା ଦେବା ନା’ରେ ଯାହା ସବୁ ହେଉଛି, ତାହା କେବଳ ନିଜ ନିଜ ମନ ଭିତରର ବିକାର ବ୍ୟତୀତ ଆଉ କିଛି ନୁହେଁ। ସୀତାଙ୍କ ନାମକୁ କେବଳ ଯାହା ବ୍ୟବହାର କରାଯାଉଛି।
ସିଧା କଥାରେ କହିଲେ ଗୋଟେ ଦ୍ରବ୍ୟର ପିତାଗୁଣକୁ କାଟିବା ପାଇଁ ସେଥିରେ ଅଧିକ ପିତା ଦ୍ରବ୍ୟ ମିଶାଯାଏ ନାହିଁ। ଏହା ଦ୍ୱାରା ପିତା ବଢ଼ିବ। ସେଥିରେ ମିଠା ମିଶେଇବାକୁ ପଡ଼ିବ। ଯଦି ତୁମେ ମିଠା ମିଶେଇ ପାରୁନାହଁ, କି ତୁମ ପାଖରେ ସେ ମିଠା ଦ୍ରବ୍ୟ ନାହିଁ, ତାହେଲେ ବୁଝିଯିବା ଉଚିତ ଯେ, ତାହା ତୁମ କ୍ଷମତା ଭିତରେ ଥିବା କାମ ନୁହଁ। କାହିଁକି ଅଯଥାଟାରେ ନିଜକୁ ଓ ନିଜ ବିରାଦରୀକୁ  ବଦନାମ କରିବ! ଆଉ ଗୋଟିଏ କଥା ମଧ୍ୟ ସମ୍ଭବ, ସେ ଦ୍ରବ୍ୟଟି ମୂଳରୁ ହିଁ ପିତା ହୋଇନଥିବ, ତୁମ ପାଟିର ଦୋଷ ପାଇଁ ତୁମକୁ ପିତା ଲାଗୁଥିବ। ସେଭଳି ପରିସ୍ଥିତିର ବହୁତ ସମ୍ଭାବନା ଥାଏ। ଏମିତି କ୍ଷେତ୍ରରେ ତୁମ୍ଭର ଚିକିତ୍ସା ଦରକାର, ସେହି ଦ୍ରବ୍ୟରେ ପରିବର୍ତ୍ତନ ନୁହେଁ।
ଶେଷରେ ଗୋଟିଏ କଥା, ପ୍ରଶ୍ନ ଓ ସମାଲୋଚନା ସବୁବେଳେ ସ୍ଵାଗତଯୋଗ୍ୟ। ସେହିପରି ପ୍ରତିବାଦ ବି। କିନ୍ତୁ ପୁଣିଥରେ କହିବି ପ୍ରତିବାଦ ଏକ ଗୁରୁତ୍ୱପୂର୍ଣ୍ଣ କାମ ଓ ଏହାର ବି ଗୋଟେ ମର୍ଯ୍ୟାଦା ଅଛି । ଅନେକ ଏହା ଶିଖିନାହାନ୍ତି। ପ୍ରତିବାଦ ନାଁ’ରେ ନାରୀ ମାନଙ୍କ ପ୍ରତି ଅସଭ୍ୟ ଶବ୍ଦ ପ୍ରୟୋଗ କରିବା କେବେ ବି ଗ୍ରହଣୀୟ ନୁହେଁ। ସେମାନଙ୍କୁ ସମାଜ ବି ଗ୍ରହଣ କରିବା ଉଚିତ ନୁହେଁ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।