ଓଳିଆରୁ ଗଜା

‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାର ସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା ।ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ । ବିଜ୍ଞାନର, ବିଶେଷକରି ପ୍ରଯୁକ୍ତି ବିଦ୍ୟାର ସେତେ ଉନ୍ନତି ହୋଇନଥିବା ସମୟରେ ଏହି ଓଳିଆର ବ୍ୟବହାର ବହୁଳ ଭାବେ ଗାଁଗହଳରେ, ବିଶେଷକରି ଚାଷୀ ପରିବାରରେ ହେଉଥିଲା । ଏହା ଉତ୍ପାଦିତ ଶସ୍ୟର ଆଗାମୀ ବର୍ଷ ପାଇଁ ବିହନର ସଂରକ୍ଷଣ ନିମନ୍ତେ ବ୍ୟବହୃତ ହେଉଥିଲା । ଧାନ ଅମଳ ପରେ କୁଟାରେ ମୋଟା ମୋଟା ଦଉଡି ଭଳି ‘ମୋଡା’ ବଳି ତାହାକୁ ଗୋଲାକାର ପାତ୍ର ପରି ତିଆରି କରାଯାଏ । ମଝିରେ କୁଟା ଦିଆଯାଏ । ସେଥିରେ ବିହନ ଯଥା – ମୁଗ, ବିରି, କୋଳଥ, ହରଡ, ମସୁର ଇତ୍ୟାଦି ଡାଲିଜାତୀୟ ଶସ୍ୟ ଏବଂ ଆଗାମୀ ବର୍ଷ ପାଇଁ ବିଭିନ୍ନ କିସମର ଧାନ ବିହନ ଚାଷୀମାନେ ସାଇତି ରଖନ୍ତି । କୁଟା ଓ ମୋଡାକୁ ଏପରି ଭିଡିକରି ରଖାଯାଇଥାଏ ଯେ ବିହନ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ, କ୍ୱଚିତ୍ ଖୁବ୍ କମ୍ ଓଳିଆରେ ବାହାରୁ କ୍ଷତିକାରକ କୀଟ ପ୍ରବେଶ କରିପାରନ୍ତି । ପ୍ରୟୋଜନ ଅନୁସାରେ ଏହାକୁ ଛୋଟ ବଡ କରି ହୁଏ । ଓଳିଆର ବୃହତ ଆକାରକୁ ପଶ୍ଚିମ ଓଡିଶାରେ ‘ପୁଡା’ ବୋଲି କୁହାଯାଏ ।

ଗଜା ଶଦ୍ଦଟି କୌଣସି ମଞ୍ଜିର ଅଂକୁରୋଦ୍‌ଗମକୁ ବୁଝାଏ । ଓଳିଆ ଭିତରେ ଶସ୍ୟ ବା ବିହନ ରହିଥିବା ସମୟରେ ଯଦି ଅଂକୁରୋଦ୍‌ଗମ ହୁଏ, ତେବେ ତାକୁ ‘ଓଳିଆରୁ ଗଜା’ କୁହାଯାଏ । ଏହି ଘଟଣା ଅତ୍ୟନ୍ତ ବିରଳ । କାରଣ ଚାଷୀ ଓଳିଆକୁ ସୁରକ୍ଷିତ ସ୍ଥାନରେ ରଖିଥାଏ । ଯଦି ଦୈବାତ୍ କୌଣସି କାରଣରୁ ଓଳିଆରେ ପାଣି ପଡିଯାଏ, ଯେପରି ଚାଷୀର ଅଜାଣତରେ ବର୍ଷା ସମୟରେ ଚାଳରୁ ପାଣି ଗଳି ଓଳିଆରେ ପଡି ଯାଇଥାଏ, ତେବେ କୁଟା ପାଣି ଶୋଷି ନେଇ ବିହନ ପାଖରେ ପହଂଚାଇ ଦିଏ । ସ୍ୱାଭାବିକ୍ ଭାବେ ଓଳିଆରେ ଉଷ୍ମତା ଥାଏ, ପାଣି ପାଇ ବୀଜଗୁଡିକରୁ ଗଜା ଫୁଟି ଉଠେ ।

ଓଳିଆରୁ ଗଜା’ ଖଣ୍ଡବାକ୍ୟଟିକୁ ଆମେ ଏକ ବିଶେଷ ଅର୍ଥରେ ବ୍ୟବହାର କରନ୍ତି । ଆରମ୍ଭରୁ ବାହାର ଦୁନିଆଁ ଦେଖିବା ଆଗରୁ ଯିଏ ଗଜା ମାରିଥାଏ, ଅର୍ଥାତ୍ ଯେଉଁ ପିଲା ଅତି ଛୋଟବେଳୁ ତା’ର ବୁଦ୍ଧିଜ୍ଞାନର ଚମତ୍କାରିତା ପ୍ରକାଶ କରେ, ଯେଉଁ ବୟସରେ ଯେଉଁ ବିଷୟରେ ତା’ର ବିନ୍ଦୁବିସର୍ଗ ଜ୍ଞାନ ରହିବା କଥା ଚିନ୍ତା କରାଯାଇ ନ ପାରେ, ସେହି ବୟସରେ ଯଦି ସେ ସେପରି କଥା କହେ, କାମ କରେ, ତେବେ ତାକୁ ‘ଓଳିଆରୁ ଗଜା’ କହନ୍ତି । ‘ତୁଳସୀ ଦୁଇପତ୍ରରୁ ବାସେ’ ପରି । ବିହନକୁ ଯଥା ସମୟରେ ନିର୍ଦ୍ଧିଷ୍ଟ ପଦ୍ଧତିରେ ତଳି ଘେରା କରି ଗଜା କରାଇବା ଯେପରି ତା’ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ । ଅର୍ଥାତ୍ ଉଚିତ୍ ଶିକ୍ଷାଦୀକ୍ଷା ଦେବା ଦ୍ୱାରା ମେଧାବୀ ପିଲା ଯେଉଁ କାମ କରିପାରନ୍ତି, ସେ ଏସବୁ ବିନା କରିଦେଇପାରେ । ଏମାନଙ୍କର ପ୍ରଖର ବୁଦ୍ଧି, ପ୍ରଚଣ୍ଡ ମେଧାଶକ୍ତି, ଅକଳନୀୟ ଗ୍ରହଣ ଶକ୍ତି ରହିଥାଏ । ଏ କିସମଟି ସାଧାରଣତଃ ବିରଳ, ଖୁବ୍ ବିରଳ । ସତେ ଯେପରି ମା’ ପେଟରେ ଥିବାବେଳେ ଏସବୁ ସେ ଶିଖିନେଇଛି, ହାସଲ କରିପାରିଛି । ଏମାନେ ଯେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି, ସେହି ସେହି କ୍ଷେତ୍ରରେ ନିଶ୍ଚୟ ଚମତ୍କାରିତା ପ୍ରଦର୍ଶନ କରନ୍ତି । ସେମାନଙ୍କ କଥାବାର୍ତା, ଚାଲିଚଳନ, ଆଚାରବ୍ୟବହାର ସ୍ପଷ୍ଟରୂପେ ବାରି ହୋଇପଡେ ।

ଏହାର ଦୃଷ୍ଟାନ୍ତ ପୁରାଣପୃଷ୍ଠାରୁ ମଧ୍ୟ ମିଳେ । ହିରଣ୍ୟକଶିପୁର ରାଣୀ କୟାଧୂ ଗର୍ଭବତୀ ଥିବା ସମୟରେ ସ୍ୱାମୀ ତପସ୍ୟା କରିବାକୁ ଚାଲିଗଲେ । ଏହି ସୁଯୋଗରେ ପରାଜିତ ଇନ୍ଦ୍ର ବଳପୂର୍ବକ କୟାଧୂକୁ ନେଇ ଯାଉଥିଲେ । ଗର୍ଭସ୍ଥ ସନ୍ତାନକୁ ନାଶ କରିବା ଉଦ୍ଦେଶ୍ୟ ଥିଲା । ଦେବର୍ଷି ନାରଦ ରାସ୍ତାରୁ କୟାଧୂକୁ ଉଦ୍ଧାର କରି ନିଜ ଆଶ୍ରମକୁ ନେଇ ଗଲେ । ସେ ଜାଣିଥିଲେ କୟାଧୂ ଗର୍ଭସ୍ଥ ସନ୍ତାନ ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ଅନନ୍ୟ ଭକ୍ତ । ଆଶ୍ରମରେ ଦେବର୍ଷି କୟାଧୂକୁ ଦେଉଥିବା ସଦୁପଦେଶଗୁଡିକୁ ପ୍ରହ୍ଲାଦ ଗର୍ଭରେ ଥାଇ ପ୍ରାପ୍ତ ହୋଇଥିଲେ । ସେ ଗର୍ଭରେ ଥାଇ ଦେବର୍ଷି ନାରଦଙ୍କୁ ଗୁରୁବରଣ କରି ଦ୍ୱାଦଶାକ୍ଷର ମନ୍ତ୍ର “ଓଁ ନମୋ ଭଗବତେ ବାସୁଦେବାୟ” ଗ୍ରହଣ କରି ଜପ କରି ଚାଲିଥିଲେ ।

ବ୍ୟାସଦେବଙ୍କ ପୁତ୍ର ଶୁକଦେବ ମାତୃଗର୍ଭରେ ଥାଇ ଦିବ୍ୟଜ୍ଞାନ ଆହରଣ କରିଥିଲେ । ବର୍ଣ୍ଣନାରୁ ମିଳେ, ସେ ବାରବର୍ଷ କାଳ ମାତୃଗର୍ଭରେ ଥିଲେ ଏବଂ ପିତାଙ୍କ ଅନୁରୋଧରେ ଜନ୍ମ ହେବାମାତ୍ରେ ସନ୍ୟାସୀ ରୂପେ ତପସ୍ୟା କରିବାକୁ ଚାଲି ଯାଇଥିଲେ ।

ମହାଭାରତରେ ବର୍ଣ୍ଣିତ ଅଭିମନ୍ୟୁ ଚରିତ ମଧ୍ୟ ବିଚିତ୍ର । ସୁଭଦ୍ରା ଗର୍ଭବତୀ ଥିବା ସମୟରେ ଥରେ ଅର୍ଜୁନ ତାଙ୍କୁ ଚକ୍ରବ୍ୟୂହ କଥା ଶୁଣାଉଥିଲେ । ବ୍ୟୂହ ଭେଦ ଶୁଣି ସୁଭଦ୍ରା ନିଦରେ ଶୋଇ ଯାଇଥିଲେ । ତେଣୁ ଗର୍ଭସ୍ଥ ସନ୍ତାନ ଅଭିମନ୍ୟୁ ବ୍ୟୁହରୁ ବାହାରି ଆସିବାର କୌଶଳ ଶୁଣିପାରିନଥିଲେ । ଯେଉଁ ଦିନ କୌରବଥାଟ ପକ୍ଷରୁ ସେନାପତି ଦ୍ରୋଣ ଚକ୍ରବ୍ୟୂହ ରଚନା କଲେ, ସେଦିନ ପାଣ୍ଡବମାନେ ଚିନ୍ତାରେ ପଡିଗଲେ । କାରଣ ଚକ୍ରବ୍ୟୂହକୁ ବ୍ୟର୍ଥ କରିବା କୌଶଳ କେବଳ ଅର୍ଜୁନ ଓ ଶ୍ରୀକୃଷ୍ଣ ଜାଣିଥିଲେ । କିନ୍ତୁ ସେହି ଦିନ ହିଁ ସେ ଦୁହେଁ ତ୍ରିଗର୍ତ ରାଜା ସୁଶର୍ମା ସହିତ ସଂସପ୍ତକ ରଣରେ ବ୍ୟାପୃତ ଥିଲେ । ସୁଶର୍ମା ତାଙ୍କୁ ଯୁଦ୍ଧକ୍ଷେତ୍ରରୁ ବହୁତ ଦୂରକୁ ନେଇ ଯାଇଥିବାରୁ ଯୁଧିଷ୍ଠିର ଅତ୍ୟନ୍ତ ଚିନ୍ତିତ ଥିଲେ । ଅଭିମନ୍ୟୁ ତାଙ୍କ ଚିନ୍ତା ଦୂର କରି ଚକ୍ରବ୍ୟୂହ ଭେଦ କରିଥିଲେ, କିନ୍ତୁ ବାହାରିବାର କୌଶଳ ଜାଣିନଥିବାରୁ ବୀରଗତି ପ୍ରାପ୍ତ ହୋଇଥିଲେ ।

ପରନ୍ତୁ, ଅଷ୍ଟାବକ୍ରଙ୍କ କାହାଣୀ ଆହୁରି ବିସ୍ମୟକର । ପୂରାକାଳରେ ଉଦ୍ଦାଳକ ଋଷିଙ୍କର କହୋଡ ନାମକ ଜଣେ ବିନୀତ, ଆଜ୍ଞାକାରୀ, ସୁଶୀଳ, ମେଧାବୀ ଶିଷ୍ୟ ଥିଲେ । ଗୁରୁ ପ୍ରସନ୍ନ ହୋଇ ତାଙ୍କୁ ସମସ୍ତ ବେଦଉପନିଷଦ ଜ୍ଞାନ ପ୍ରଦାନ କରି ନିଜର ଏକମାତ୍ର କନ୍ୟା ସୁଜାତାଙ୍କ ସହିତ ବିବାହ କରାଇ ଦେଲେ । ସମୟକ୍ରମେ ସୁଜାତା ଗର୍ଭବତୀ ହେଲେ । ଦିନେ ଆଶ୍ରମରେ ଶିଷ୍ୟମାନଙ୍କୁ ବେଦଶିକ୍ଷା ଦେଉଥିବାବେଳେ ଗର୍ଭସ୍ଥ ସନ୍ତାନ କହିଲା – “ପିତା! ଆପଣ ଠିକ୍ ଭାବେ ବେଦ ଉଚ୍ଚାରଣ କରୁନାହାଁନ୍ତି ।” କହୋଡ ଶିଷ୍ୟ ଗହଣରେ ଏପରି ଶୁଣି କ୍ରୋଧାନ୍ୱିତ ହୋଇ କହିଲେ – “ଆରେ! ତୁ ମା’ ପେଟରେ ଥାଇ ବାପକୁ ଏପରି ବଙ୍କାତେଢା କଥା କହୁଛୁ? ତୋ ଶରୀର ଆଠବାଙ୍କ ହୋଇଯାଉ ।” ସୁଜାତା ସ୍ୱାମୀଙ୍କୁ ବୁଝାସୁଝା କରି ଶାନ୍ତ କଲେ । କିଛି ଦିନ ପରେ ଧନ ପ୍ରାପ୍ତି ନିମନ୍ତେ କହୋଡଙ୍କୁ ଜନକଙ୍କ ସଭାକୁ ପଠାଇଦେଲେ ।

ସେତେବେଳେ ମହାଜ୍ଞାନୀ ରାଜର୍ଷି ଜନକଙ୍କ ଦରବାର ସଦାସର୍ବଦା ଜ୍ଞାନଚର୍ଚ୍ଚାରେ ଚଳଚଂଚଳ ଥିଲା । ପୃଥିବୀର ସବୁ ଜ୍ଞାନୀଗୁଣୀଗଣ ସେଠାରେ ଜ୍ଞାନଯଜ୍ଞ କରି ଉତମ ରୂପେ ପୁରୃତ ହେଉଥିଲେ । ଜନକଙ୍କ ଜ୍ଞାନଯଜ୍ଞରେ ବନ୍ଦୀ ନାମକ ଜଣେ ଶ୍ରେଷ୍ଠ ଜ୍ଞାନୀ ଥିଲେ । ସେ ସର୍ତ ରଖି ଶାସ୍ତ୍ରାର୍ଥ କରୁଥିଲେ । ସର୍ତ ଥିଲା – ଯିଏ ହାରିବ, ସେ ଗଙ୍ଗାରେ ବୁଡି ମରିବ । ଏହି ସର୍ତ ଅନୁସାରେ ସେ ଅନେକ ଜ୍ଞାନୀ ବ୍ରାହ୍ମଣଙ୍କୁ ଗଙ୍ଗାରେ ଡୁବାଇ ସାରିଲେଣି । କହୋଡ ତାଙ୍କ ସହିତ ସର୍ତାନୁସାରେ ଶାସ୍ତ୍ରାର୍ଥ କରି, ହାରି ଯାଇ ଗଙ୍ଗାରେ ଝାସ ଦେଲେ । ଏ ଖବର ଉଦ୍ଦାଳକ ପାଇବା ବେଳକୁ କନ୍ୟା ସୁଜାତାର ସନ୍ତାନ ଜନ୍ମ ହୋଇନଥିଲା । କିଛିଦିନ ପରେ ଆଠବାଙ୍କର ପୁଅଟିଏ ଜନ୍ମ ହେଲା, ତା’ ନାଁ ହେଲା ଅଷ୍ଟାବକ୍ର ।

କାଳକ୍ରମେ ଅଷ୍ଟାବକ୍ର ଅଜା ଉଦ୍ଦାଳକଙ୍କ ଦ୍ୱାରା ଲାଳିତପାଳିତ ହୋଇ ଓ ଶୀକ୍ଷାଦୀକ୍ଷା ପାଇ ମହାଜ୍ଞାନୀ ହୋଇଗଲେ । ବାରବର୍ଷ ବୟସରଙ୍କ ପିତାଙ୍କ ମୃତ୍ୟୁର କାରଣ ଶୁଣି ବନ୍ଦୀଙ୍କୁ ହରାଇ ଗଙ୍ଗାରେ ବୁଡାଇ ମାରିବାକୁ ନିର୍ଣ୍ଣୟ କରି ଜନକଙ୍କ ଦରବାରକୁ ଗଲେ । ଦରବାରରେ ପହଂଚିବା ମାତ୍ରେ ତାଙ୍କର ଅଷ୍ଟବକ୍ର ଶରୀର ଦେଖି ସମସ୍ତେ ହସି ଉଠିଲେ । ସମସ୍ତେ ହସି ସାରିବା ପରେ ଅଷ୍ଟାବକ୍ର ଖୁବ୍ ଜୋରରେ ହସିଲେ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଜନକ ପଚାରିଲେ –“ଆପଣଙ୍କ ଶରୀରକୁ ଦେଖି ସମସ୍ତେ ହସିଲେ, ଏହା ବୁଝି ହେଉଛି; କିନ୍ତୁ ଆପଣ କାହିଁକି ଏତେ ଜୋରରେ ହସୁଛନ୍ତି?” ଅଷ୍ଟାବକ୍ର କହିଲେ –“ ମୁୁଁ ଶୁଣିଥିଲି ଏଠାରେ ଜ୍ଞାନଚର୍ଚ୍ଚା ହୁଏ । କିନ୍ତୁ ଦେଖୁଛି ଯେ ଏ ଚମାରଦଳ (ମୋଚୀ) କି ଜ୍ଞାନ ଚର୍ଚ୍ଚା କରିବେ? ତେଣୁ ହସିଲି ।” ସମସ୍ତଙ୍କୁ ଚମାର କହିବାରୁ ସଭାଜନେ କ୍ଷୁବ୍ଧ ହୋଇଗଲେ । ଜନକ ମଧ୍ୟ ତାଙ୍କର ନମନ୍ତ୍ରିତ ଜ୍ଞାନୀଗୁଣକୁ ଚମାର କହିବାରୁ ନିଜକୁ ଅପମାନିତ ବୋଧ କଲେ । ଅଷ୍ଟାବକ୍ର କହିଲେ “ରାଜା ଜନକ!ଚମାରମାନେ (ମୋଚୀ) ଚମଡାକୁ ଠିକ୍ ଭାବେ ଚିହ୍ନନ୍ତି । ଏମାନେ ମୋ ଚମଡାମୁଣାକୁ ଚିହ୍ନିଲେ, ଜ୍ଞାନକୁ ଦେଖିପାରିଲେ ନାହିଁ । ତେଣୁ ହସିଲି । ହଉ, ସେ ବନ୍ଦୀ କାହିଁ? ମୋ ସାମ୍ନାକୁ ଆଣ । ମୁଁ ତା’ ସହିତ ଶାସ୍ତ୍ରାର୍ଥ କରିବି ଏବଂ ତାକୁ ଗଙ୍ଗାରେ ବୁଡାଇ ମାରିବି ।” ବାରବର୍ଷ ବାଳକର ଏ କଥା ଶୁଣି ମହାରାଜ ଜନକ ବହୁବାର ମନା କଲେ ବି ଅଷ୍ଟାବକ୍ର ଜିଦ୍ ଧରି ବନ୍ଦୀ ସହିତ ଶାସ୍ତ୍ରାର୍ଥ କରି ତାଙ୍କୁ ହରାଇଲେ ଏବଂ ସର୍ତ ଅନୁସାରେ ଗଙ୍ଗାରେ ବୁଡାଇ ଦେବାକୁ କହିଲେ ।

ବନ୍ଦୀ ନିଜର ହାର ସ୍ୱୀକାର କରି ପ୍ରକୃତ ପରିଚୟ ଦେଲେ । ସେ ପ୍ରକୃତରେ ବରୁଣଙ୍କ ପୁତ୍ର । ପିତାଙ୍କ ଯଜ୍ଞ ପାଇଁ ଉତମ ବ୍ରାହ୍ମଣମାନଙ୍କୁ ହରାଇ ଗଙ୍ଗା ମାଧ୍ୟମରେ ପିତାଙ୍କ ଯଜ୍ଞସ୍ଥଳକୁ ପଠାଉଥିଲେ । ଏବେ ପିତାଙ୍କ ଯଜ୍ଞ ସମାପ୍ତ ହୋଇଛି । କହୋଡଙ୍କ ସହିତ ସମସ୍ତ ଜ୍ଞାନୀଗଣଙ୍କୁ ସେ ସାଙ୍ଗରେ ଧରି ଫେରି ଆସିବେ । ବନ୍ଦୀ ଗଙ୍ଗାରେ ଡୁବ ଦେଲେ । କହୋଡଙ୍କ ସହିତ ସମସ୍ତ ଜ୍ଞାନୀଗୁଣୀଙ୍କୁ ସଶରୀରେ, ସତେଜ ଅବସ୍ଥାରେ ଫେରାଇ ଆଣି ଜନକଙ୍କ ଦରବାରରେ ଉପସ୍ଥିତ ହେଲେ । ସମସ୍ତେ ଆନନ୍ଦିତ ହୋଇ ଅଷ୍ଟାବକ୍ରଙ୍କର ପୂଜା କଲେ ଏବଂ ଜୟଜୟକାର କଲେ ।

ଜନକ ମହାରାଜ ମହାଜ୍ଞାନୀ ଥିଲେ । ଆତ୍ମଜ୍ଞାନ ନିମନ୍ତେ ତତ୍‌କ୍ଷାଣତ୍ ଅଷ୍ଟାବକ୍ରଙ୍କ ପାଦତଳେ ପଡିଯାଇ ତାଙ୍କୁ ଗୁରୁବରଣ କଲେ । ଅଷ୍ଟାବକ୍ର ଜନକଙ୍କୁ ଆତ୍ମଜ୍ଞାନ ପ୍ରଦାନ କରି ବିଦେହ କରିଦେଲେ ।

ଏ ସବୁ ତ ପୁରାଣ ଯୁଗର ଘଟଣା । ବର୍ତମାନ ପାଞ୍ଜିରେ ଉଲ୍ଲେଖ ଥିବା କଳିଯୁଗାଦ୍ଦ ୫୧୨୧ ବର୍ଷର ବହୁ ପୂର୍ବର ଘଟଣା । କିନ୍ତୁ ଏବେ ଟି.ଭି. ଚାନେଲରେ ଯେଉଁ ବିସ୍ମୟକର ଘଟଣାମାନ ଦେଖୁଛି, ସେଥିରେ ସ୍ୱାଧୀନତା ପୂର୍ବରୁ ଜନ୍ମିତ ମୁଁ , ଆଶ୍ଚର୍ଯ୍ୟଚକିତ ନ ହୋଇ ରହିପାରୁନାହିଁ । ନବମ ଶ୍ରେଣୀ ବା ଦଶମ ଏକାଦଶ ଶ୍ରେଣୀର ପିଲାଟିଏ ଇଲେକ୍‌ଟ୍ରିକ୍‌, ଯନ୍ତ୍ରପାତି ନେଇ ଯେଉଁ ମେସିନ୍ ତିଆରି କରିଦେଉଛି, ମୁଁ ତ ହତବାକ୍ ହୋଇଯାଉଛି । କମ୍ପ୍ୟୁଟର୍‌ରେ ଆହୁରି ଅଦ୍ଭୁତ କାଣ୍ଡକାରଖାନା କରି ପକାଉଛନ୍ତି । ଏତେ ଅଳ୍ପ ବୟସରେ ଏପରି ଉଦ୍ଭାବନ ଦେଖିଲେ ମୋର ମନେ ହେଉଛି, ଏଇମାନେ ‘ଓଳିଆରୁ ଗଜା’ । ମୋ କିଶୋର ବୟସ କଥା ମନେ ପକାଇଲେ, ଆକାଶ ପାତାଳ ଫରକ୍ ଦେଖୁଛି । ବେଳେବେଳେ ମନେ ହୁଏ, – ଶ୍ରୀମା’ଙ୍କ ଘୋଷଣା ସତ ହେବାକୁ ଯାଉଛି । ୧୯୫୬ ମସିହା ଫେବୃଆରୀ ୨୯ରେ ‘ଅତିମାନସ ଚେତନା’ ପୃଥିବୀକୁ ସ୍ପର୍ଶ କରି କାର୍ଯ୍ୟ କରିଚାଲିଛି ।

ବିବର୍ତନର ଧାରା ଅନୁସାରେ ମାନବ ପରେ ଅତିମାନବ ପ୍ରଜାତି ପୃଥିବୀ ପୃଷ୍ଠରେ ବାସ କରିବ । ଏଇମାନେ ସେଇ ଆଗାମୀ ପ୍ରଜାତିର ଅଗ୍ରଦୂତ କି!! ଶ୍ରୀମା’ଙ୍କୁ ଥରେ ପଚରା ଯାଇଥିଲା – “ଅତିମାନବ ଆସିବାକୁ କେତେ ସମୟ ଲାଗିବ?” ସେ କହିଥିଲେ –“ନିର୍ଦ୍ଧିଷ୍ଟ ସମୟ କହି ହେବନି, କାରଣ ସତ୍ୟଚେତନାକୁ ଗ୍ରହଣ କରିବା ପାଇଁ ପୃଥିବୀ ଚେତନା ଯେତେ ଶୀଘ୍ର ପ୍ରସ୍ତୁତ ହେବ, ସେତେ ଶୀଘ୍ର ଅତିମାନବ ଆସିବ । ତେବେ, ଆନୁମାନିକ ତିନିଶହ ବର୍ଷରୁ ତ କମ୍ ହେବନି ।” ୧୯୫୬ରୁ ମାତ୍ର ୬୪ ବର୍ଷ ହେଲା, ଶହ ପୂରିନି । ପ୍ରଭୁ! ଏଇ ଯୁଗର ‘ଓଳିଆରୁ ଗଜା’ମାନଙ୍କୁ ଶକ୍ତି, ସାମର୍ଥ୍ୟ, ସତ୍ୟଚେତନା ପ୍ରଦାନ କରି ସେମାନଙ୍କ ଅଗ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ,- ଏତିକି ପ୍ରାର୍ଥନା ।

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର, ଜିଲ୍ଲା : ଯାଜପୁର, ମୋ : ୯୯୩୭୫୯୩୪୯୩

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।