Latest Odisha News

ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

ଚୀନରେ ୧୯୪୯ରେ ବନ୍ଧୁକମୁନରେ କ୍ଷମତା ଅକ୍ତିଆରକରିବା ପରେ ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ୟୁନିଷ୍ଟ ଶାସନ ଆରମ୍ଭରୁ ଯୁଦ୍ଧଖୋର ମନୋବୃତ୍ତି ପୋଷଣ କରିଆସୁଛି| ଏହାର ଶାସକବର୍ଗ ସମାଜବାଦର ମହତ୍ତମ ଆଦର୍ଶ ସମାନତା, ଶାନ୍ତି, ସମୃଦ୍ଧି ତଥା ସଦଭାବର ମାର୍ଗରେ ସ୍ୱାଧୀନ ଦେଶର ନୂତନ ରାଜନୈତିକ କାର୍ଯ୍ୟଧାରାକୁ ପରିଚାଳିତକରିବା ପରିବର୍ତ୍ତେ ପଡ଼ୋଶୀ ଦେଶମାନଙ୍କ ପ୍ରତି ହିଂସ୍ରତା ଆଚରଣକୁ ପ୍ରାଧାନ୍ୟ ଦେଇ ନବ୍ୟ ସାମ୍ରାଜ୍ୟବାଦୀ ଲିପ୍ସାକୁ ଚରିତାର୍ଥକରିବାରେ ଲାଗିଛନ୍ତି| ସବୁଠୁ ବିଡ଼ମ୍ବନାର କଥା ହେଉଛି, ଦୁରାଚାରୀ ରାଜତାନ୍ତ୍ରିକ ଓ ସାମନ୍ତବାଦୀ ବ୍ୟବସ୍ଥା ତଥା ତତ୍କାଳୀନ ଦୁର୍ନିତୀଗ୍ରସ୍ତ ଶାସନକୁ ଧରାଶାୟୀକରି ବିଶ୍ୱର ମୁକ୍ତିକାମୀ ଜନଗଣ ଏବଂ ଦେଶମାନଙ୍କ ଲାଗି ଆଶ୍ୱାସନାର ଉଦଘୋଷଣା କରିଥିବା ଏକଦଳୀୟ କମ୍ୟୁନିଷ୍ଟ ଶାସନ ଶେଷରେ ଏଭଳି ପଚମାନ ସଂସ୍କୃତି ଉପରେ ସବାରହୋଇ ଅନ୍ୟମାନଙ୍କ ମନରେ ଭୀତିସଞ୍ଚାର କରିବା| କିନ୍ତୁ ଏହା ସ୍ୱତଃସିଦ୍ଧ ଯେ, ଏହାହିଁ ଏକଛତ୍ରବାଦୀ ଶାସନର ଅନିବାର୍ଯ୍ୟ ପରିଣାମ|

ସୁଦୂର ଅତୀତରୁ ଚୀନ୍ ସହ ଭାରତର ବାଣିଜ୍ୟିକ, ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ବିପୁଳ ମାନବିକ ଐତିହ୍ୟର ପ୍ରତିଷ୍ଠାକରିଥିଲା| ଜନସାଧାରଣଙ୍କ ସହିତ ସେଦିନର ଭାବଗତ ସମ୍ବନ୍ଧ ଏବେ ବି ଅତୁଟ ରହିଛି| ଉଭୟ ରାଷ୍ଟ୍ର ଭିତରେ ବାଣିଜ୍ୟ ବହୁଗୁଣିତ ହୋଇଛି| କିନ୍ତୁ କ୍ରୁରମାଫିଆ ଭଳି ଭୂମି-ଅପହରଣ କରିବାର ଆଦିମ ନିଶାରେ ବର୍ତ୍ତମାନର ଶାସନତନ୍ତ୍ର ଚୁର୍| ତେଣୁ ଗୁଣ୍ଡାଗର୍ଦ୍ଦିର ରାଷ୍ଟ୍ରୀୟ ନୀତି ମାଧ୍ୟମରେ ଅନ୍ୟ ସାର୍ବଭୌମ ରାଷ୍ଟ୍ରର ସୀମା ଭିତରେ ବଳପୂର୍ବକ ପ୍ରବେଶକରି ସେମାନଙ୍କ ଅଞ୍ଚଳ ଦଖଲକରିବାରେ ଲାଗିଛି|

ଅଧିକ ପଢନ୍ତୁ: ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ଏହି ନୀତିର ଅନୁସରଣରେ ଭାରତର ଗଲୱାନ ଉପତ୍ୟକା ଉପରେ ଏବେ ଚୀନ୍ ର ଶକୁନଦୃଷ୍ଟି| ଏହି ଧାରାରେ ଜୁନ୍ ୧୫ରେ ସଂଘଟିତ ଚୀନ୍ ସେନାର ବର୍ବର ଆକ୍ରମଣରେ ୨୦ଜଣ ବୀର ଭାରତୀୟ ଜବାନ ଶହୀଦହେବା ଏକ ସାଧାରଣ ସ୍ଥାନୀୟ ସଂଘର୍ଷ ଯୋଗୁ ଘଟିନଥିଲା ବୋଲି ଏବେ ଜଣାପଡ଼ିଛି| ଏନେଇ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ରୀୟ ଶାସନ| ସେଠାର ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍‌ଏସି ଲଂଘି ସାମରିକ ଦିଗରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ଘାଟିକୁ କବ୍ଜାକରିବା ଲାଗି ରାଷ୍ଟ୍ରୀୟ ଶାସନ ଓ ପିପୁଲ ଲିବରେସନ୍ ଆର୍ମୀ ଆଗତୁରା ଯୋଜନା କରିଥିବା ଏବେ ବିଭିନ୍ନ ବିଶ୍ଳେଷଣରୁ ସ୍ପଷ୍ଟହେବାରେ ଲାଗିଛି|

ପୁରାତନ ପ୍ରସ୍ତରଯୁଗୀୟ ବର୍ବରମଣିଷର ଆଚରଣ ପରି କଣ୍ଟାତାର ଗୁଡ଼ାଯାଇଥିବା ଲାଠି ଓ ଟେକାପଥର ବ୍ୟବହାରକରି ସେମାନେ ଆକ୍ରମଣ ଲାଗି ପ୍ରସ୍ତୁତହୋଇ ଆସିଥିବା ସହିତ ଗଲଓବାନ ନଦୀ ଭିତରକୁ ଠେଲି ମାରିବା ସକାଶେ ମଧ୍ୟ ପୂର୍ବରୁ ପାଞ୍ଚିଥିଲେ| ଏହି ଜଳସମାଧି କୌଶଳ କାର୍ଯ୍ୟକାରୀକରିବା ପାଇଁ ସେମାନେ ଆଗରୁ ସେମାନଙ୍କ ପଟରୁ ଜଳଧାରକୁ ବନ୍ଦକରି ରଖିବା ସହିତ ହାତାହାତିହେବା ସମୟରେ ଖୋଲି ଦେଇଥିଲେ, ଫଳରେ ଅଚାନକ୍ ପ୍ରଖରସ୍ରୋତ ସୃଷ୍ଟିହୋଇଥିଲା| ଏହି ସୁଯୋଗକୁ ସେମାନେ ଅପେକ୍ଷାକରିଥିବା ଯୋଗୁ କେତେଜଣ ଭାରତୀୟ ଜବାନମାନଙ୍କୁ ପେଲିଦେଇ ମାରିବାରେ ସଫଳ ହୋଇଥିଲେ| ଏହି ଦୁର୍ଭାଗ୍ୟଜନକ ଘଟଣା ପରେ ଦ୍ୱିପାକ୍ଷିକ ଆଲୋଚନା ଆଧାରରେ ସେମାନେ ନିଜର ସେନା ତଥା ଟେଣ୍ଟଗୁଡ଼ିକୁ ପ୍ରତ୍ୟାହାରକରିବା ଲାଗି ରାଜିହୋଇଥିଲେ| କିନ୍ତୁ ରାଜିନାମା ଅନୁସାରେ ପଦକ୍ଷେପ ନେଇଥିଲେ ମଧ୍ୟ ଦେଖାଯାଇଛି ପରଦିନ ସେନା ବିବାଦୀୟ ସ୍ଥାନରୁ କିଛିଦୂର ଛାଡ଼ି ପୁଣି ଟେଣ୍ଟ ନିର୍ମାଣ କରିଛି| ଏହା ଭାରତୀୟ ସେନାର ନିରୀକ୍ଷଣ ତଥା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ଦେଖାଯାଉଛି| କେବଳ ଏତିକି ନୁହେଁ ନିକଟବର୍ତ୍ତୀ ଡେପ୍ସାଙ୍ଗ୍, ଗୋଗ୍ରା, ପାନଗଙ୍ଗ୍ ଲେକ୍ ଆଦି ଅଞ୍ଚଳରେ ଭାରତୀୟ ସୀମାର ପ୍ରାୟ ୧.୫- ୨କିମି ଭିତରକୁ ଅନୁପ୍ରବେଶକରି ୩୦ଭାଗ ଅଧିକ ସୈନ୍ୟ, ମାରାତ୍ମକ ଅସ୍ତ୍ରଶସ୍ତ୍ର ଆଦି ଠୁଳକରିବାରେ ଲାଗିଛି, ଯାହା ଉତ୍ତେଜନାକୁ ବଢ଼ାଉଛି| ଆହୁରି ମାରାତ୍ମକ କଥା ହେଉଛି, ଶାନ୍ତିପାଠର ଦିନକ ପରେ ସମଗ୍ର ଗଲଓବାନ୍ ଉପତ୍ୟକା ନିଜର ବୋଲି ଚୀନ୍ ଘୋଷଣା କରିଛି ଏବଂ ଭାରତ ସେଠାରୁ ହଟିଯିବାକୁ ଜୋରଦେଇଛି| ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଓ ଅନ୍ୟପଟେ ଜବରଦଖଲ ଜାରିରଖିବା ଏକ ଧୋକ୍କାବାଜି, ଯାହା ଆଦ୍ୟରୁ ଚୀନର ନୀତି ଭାବେ ପରିଚିତ| ଏପ୍ରକାର କୌଶଳର ଅନ୍ୟଏକ ଦିଗ ହେଉଛି, ‘ଦୁଇପାଦ ଆଗକୁ ଏକପାଦ ପଛକୁ’ ହଟିବା ନୀତି, କାରଣ ଆପୋଷ ଆଲୋଚନା ପରେ ଚୀନ୍ ସାବ୍ୟସ୍ତକରିବ ସେମାନେ ଯେତେବାଟ ଯାଇଥିଲେ ସେଠାରୁ ହଟିଆସିଛନ୍ତି, ଅର୍ଥାତ୍ ଏକପାଦ ସେମାନଙ୍କ ଆୟତ୍ତରେ ରହିବ|

 

ଅଧିକ ପଢନ୍ତୁ: ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ଦିନଥିଲା, ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବା ପରସ୍ପରର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନରିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ପଞ୍ଚଶୀଳ ନୀତିର ପ୍ରସ୍ତାବ ଦେଇଥିଲେ| ଚୀନ୍ ଶାସନ ଏହାକୁ ବଡ଼ ଆଦରରେ ଗ୍ରହଣକରି ନେଇଥିଲା ଏବଂ ୧୯୫୪ ଏପ୍ରିଲ ୨୮ତାରିଖରେ ଚୀନ୍ ପ୍ରଧାନମନ୍ତ୍ରୀ ଚାଉ-ଏନଲାଇ ଓ ନେହରୁଙ୍କ ସ୍ବାକ୍ଷରରେ ଏହା ଏକ ମହତ୍ୱପୂର୍ଣ୍ଣ ଦଲିଲ୍ ରୂପେ ଗୃହୀତ ହୋଇଥିଲା| ପରବର୍ଷ ୧୯୫୫ରେ ଇନ୍ଦୋନେସିଆର ବାଂନ୍ଦୁଙ୍ଗ ଠାରେ ଅନୁଷ୍ଠିତ ଏସିଆନ୍-ଆଫ୍ରିକାନ୍ ସମ୍ମିଳନୀରେ ଏହି ପଞ୍ଚଶୀଳ ନୀତିର ଭୂୟସୀ ପ୍ରଶଂସା କରାଯାଇଥିଲା ଏବଂ ଔପନିବେଶିକ ଶାସନରୁ ମୁକ୍ତ ହୋଇଥିବା ରାଷ୍ଟ୍ରମାନେ ଯେ, ବିଶ୍ୱକୁ ଯୁଦ୍ଧବିଗ୍ରହର ଦୁର୍ଗତିରୁ ରକ୍ଷାକରିବା ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ଏକ ମୂଲ୍ୟବୋଧସମ୍ପନ୍ନ ବାସ୍ତବାଭିମୁଖୀ ଦିଗଦର୍ଶନର ସୂତ୍ରପାତ କରିପାରିବେ ତାହା ପ୍ରମାଣିତ ହୋଇଛି ବୋଲି କୁହାଗଲା| ପୁଣି ଏହି ନୀତି ହୋଇଥିଲା ୧୯୬୧ରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୂଳଦୁଆ| ତେବେ ଚୀନ୍ ଏହାକୁ କୂଟନୈତିକ ଚାଲାକି ଭାବେ ଗ୍ରହଣକରି ନେଇ ଆଢୁଆଳରେ ଭାରତ ସମେତ ପଡ଼ୋଶୀ ଦେଶମାନଙ୍କର ଅଞ୍ଚଳକୁ ଦଖଲକରିବାର ଚକ୍ରାନ୍ତକୁ ରୂପଦେବାରେ ଲାଗିଲା| ଆଧୁନିକ ବିଶ୍ୱରେ ରାଷ୍ଟ୍ରଗଠନର ବିଚାର ଦୃଷ୍ଟିରୁ ଚୀନ୍ ର ଏହି ଆଚରଣ ପୁରୁଣାକାଳିଆ ବିଶ୍ୱାସଘାତକତା ଓ ଉତ୍କଟ ଛଳନା ଉପରେ ପ୍ରତିଷ୍ଠିତ, ଯାହା ଥିଲା ତତ୍କାଳୀନ ସମୟରେ ରାଜାମାନଙ୍କ ଦ୍ୱାରା ସାମ୍ରାଜ୍ୟ ବିସ୍ତାରର ପ୍ରମୁଖ ଅସ୍ତ୍ର|

ଇତିହାସକୁ ଅବଲୋକନ କଲେ ଜଣାଯିବ, ମାଓଙ୍କ ଶାସନ ଚାଲିଥିଲା ବେଳେ ହିଁ ଚୀନର ଆୟତନ ବା ସାମ୍ରାଜ୍ୟ ପରିସର ବଢ଼ାଇବା ପାଇଁ ପଡ଼ିଥିଲା ମୂଳଦୁଆ| ଚୀନ୍ ର ବିଶ୍ୱବିଦିତ ସମ୍ରାଟମାନଙ୍କ ଠାରୁ ଆହୁରି ବୃହତ୍ ଦିଶିବା ହେବା ପାଇଁ ସେ ଫାଇଭ୍ ଫିଙ୍ଗର୍ ପଲିସୀ ବା ପଞ୍ଚାଙ୍ଗୁଳି ନୀତିର ଶିଳାନ୍ୟାସ କରିଥିଲେ| ତାଙ୍କ ଉଦ୍ଭଟ ପରିକଳ୍ପନାରେ ତିବ୍ଦତ ହେଲା ଡାହାଣହାତ ପାପୁଲି, ଯାହାର ପାଞ୍ଚଟି ଆଙ୍ଗୁଠି ହେଉଛନ୍ତି ଲଦାଖ, ନେପାଳ, ସିକ୍କିମ୍, ଭୂଟାନ ଏବଂ ଅରୁଣାଚଳପ୍ରଦେଶ| ମାଓଙ୍କ ମତରେ ମୂଳତଃ ଉକ୍ତ ଅଞ୍ଚଳଗୁଡ଼ିକ ଚୀନ୍ ର ହୋଇଥିବାରୁ ସେସବୁକୁ ଅନ୍ୟମାନଙ୍କ କବଳରୁ ମୁକ୍ତକରି ଦେଶରେ ମିଶାଇବା ପବିତ୍ର କର୍ତ୍ତବ୍ୟ ରୂପେ ଗଣ୍ୟ ଅର୍ଥାତ୍ ଏହି ପରମ ଦାୟିତ୍ୱ ନିର୍ବାହକରିବା ଜରୁରୀ| ଏହାକୁ ଆଧାରକରି ୧୯୬୦ରେ ପ୍ରଥମେ ତିବ୍ଦତ ଅକ୍ତିଆର କଲା ଚୀନ୍| ୧୯୬୨ରେ ଭାରତ ଆକ୍ରମଣ ଜରିଆରେ ସିକ୍କିମ୍ , ଭୂଟାନ୍ ଓ ଅରୁଣାଚଳପ୍ରଦେଶକୁ ହାସଲକରିବା ଥିଲା ଦ୍ୱିତୀୟ ପଦକ୍ଷେପ| କୌଣସି ପ୍ରାମାଣିକତା ବିନା ଚୀନ୍ ଅରୁଣାଚଳକୁ ଦକ୍ଷିଣ ତିବ୍ଦତ ବୋଲି କହୁଛି| ଦୃଢ଼ଭାବେ କୁହାଯାଇପାରେ, ୨୦୧୭ରେ ସିକ୍କିମ୍ ଓ ଭୂଟାନ୍ ସୀମାରେ ଡୋକଲାମ୍ ଅବରୋଧ ଚୀନ୍ ର ଉଦ୍ଦେଶ୍ୟ ପରିପୂର୍ତ୍ତି ଲାଗି ଆଉ ଗୋଟିଏ ଅଭିଯାନ ଥିଲା| ଏବେ ନେପାଳରେ କମ୍ୟୁନିଷ୍ଟ ସରକାର ଚାଲିଥିଲା ବେଳେ ଶାସକଦଳ ଦେଶକୁ ଚୀନ୍ ର ବୋଲକରା କରିସାରିଲେଣି| ଚୀନ୍ ର ପ୍ରରୋଚନାରେ ସେଠା ସରକାର ଭାରତ ବିରୋଧି କାର୍ଯ୍ୟକଳାପରେ ମାତିଛନ୍ତି| ଏଣେ ଚୀନ୍ ନେପାଳର ଏକ ଗାଁ’ର ୩୩ହେକ୍ଟର ମାଡ଼ିବସିଛନ୍ତି| ଏତକ ପାଇବା ପାଇଁ ସେମାନେ ବର୍ଷବର୍ଷ ଧରି କାମ ଚଳାଇଥିଲେ| ପ୍ରାକୃତିକ ସୀମା ରୂପେ ବିବେଚିତ ହେଉଥିବା ନିକଟସ୍ଥ ଗୋଟିଏ ନଦୀର ଗତିପଥ ବଦଳାଇ ଦେଇ ଚୀନ୍ ପୂର୍ବର ନଦୀଶଯ୍ୟାକୁ ଦଖଲକରିବା ଫଳରେ ଉଭୟ ଚୀନ୍ ଓ ନେପାଳ ସରକାର ସେଠାକାର ଜନସାଧାରଣଙ୍କ ରୋଷର ଶିକାର ହୋଇଥିବା ଖବର ମିଳୁଛି| ଭାରତରେ ବର୍ତ୍ତମାନର ସଙ୍ଘର୍ଷ ସେହି ପଞ୍ଚାଙ୍ଗୁଳି ତତ୍ତ୍ୱ ପ୍ରତିଷ୍ଠା ଲାଗି ହୀନ ଉଦ୍ୟମର ଅଂଶବିଶେଷ| ପ୍ରବଞ୍ଚନା ଓ ଧୋକ୍କାବାଜିର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍| ବର୍ବର ଉତ୍ତରକୋରିଆ ଓ ପାକିସ୍ତାନକୁ ଛାଡ଼ିଦେଲେ ବିଶ୍ୱରେ ଚୀନ୍ ର କାହାସହିତ ଉତ୍ତମ ସମ୍ପର୍କ ନାହିଁ| ତେଣୁ ଚୀନ୍ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନରେ ଅନୁସୃତ ଉଦାର ଧାରାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ|

ଇମେଲ୍‌: someshmahapatra58@gmail.com

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.