Latest Odisha News

ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବେ ଜନକ୍ରୋଧର ଫୁତ୍କାରରେ ବିପର୍ଯ୍ୟସ୍ତ| ମେ ୨୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ଙ୍କ ମୃତ୍ୟୁ ପ୍ରତିବାଦରେ ବିଭିନ୍ନ ସହରରେ ଲାଗିରହିଛି ତୀବ୍ର ବିକ୍ଷୋଭ| ଏବେ ଏହା ଆମେରିକାର ସୀମା ଟପି ସାରା ଦୁନିଆରେ ଆଲୋଡ଼ନ ସୃଷ୍ଟିକରିଛି| ଶ୍ୱାସରୁଦ୍ଧ ଅବସ୍ଥାରେ ମୃତ୍ୟୁ ପୂର୍ବରୁ ଫ୍ଲଏଡଙ୍କ କ୍ଷୀଣ ଉଚ୍ଚାରଣ ‘ଆଇ କ୍ୟାନ୍ ନଟ୍ ବ୍ରିଦ୍’ ଏବେ ସମଗ୍ର ବିଶ୍ବରେ ଆଫ୍ରିକୀୟ ଜାତି ପ୍ରତି କରାଯାଉଥିବା ଅନ୍ୟାୟ ବିରୋଧରେ ପାଲଟିଯାଇଛି ଏକ ଶକ୍ତିଶାଳୀ ନିର୍ଘୋଷ| ସେ ଆଜି ଶ୍ରଦ୍ଧେୟ କିମ୍ବଦନ୍ତୀ, ଏକ ଦୁର୍ବାର ପ୍ରତୀକ, ଯାହାକୁ ଆଧାରକରି ଜାତିଗତ ବୈଷମ୍ୟଜନିତ ପୁଞ୍ଜିଭୂତ ଅପମାନ ଓ ଅସନ୍ତୋଷ ସର୍ବତ୍ର ବିସ୍ଫୋରିତ| ଆନ୍ଦୋଳନକୁ ନିର୍ଣ୍ଣାୟକ ରୂପଦେବା ପାଇଁ ଆରମ୍ଭ ହୋଇଛି ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ଅଭିଯାନ|

ଆମେରିକା, ବ୍ରିଟେନ ଓ ଫ୍ରାନ୍ସରେ ସମ୍ମାନାସ୍ପଦ ବ୍ୟକ୍ତିତ୍ବ ଭାବେ ଯେଉଁମାନଙ୍କର ପ୍ରତିକୃତି ଏଯାଏଁ ଶୋଭାପାଉଥିଲା ବିକ୍ଷୁବ୍ଧ ଜନତା ତହିଁରୁ ବୈଷମ୍ୟବାଦୀଙ୍କୁ ବାଛିବାଛି ଧରାଶାୟୀ କରିବାରେ ଲାଗିଛନ୍ତି| ଆମେରିକାର କେତେକ ରାଜ୍ୟରେ ଆଫ୍ରିକୀୟଙ୍କ ଚକ୍ଷୁଶୂଳ ପାଲଟିଥିବା ବିବାଦୀୟ ବ୍ୟକ୍ତିମାନଙ୍କ ପ୍ରତିକୃତିଗୁଡ଼ିକୁ ହଟାଇବା କାମ ଆରମ୍ଭକରିଛି ପ୍ରଶାସନ| ବ୍ରିଟେନରେ ପ୍ରଧାନମନ୍ତ୍ରୀ ବି ଏପରି ଷ୍ଟାଚ୍ୟୁଗୁଡ଼ିକୁ ମାନବୀୟ ସମ୍ବେଦନାର ଆଧାରରେ ସମୀକ୍ଷାକରି ପଦକ୍ଷେପନେବେ ବୋଲି ଘୋଷଣା କରିଛନ୍ତି| ସର୍ବେକ୍ଷଣରୁ ଜଣାପଡ଼ିଛି, ଅଳ୍ପକିଛି ଘଟଣା ହିଂସାତ୍ମକ ପାଲଟିଥିଲା ବେଳେ ୮୬ପ୍ରତିଶତ ବିକ୍ଷୋଭ ରହିଛି ଅହିଂସ ଓ ଶାନ୍ତିପୂର୍ଣ୍ଣ| କିନ୍ତୁ ଆମେରିକାରେ ଏହାର ନିୟନ୍ତ୍ରଣ ପାଇଁ ପୋଲିସ ପେପର ସ୍ପ୍ରେ, ଲୁହବୁହା ଗ୍ୟାସ୍, ରବର ବୁଲେଟ ଏବଂ ଷ୍ଟନ୍ ଗ୍ରେନେଡ ପ୍ରୟୋଗ କରୁଛି| ପ୍ରଥମଦିନ ଏହି ବର୍ଣ୍ଣ ତଥା ଜାତି ବିଦ୍ବେଷ-ବିରୋଧି ନାଗରିକମାନଙ୍କ ପ୍ରତିକ୍ରିୟା ଏତେ ତୀବ୍ରଥିଲା ଯେ, ପ୍ରାଣଭୟରେ ହ୍ବାଇଟ୍ ହାଉସ ବଙ୍କରରେ ଲୁଚିଥିଲେ ରାଷ୍ଟ୍ରପତି, ତାଙ୍କ ପତ୍ନୀ ଓ ପୁତ୍ର|

ଅଧିକ ପଢନ୍ତୁ: ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

ଏହି ଅଭାବନୀୟ କାଣ୍ଡର କାରଣ ହେଉଛି, ମିନେସୋଟା ରାଜ୍ୟର ମିନିଆପୋଲିସ ନଗରରେ ଜର୍ଜ ଫ୍ଲଏଡ୍ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ପୋଲିସ କବ୍ଜାକରି ସ୍ପଷ୍ଟଦିବାଲୋକରେ ସର୍ବସମକ୍ଷରେ ନୃଶଂସ ଭାବେ ବେକଚିପି ଶ୍ୱାସରୁଦ୍ଧ କରି ମାରିଦେବା| ପୋଲିସ ହାତରେ ତାଙ୍କର ହତ୍ୟା ସଭ୍ୟ ମଣିଷକୁ କ୍ଷୁବ୍ଧ କରିଦେଇଛି| ଆଇନର ରକ୍ଷକଗଣଙ୍କ ଦ୍ୱାରା ଘଟିଥିବା ଏହି ଅକର୍ମକୁ ଲିଂଚିଂ ବା ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟାକାଣ୍ଡ ବୋଲି ନିର୍ବିବାଦରେ କୁହାଯାଇପାରିବ|

ଜଣାପଡ଼ିଛି, ସମୁଦାୟ ଘଟଣାଟି ଅତି ସାମାନ୍ୟ କଥାରୁ ଆରମ୍ଭ ହୋଇଥିଲା| ଫ୍ଲଏଡ ଏକ ଦୋକାନରୁ ସିଗାରେଟ କିଣି ଗୋଟେ ଜାଲିନୋଟ ଦେବା ପରେ ଦୋକାନୀ ପୋଲିସକୁ ଫୋନକରି ଖବରଦେଇଥିଲା| ୪ଜଣ ପୋଲିସ ଅଧିକାରୀ ସେଠାରେ ତୁରନ୍ତ ପହଞ୍ଚି ତାଙ୍କୁ ହାତକଡ଼ି ପକାଇବା ବେଳେ ରାସ୍ତା ଉପରେ ତାଙ୍କ ବେକ ଓ ପିଠି ଉପରେ ମାଡ଼ିବସିଥିଲେ| ବିଭିନ୍ନ ଭିଡିଓ ଫୁଟେଜରୁ ଦେଖାଯାଉଛି ସେମାନଙ୍କ ଭିତରୁ ଡେରେକ ଚୌଭିନ ନାମଧାରୀ ଅଧିକାରୀ ଜଣକ ଫ୍ଲଏଡଙ୍କ ବେକଉପରେ ଆଣ୍ଠୁପକାଇ ଦୀର୍ଘ ୮ମିନିଟ ୪୬ ସେକେଣ୍ଡ ଧରି ମାଡ଼ିବସିଥିଲେ ଏବଂ ଅନ୍ୟ ତିନିଜଣ ପିଠି ଉପରେ ପ୍ରବଳ ଚାପପକାଇ ଚାଲିଥିଲେ| ବ୍ୟବଛେଦରୁ ଜଣାପଡ଼ିଛି, ଚୌଭିନଙ୍କ ସମୁଦାୟ ସମୟର ଏହି ନୃଶଂସତା ଭିତରୁ ୨ମିନିଟ ୫୩ସେକେଣ୍ଡ ଥିଲା ତାଙ୍କର ନିଷ୍ପ୍ରାଣ ଶରୀର ଉପରେ|

ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇଛନ୍ତି ଯେ, ସେ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ବୋଲି କାକୁତିମିନତି କରୁଥିଲେ ମଧ୍ୟ ପୋଲିସ କିଛି ଶୁଣିନଥିଲା| ଏପରିକି ପଥଚାରୀମାନେ ସେମାନଙ୍କୁ ଏପରି କ୍ରୁର ନହେବା ପାଇଁ କହୁଥିଲେ ସୁଦ୍ଧା ସେମାନେ କର୍ଣ୍ଣପାତ କରିନଥିଲେ| ଜଣାପଡ଼ିଛି, ଚୌଭିନ ଓ ଫ୍ଲଏଡ ଦୁହେଁ ପରସ୍ପରକୁ ଘନିଷ୍ଠ ଭାବେ ଜାଣନ୍ତି| କାରଣ ପୁର୍ବରୁ ଦୁହେଁ ଏକ ଫୁଟବଲ୍ କ୍ଲବ୍ ରେ ବାଉନ୍ସର ବା ସୁରକ୍ଷାକର୍ମୀ କାର୍ଯ୍ୟ କରୁଥିଲେ|

ନାଗରିକ ଅଧିକାର ଲାଗି କାର୍ଯ୍ୟକରୁଥିବା ବ୍ୟକ୍ତିମାନେ କହିଛନ୍ତି, କେତେକ ଗୋରାଚମଡ଼ାଧାରୀ ପୋଲିସ କଳାଲୋକମାନଙ୍କୁ ଅତ୍ୟନ୍ତ ଘୃଣ୍ୟଚକ୍ଷୁରେ ଦେଖିବାର ପ୍ରବୃତ୍ତିରୁ ମୁକ୍ତ ହୋଇପାରିନାହାଁନ୍ତି| ବାସ୍ତବରେ ଏହା କେବଳ ବର୍ଣ୍ଣବିଦ୍ବେଷ ନୁହେଁ ବରଂ ଆଫ୍ରିକୀୟ-ଆମେରିକୀୟ ଜାତି ପ୍ରତି ଅଜ୍ଞତା ପ୍ରେରିତ ଅସୂୟା| କାରଣ ଅଳ୍ପଦିନ ପୂର୍ବରୁ ଆହୁରି ୪ଜଣ ଆଫ୍ରିକୀୟଙ୍କୁ ପୋଲିସ ନିର୍ମମ ଭାବେ ଆଇନଶୃଙ୍ଖଳା ରକ୍ଷା ନାଁ’ରେ ହତ୍ୟା କରିଥିଲା| ଏଭଳି ଲୋମହର୍ଷଣକାରୀ ପରିସ୍ଥିତି ବାରମ୍ବାର ଘଟିବା ପରେ ଲାଗୁଛି, ଗ୍ରେଟ୍ ବ୍ରିଟେନର ଅତ୍ୟାଚାରୀ ଶାସନ କବଳରୁ ୧୭୭୬ ଜୁଲାଇ ୪ରେ ସ୍ବାଧିନତା ଲାଭକରିଥିବା ଆମେରିକା ୨୪୪ବର୍ଷ ପରେ ବି ସୁଧୁରିପାରିନି| ସ୍ବାଧିନତାର ଉଦ୍ଘୋଷଣା କାଳରେ ଯେଉଁ ବ୍ୟକ୍ତି-ସ୍ବାଧିନତା ଓ ସମାନତାକୁ ପରମ ଆଦର୍ଶ ଭାବରେ ଗ୍ରହଣ କରାଯାଇ ବିଶ୍ବରେ ମାନବତାର ବୈଜୟନ୍ତୀ ଉତ୍ତୋଳିତ ହୋଇଥିଲା ତାହା ସେହି ରାଷ୍ଟ୍ରରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିବାର ନଜିର ରହିଛି ଇତିହାସରେ|

ଆଗାମୀ ଜୁଲାଇ ୪ରେ ଆମେରିକୀୟ ସ୍ବାଧିନତାର ୨୪୪ତମ ସ୍ବନକ୍ଷତ୍ର ଦିବସ ପାଖେଇଆସୁଥିବା ବେଳେ ବର୍ଣ୍ଣବିଦ୍ବେଷର କୁସଂସ୍କାର ଦ୍ବାରା ପୀଡ଼ିତ ଏପରି ମାନବତା-ବିରୋଧି ଲଜ୍ଜାଜନକ ଘଟଣା ଯେ ସେ ଦେଶରେ ଅଦ୍ୟାବଧି ତିଷ୍ଠିରହିଛି ତାହା ଭାବିଲେ ହୃଦୟ ଭାଙ୍ଗିପଡୁଛି| ଏହି ଘଟଣାରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜନସାଧାରଣଙ୍କୁ ଆଶ୍ବାସନା ଦେବେ କ’ଣ କହିଥିଲେ, ଯେଉଁମାନେ ଫ୍ଲଏଡ଼ଙ୍କ ମୃତ୍ୟୁରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସେମାନେ ଠଗ ବା ଅସ୍ଥିରତା ସୃଷ୍ଟିକାରୀ ଅପରାଧି| ପୋଲିସ ସେମାନଙ୍କ ପ୍ରତି ସଦୟ ରହିଛନ୍ତି, ଅନ୍ୟଥା ସେମାନେ ଆହୁରି ଭୟାନକ ଅସ୍ତ୍ର ଓ ମଣିଷମରା କୁକୁର ବ୍ୟବହାର କରିପାରିଥାନ୍ତେ| ଏପରି ଅର୍ବାଚୀନ ମନ୍ତବ୍ୟ ଜନତାର କ୍ରୋଧକୁ ବଢ଼ାଇଦେଇଛି| ସବୁଠି ଜନତାର ନାରା ‘ଆବୋଲିସ୍ ପୋଲିସ’ ଅର୍ଥାତ୍ ପୋଲିସ ବ୍ୟବସ୍ଥାକୁ ଲୋପକର|

ସମ୍ପୃକ୍ତ ୪ପୋଲିସଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ୟ କେବଳ ଚୌଭିନଙ୍କ ନାମରେ ନରହତ୍ୟାର ଦଫା ଲଗାଇଥିଲା ଏବଂ ଅନ୍ୟମାନଙ୍କୁ କୋହଳ ଦଫା ଲଗାଇ ଖସାଇଦେବାର ଅପଚେଷ୍ଟା ହେଉଥିବା ଫ୍ଲଏଡଙ୍କ ପରିବାର ଅଭିଯୋଗ କରିଥିଲେ| ସେମାନଙ୍କ ପକ୍ଷରୁ ନିଯୁକ୍ତ ସ୍ବାଧିନ ତଦନ୍ତକାରୀ ସମୁଦାୟ ୪ଜଣ ଅଧିକାରୀଙ୍କୁ ହତ୍ୟା ଅପରାଧରେ ବିଚାରକରିବାକୁ ଦାବିକରିଛନ୍ତି| ଏପରିକି ଚୌଭିନଙ୍କୁ ଥାର୍ଡଡିଗ୍ରୀ ମର୍ଡର କରିଥିବାର ମାମଲାରେ ଦର୍ଶାଯାଇଥିବା ବେଳେ ପରିବାର ତଥା ମାନବାଧିକାର ପ୍ରବକ୍ତାମାନେ ସମସ୍ତଙ୍କୁ ଫାଷ୍ଟ ଡିଗ୍ରି ମର୍ଡର ଦଫାରେ ଗିରଫ ଲାଗି ସ୍ବର ଉତ୍ତୋଳନ କରିଛନ୍ତି| ଜଣାପଡ଼ିଛି, ସେମାନଙ୍କ ଭିତରୁ ଏବେ ଜଣେ ଜାମିନରେ ମୁକୁଳିଛନ୍ତି|

ପ୍ରକୃତରେ ଏଭଳି ଦୁରାଚାର ଲିଂଚିଂ ପଦବାଚ୍ୟ, ଏଥିରେ ସନ୍ଦେହରହିବା ଉଚିତ ନୁହେଁ| କାରଣ ଆମେରିକୀୟ ସମାଜରେ ଏଯାବତ୍ କେତେକ ଗୋରା ଲୋକଙ୍କ ମଧ୍ୟରେ କଳାଗୋରା ଭେଦଭାବ ବା କୃଷ୍ଣକାୟଙ୍କ ପ୍ରତି ହିଂସ୍ରତା ତିଷ୍ଠିରହିଛି| ସେହି ସମାଜ ଭିତରୁ ଆସିଛନ୍ତି ପୋଲିସ| ତେଣୁ କିଛି ପୋଲିସ ବି ଏପରି ହୀନମନ୍ୟତାର ଶୀକାର ହେବା ବିଚିତ୍ର ନୁହେଁ| ସରକାରୀ ହିସାବରୁ ଜଣାଯାଇଛି, ଦେଶରେ ୧୮୮୨-୧୯୬୮ ମସିହା ଭିତରେ ୪୭୪୩ ବ୍ୟକ୍ତି ଲିଂଚିଂ ବା ସଙ୍ଘବଦ୍ଧ ହତ୍ୟାକାଣ୍ଡରେ ପ୍ରାଣହରାଇଛନ୍ତି| ସେଥିରୁ ୩୪୪୬ଜଣ ହେଉଛନ୍ତି କୃଷ୍ଣକାୟ ପୁରୁଷ, ମହିଳା ତଥା ଶିଶୁ, ଯାହା ସମୁଦାୟ ଏଭଳି ଅସ୍ବାଭାବିକ ମୃତ୍ୟୁର ୭୩ ପ୍ରତିଶତ| ମାତ୍ର ଏହାର ନିରାକରଣ ଦିଗରେ ରାଷ୍ଟ୍ରର ଆଇନପ୍ରଣେତାମାନେ ଯେଭଳି ଦୃଷ୍ଟିଦେବା କଥା ତାହା କରିନାହାଁନ୍ତି| କେବଳ ଚମଡ଼ାର ରଙ୍ଗରେ ଅନ୍ତର ଯୋଗୁ ଏବେ ବି କୃଷ୍ଣକାୟ ଲୋକଙ୍କୁ ହତ୍ୟା କରାଯାଉଛି ଏବଂ ଶବକୁ ସେମାନଙ୍କ କଲୋନୀରେ ଘୋଷାରି ଭୟର ବାତାବରଣ ସୃଷ୍ଟି କରାଯାଉଛି|

ବଡ଼ ବିଚିତ୍ର କଥା ହେଲା, କଳା ଲୋକମାନଙ୍କୁ ଦାସ ଭାବରେ ରଖି ସଭ୍ୟତାର ଇମାରତ ଗଢ଼ିଥିବା ଗୋରାମାନେ ବିଭିନ୍ନ ସମୟରେ ସେମାନଙ୍କ ଉପରେ ଅହଂପ୍ରେରିତ ହୋଇ ହିଂସ୍ର ଆଚରଣ କରିଛନ୍ତି| ସେମାନଙ୍କୁ ଦ୍ବିତୀୟ ଶ୍ରେଣୀର ମଣିଷ ଭାବେ ଗଣୁଛନ୍ତି| ଏବେ ବି ସେମାନଙ୍କୁ ଯାତନା ଦିଆଯାଉଛି, ଯାହାକୁ ସମ୍ପୃକ୍ତ ଏବଂ ସମର୍ଥକଗଣ ନ୍ୟାୟୋଚିତ ବୋଲି ଭାବୁଛନ୍ତି| ନିଜଘର ସମ୍ଭାଳିବାରେ ଅସମର୍ଥ ଆମେରିକୀୟ ସାଂସଦଗଣ କିନ୍ତୁ ବିଶ୍ବରେ ଘଟୁଥିବା ଏପରି ଘଟଣାରେ ବେଶି ମୁଣ୍ଡ ପୁରାଉଛନ୍ତି| ସମୟ ଆସିଛି ଆମେରିକୀୟ ରାଜନେତା ଓ ବୁଦ୍ଧିଜୀବୀମାନେ ନିଷ୍ଠା ଓ ଆନ୍ତରିକତାର ସହିତ ବର୍ଣ୍ଣବିଦ୍ବେଷର କଳଙ୍କ ଦୂରକରିବା ଲାଗି ମାନବୀୟ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ|

ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟିକ ପାର୍ଟି ଏବେ ପୋଲିସ ଆଇନରେ ସଂସ୍କାର ଲାଗି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଛି| କିନ୍ତୁ ସିନେଟରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ସଂଖ୍ୟାଗରିଷ୍ଠ ରହିଥିବାରୁ ଏହାକୁ ପାରିତକରିବା ଲାଗି ସେମାନଙ୍କ ସମର୍ଥନ ନିହାତି ଆବଶ୍ୟକ| ତେବେ ଏହି ସଂସ୍କାର ଯୋଜନା ଯେତେଶିଘ୍ର ଗୃହୀତ ହେବ ତାହା ଦେଶର ଶାନ୍ତି ଓ ପ୍ରଗତି ଲାଗି କଲ୍ୟାଣକର ସାବ୍ୟସ୍ତ ହୋଇପାରିବ| ବାସ୍ତବରେ ତାହାହିଁ ଆମେରିକୀୟ ସ୍ବାଧିନତାର ଉଦାତ୍ତ ଉଦ୍ଘୋଷଣାକୁ ମର୍ଯ୍ୟାଦାମଣ୍ଡିତ କରିବ|

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.