ବେଳ ହୁଁ ସାବଧାନ

ଆଜିର ଶିଶୁ କାଲିର ଭବିଷ୍ୟତ। ଏହା ସବୁ ଜାଗାରେ ଶୁଣିବାକୁ ମିଳେ। କନ୍ୟାରତନ କର ଯତନ, ବେଟି ପଢ଼ାଓ ବେଟି ବଚାଓ। ଏସବୁ ସ୍ଲୋଗାନ ସବୁ ଶୁଣିବାକୁ ସତରେ କେତେ ସୁନ୍ଦର। କିନ୍ତୁ କାମରେ ଯଦି ଦେଖିବା ତା’ହେଲେ ଏସବୁ ଖାଲି ସ୍ଲୋଗାନରେ ହିଁ ରହିଯାଇଛି । କାର୍ଯ୍ୟକାରୀ ହୋଇପାରୁନି। ଏହାର ନଗ୍ନ ଉଦାହରଣ ହେଉଛି- ‘ପରୀ ରଥ’ କାର୍ଯ୍ୟକ୍ରମ ଓ ଆମ ରାଜ୍ୟରେ ୨୭ହଜାର ଶିଶୁ ନିଖୋଜ ଘଟଣା।

‘ପରୀ ରଥ’ର କଥା ଏଇଠି ଆଲୋଚନା କରାଯିବାର କାରଣ ହେଲା ଯେ ‘ପରୀ ରଥ’ କାର୍ଯ୍ୟକ୍ରମର ସମୟସୀମା ବହୁତ ଅଳ୍ପଦିନ ଥିଲା ଏବଂ ରାଜ୍ୟ ତମାମ ରଥ ଗଡ଼ି ଗଡ଼ି ଯାହା ପ୍ରଚାର ପ୍ରସାର କରିବାର ମୂଳଲକ୍ଷ୍ୟ ଥିଲା ତାହା ସୀମିତ ସମୟ ଯୋଗୁ ଲକ୍ଷ୍ୟଭ୍ରଷ୍ଟ ହୋଇପଡ଼ିଲା। ଏଇଥିପାଇଁ ‘ଲକ୍ଷ୍ୟଭ୍ରଷ୍ଟ’ ହେଲା ବୋଲି କହୁଛୁ ଯେ, ୨୦୧୮ରେ ଶିଶୁଙ୍କୁ ନିର୍ଯାତନା ଦେବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିଲା। ଚାଇଲଡ୍ ପର୍ଣ୍ଣୋଗ୍ରାଫି(ଶିଶୁଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ) କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ କ୍ରମାଗତ ୨୦୧୮ ଓ ୨୦୧୯ ମସିହାରେ ଶୀର୍ଷରେ ରହିଛି। ୨୦୧୮ମସିହାରେ ୩୩୩ଟି ଚାଇଲଡ ପର୍ଣ୍ଣୋଗ୍ରାଫି କେସ୍ ରୁଜୁ କରି ଓଡ଼ିଶା ସର୍ବଭାରତୀୟ ସ୍ତରରେ ଶୀର୍ଷରେ ଥିବାବେଳେ ୨୦୧୯ ମସିହାରେ ୫୪୨ଟି ଅନୁରୂପ ମାମଲା ରୁଜୁ ହୋଇଥିଲା। ତେଣୁ ଏଥିରୁ ସ୍ପଷ୍ଟ ଯେ, ଶିଶୁଙ୍କୁ ସୁରକ୍ଷା ଯୋଜନା କେଉଁଠି ନା କେଉଁଠି ଫେଲ୍ ମାରିଛି? ଏହା ମଧ୍ୟ ଆମ ସମସ୍ତଙ୍କୁ ଗ୍ରହଣ କରିବାକୁ ବି ପଡ଼ିବ।

୨୦୧୯ ମସିହାରେ ୩୧୫୧ଜଣ ପିଲା ନିଖୋଜ ହୋଇଥିବାବେଳେ ପ୍ରତି ଘଣ୍ଟାରେ ୧୫ଜଣ ଶିଶୁ ନିଖୋଜ ହେଉଛନ୍ତି। ନୟାଗଡ଼ର ପରୀ ଘଟଣା ପରେ ରାଜ୍ୟର ବହୁସଂଖ୍ୟକ ପିଲା ନିଖୋଜ ହେଉଥିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ପରେ ପୁଲିସ ବିଭାଗ ତତ୍ପର ହୋଇଉଠିଛି। ଶିଶୁ ନିଖୋଜ ଘଟଣାର ସମୀକ୍ଷା କରି ଏକ ସ୍ୱତନ୍ତ୍ର ଟିମ୍ ଗଠନ ସହ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ବିଭାଗ ନିଷ୍ପତ୍ତି ନେଇଛି। ପୁଲିସର ଏଭଳି ନିଷ୍ପତ୍ତି ନିହାତି ଭାବେ ସ୍ୱାଗତଯୋଗ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି, ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଯେଉଁ ସମୟସୀମା ପୁଲିସ ବିଭାଗ ପକ୍ଷରୁ ସ୍ଥିରୀକୃତ ହୋଇଛି ତାହା ହେଉଛି ମାତ୍ର ୭ଦିନ। ଏତେ କମ୍ ସମୟ ମଧ୍ୟରେ କିଭଳି ଏଭଳି କାର୍ଯ୍ୟକ୍ରମ ସଫଳ ହେବ ତାହା ଚିନ୍ତା କରିବା କଥା। ଯେଉଁ ହାରରେ ଓଡ଼ିଶାରେ ଶିଶୁ ନିଖୋଜ ହୋଇଛନ୍ତି ତାକୁ ଦେଖିଲେ ପୁଲିସର ଏଭଳି କାର୍ଯ୍ୟକ୍ରମ କଦାପି ଫଳପ୍ରଦ ହେବ ନାହିଁ। ଏହା ମଧ୍ୟ ଏବେଠୁ ଜଳଜଳ ହୋଇ ଦିଶିଲାଣି।

ଏତେ ଶିଶୁ ନିଖୋଜ, କିନ୍ତୁ ପ୍ରୟାସ ହେବ ମାତ୍ର ୭ଦିନ। ଏକଥା ଟିକେ ଅଡ଼ୁଆ ଲାଗୁଛି। ଆମର ଭାରତୀୟ ଦଣ୍ଡବିଧି ସଂହିତା(ଆଇପିସି)ରେ ‘ଶିଶୁ ଅପହରଣ’କୁ ଗୁରୁତର ଅପରାଧ ଭାବେ ବିବେଚନା କରାଯାଇଛି। ଧାରା -୩୬୩ରେ ଏଥିପାଇଁ ଉଭୟ ଜେଲ୍ ଓ ଜୋରିମାନାର ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଏଇ ଯେଉଁ ୭ଦିନର ଶିଶୁ ଖୋଜା ଅଭିଯାନ ହେବ, ତାହା ଏଇ ଶିଶୁ ଅପହରଣ ଘଟଣାକୁ ବଢ଼େଇବ ନା କମାଇବ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କାରଣ ଏତେ ଶିଶୁ ନିଖୋଜ ଅଛନ୍ତି, କିଏ ରାଜ୍ୟ ବାହାରେ ଥିବେ ତ କିଏ କେଉଁ ପରିସ୍ଥିତିରେ କେଉଁ ଦୁର୍ଗମ ଅଂଚଳରେ। ସେମାନଙ୍କ ପାଇଁ କ’ଣ ୭ଦିନର ଅଭିଯାନ ଯଥେଷ୍ଟ କି? ସାତ ଦିନର ଅଭିଯାନ ପରିବର୍ତ୍ତେ ଏହି ଶିଶୁ ନିଖୋଜ ଭଳି ଗୁରୁତର ଅପରାଧ ଘଟଣାରେ ପୁଲିସ ପ୍ରଶାସନ ଅଧିକ ତତ୍ପରତା ଦେଖାଇ ଏହାକୁ ‘ନିରନ୍ତର ଅଭିଯାନ’ କରନ୍ତେ ତା’ହେଲେ ନିଶ୍ଚୟ ସୁଫଳ ମିଳିପାରନ୍ତା। ତତ୍‌ସହିତ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ କୌଣସି ଶିଶୁ ନିଖୋଜ ଘଟଣା ନେଇ ପରିବାର ଲୋକେ ନିକଟସ୍ଥ ଥାନାକୁ ଯାଉଛନ୍ତି, ସେତେବେଳେ ସମ୍ପୃକ୍ତ ଥାନା ଅଧିକାରୀ ଯେତେ କାର୍ଯ୍ୟ ଚାପରେ ଥିଲେ ମଧ୍ୟ ଏଭଳି ଘଟଣାକୁ ଅଧିକ ପ୍ରାଥମିକତା ଦେଇ ମାନବିକତା ଦୃଷ୍ଟିକୋଣରୁ ସେହି ପରିବାର ପ୍ରତି ଆନ୍ତରିକତା ଦେଖାଇବା ନିହାତି ଜରୁରୀ। କାରଣ ଏଭଳି ବହୁତ ଉଦାହରଣ ରହିଛି ଯେଉଁଠି କିଛି ପୁଲିସ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଶିଶୁଟିଏ ନିଖୋଜ ହେଲାପରେ ଆଉ ସହଜରେ ତାକୁ ଠାବ କରାଯାଇପାରେ ନାହିଁ। ଯଦିଓ ବର୍ତ୍ତମାନର ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ଥାନାଗୁଡ଼ିକର ଅଧିକାଂଶ କାର୍ଯ୍ୟ ଅନଲାଇନରେ ସମ୍ପାଦନ ହୋଇପାରୁଛି। ତେଣୁ ଜଣେ ଥାନା ଅଧିକାରୀ ଚାହିଁଲେ ଓ ତତ୍କାଳ ପଦକ୍ଷେପ ନେଲେ ନିଖୋଜ ଶିଶୁକୁ ଖୁବ ସ୍ୱଳ୍ପ ଅବଧିରେ ଠାବ କରାଯାଇପାରିବ।

ତେଣୁ ପୁଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏସବୁ ଦିଗ ପ୍ରତି ନଜର ଦେବାର ଆବଶ୍ୟକତା ରହିଛି। ତା’ଛଡ଼ା ଶିଶୁ ନିଖୋଜ ଘଟଣାରେ ସରକାରୀ ସ୍ତରରେ ମଧ୍ୟ ନିୟମିତ ଉଚ୍ଚସ୍ତରୀୟ ସମୀକ୍ଷା ବି ଜରୁରୀ। କିଛି ବ୍ୟବସ୍ଥାରେ ପରିବର୍ତ୍ତନ ସାଙ୍ଗକୁ ଶିଶୁ ଖୋଜା ଅଭିଯାନକୁ ତ୍ୱରାନ୍ୱିତ କରିପାରିଲେ ଆମେ ଏଇ ସୁନ୍ଦର ନିଷ୍ପାପ ଶିଶୁମାନଙ୍କୁ ଗୋଟିଏ ସ୍ୱାସ୍ଥ୍ୟକର ପରିବେଶ ଦେଇପାରିବା।

ସରକାର,ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଭାବେ ଶିଶୁମାନଙ୍କ ସୁରକ୍ଷା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାର ସମୟ ଆସିଛି । ଖାଲି ସ୍ଲୋଗାନ ନୁହେଁ ସେମାନଙ୍କ ସୁରକ୍ଷା ପାଇଁ ନିରନ୍ତର ଅଭିଯାନ ହିଁ ଏହାକୁ ବାସ୍ତବ ରୂପ ଦେଇପାରିବ। ସମସ୍ତେ ସଚେତନ ଓ ଆନ୍ତରିକତାର ସହ କାର୍ଯ୍ୟ କଲେ ହଜିଯାଉଥିବା ଶିଶୁଟି ନିଶ୍ଚିତ ଭାବେ ମା’ କୋଳକୁ ଫେରିପାରିବ। ତେଣୁ ବେଳହୁଁ ସାବଧାନ ନହେଲେ  ଏ ‘ପରୀ ରଥ’ ଅଭିଯାନ କେବଳ ଧର୍ମକୁ ଆଖିଠାର ମାରିବା ଭଳି ହେବ ସିନା, ବାସ୍ତବ ଲକ୍ଷ୍ୟ ପୂରଣ ହେବନି କି ନିଜର ନିଖୋଜ ଶିଶୁର ଫେରିବାକୁ ଚାତକ ଭଳି ଚାହିଁ ବସିଥିବା ମା’ର ଲୁହ ବି ଶୁଖିବ ନାହିଁ ।