Latest Odisha News

BREAKING NEWS

ବିଶ୍ୱ ନାଟକ ଦିବସରେ ପଦେ

ବିଶ୍ୱ ନାଟକ ଦିବସ ଅବସରରେ ନାଟ୍ୟକାର ମୁକୁନ୍ଦ ଶତପଥୀଙ୍କର ସ୍ୱତନ୍ତ୍ର ଆଲେଖ୍ୟ 

ସୃଷ୍ଟି ଆରମ୍ଭରୁ କ୍ରମ ବିବର୍ତ୍ତନ ଧାରାରେ ବିବର୍ତ୍ତିତ ମଣିଷ କଥା କହି ପାରୁ ନଥିଲା ବେଳେ ନିଜକୁ ପ୍ରକାଶ କରିବାକୁ ଯେ କି କଷ୍ଟ ଆପଣେଇଥିବ ତାହା ଅନୁମେୟ। ନିଜର ମନୋଭାବକୁ ପ୍ରକାଶ କରିବାକୁ ସେ ସହାୟତା ନେଇଥିବ ବିଭିନ୍ନ ଅଙ୍ଗ-ଭଙ୍ଗୀର। ଅଙ୍ଗଭଙ୍ଗୀର ଚାଳନାରେ ବିଫଳ ହେଇଥିବା ମଣିଷ ଖୋଜୁଥିବ ଶବ୍ଦକୁ। ସେ ଆନନ୍ଦିତ ହେଇ କେତେବେଳେ ମୁକ୍ତ ଆକାଶ ତଳେ ଘୁରି ବୁଲୁଥିବ ତ କେତେବେଳେ ଦୁଃଖରେ ଭାଙ୍ଗି ଝରାଉଥିବ ଲୁହ। ଶବ୍ଦମାନେ ତା ପାଖରେ ଅପହଞ୍ଚ ଥିବା ବେଳେ ଅଙ୍ଗ ଚାଳନା ତା ପାଇଁ ଭାବର ପ୍ରକାଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇଥିବ। ସେ ଶବ୍ଦ ଶିଖିଥିବ ଝରଣାର କୁଳୁକୁଳୁ ନାଦରୁ…ମେଘର ବଜ୍ରଗମ୍ଭୀର ଶବ୍ଦରୁ..ପକ୍ଷୀର କାକାଳୀରୁ। କେବଳ ଅଙ୍ଗଚାଳନାରେ ମନୋଭାବକୁ ପ୍ରକାଶ କରିବାର ମାଧ୍ୟମ ବୋଲି ବିଶ୍ୱାସ ରଖୁଥିବା ମଣିଷ ହଠାତ ଦିନେ ଶବ୍ଦଟିଏ କହିଥିବ ଓ ଅତୃପ୍ତିରୁ ଟିକିଏ ତ୍ରାହି ପାଇଥିବ।ତା ପରେ ପର୍ଯ୍ୟାପ୍ତ ହେଇଥିବ ତା ଶବ୍ଦଭଣ୍ଡାର। ଏଥର ଅଙ୍ଗିକ ଚାଳନା ନୁହେଁ ଶବ୍ଦ ତାକୁ ପ୍ରକାଶ କରୁଥିବ। ପ୍ରଥମ ଶବ୍ଦର ଉଚ୍ଚାରଣରେ ସେ ଉନ୍ମାଦ ହୋଇ ଯାଇଥିବ ଓ ସାମଗ୍ରିକ ଭାବରେ ଶବ୍ଦ ଓ ଅଙ୍ଗଚାଳନାରେ ସେ ହେଉଥିବ ସମ୍ପୂର୍ଣ ଯାହା ନାଟକର ଦୁଇଟି ବିଭବ । ଏଣୁ ମଣିଷ ଜୀବନର ପ୍ରଥମରୁ ତା ଅଜାଣତରେ ନାଟକ ସହ ଯୋଡି ହେବା କଥା ଅନାସ୍ୱୀକାର୍ଯ୍ୟ।

ଫଟୋ ସୌଜନ୍ୟ : ଶ୍ଵେତପଦ୍ମା ଥିଏଟର

ଅଳ୍ପ ଶବ୍ଦରେ ସନ୍ତୁଷ୍ଟ ହେଉଥିବା ମଣିଷ ତାପରେ ନବରସକୁ ଆପଣେଇଥିବ ଓ ମନ ଚେତନାର ବିଭିନ୍ନ ଅବସ୍ଥାକୁ ପ୍ରକାଶ କରିବାକୁ ସେ ଖୁସିରେ ହସିଥିବ, ଦୁଃଖରେ କାନ୍ଦିଥିବ ଓ କ୍ରୋଧରେ ଚିତ୍କାର କରିଥିବ। ଏଣୁ ନାଟକ ଓ ଜୀବନ ଅଭିନ୍ନ ଏଥିରେ ସାମାନ୍ୟ ସନ୍ଦେହ ନାହିଁ । ପ୍ରତି ମୁହୂର୍ତ୍ତରେ ମଣିଷ ନାଟକ କରି ଆସୁଛି ଓ କରିବାକୁ ବାଧ୍ୟ। ସେକ୍ସପିର କହିଥିଲେ..ଏ ଜୀବନ ଏକ ରଙ୍ଗମଞ୍ଚ ଆଉ ପ୍ରତ୍ୟେକ ମଣିଷ ଏକ ଏକ ଚରିତ୍ର। କେତେବେଳେ ସେ ଯୋଦ୍ଧା ତ କେତେବେଳେ କେତେବେଳେ ଭୀତତ୍ରସ୍ତ। କେତେବେଳେ ଯୁଝିଛି ତ କେତେବେଳେ ପଳାୟନ କରିଛି ଜୀବନସହ ସାଲିସ କରି ନପାରି। ଏଣୁ ମଣିଷ ଜୀବନରେ ଏ ଅନୁଭୂତି କୁ ଅନ୍ୟମାନଙ୍କ ସହ ବାଣ୍ଟିବାର ଇଚ୍ଛାରୁ ଜନ୍ମନେଇଛି ମଞ୍ଚନାଟକ।ନାଟକ ସାହିତ୍ୟର ଏକ ସମୃଦ୍ଧ ବିଭାଗ।ଦୃଶ୍ୟ ଓ ଶ୍ରାବ୍ୟକୁ ନେଇ ନେଇ ଏକ ମିଶ୍ରକଳା ହେଇଥିବାରୁ ଏହାର ପୂର୍ଣ୍ଣତା ମଞ୍ଚନରେ ଆସେ । ମଣିଷ ବାରମ୍ବାର ଏହି ମଞ୍ଚରେ ନିଜକୁ ଆବିଷ୍କାର କରିଛି ଓ ଚରିତ୍ର ସହ ଏକାତ୍ମ ହେଇ ନିଜକୁ ଯେତେବେଳେ ହଜେଇ ଦେଇଛି ଓ ନିଜକୁ ଚରିତ୍ରଟିଏ କରିଦେଇଛି ନାଟକ ସେତିକି ଜୀବନଧର୍ମୀ ହେଇଛି ଓ ସଫଳ ହେଇଛି।

ନାଟକ ସମାଜରେ ଘଟୁଥିବା ଘଟଣାକୁ ନେଇ ଗତି କରୁଥିବାରୁ ମଣିଷ ତାର ପ୍ରଥମ ଉପାଦାନ। ମଣିଷ ଜୀବନର ଘାତ ପ୍ରତିଘାତ ଓ ସଂଘର୍ଷ ହେଉଛି ମଣିଷର ଉପଜିବ୍ୟ। ହୁଏତ ମନୋରଞ୍ଜନ ପାଇଁ ଏଥିରେ ଅଳ୍ପ ଖାଦ ମିଶେଇବାର ଆବଶ୍ୟକତା ପଡିଛି; ଏହା ନାଟକର ଭାଗ୍ୟ ନିୟନ୍ତ୍ରଣ କରି ପାରିନାହିଁ। ନାଟକର ବିଭିନ୍ନ ଉପାଦାନ ଗୁଡିକ ଜୀବନଧର୍ମୀ ହେବାକୁ ବାଧ୍ୟ।ଏହାର କାହାଣୀ ଜୀବନର କଥା କହିଥାଏ। ବେଳେବେଳେ ମଣିଷ ମନର ଅନ୍ତଃଚେତନା ବା ଅବଚେତନାର କଥା କହୁଥିବା କାହାଣୀ ଦୁର୍ବୋଧ୍ୟ ହେଇପାରେ କିନ୍ତୁ ଏହାର ଆବଶ୍ୟକତା ଅଛି। ନାଟକର କାହାଣୀ ସବୁବେଳେ ସମୟ ଦ୍ୱାରା ନିୟନ୍ତ୍ରିତ ଓ ସମକାଳୀନ ପୃଥିବୀର ଚିତ୍ର ଦ୍ୱାରା ପ୍ରଭାବିତ ହେଇଥାଏ। ଯୁଦ୍ଧୋତ୍ତର ପୃଥିବୀର ପରବର୍ତ୍ତି ସମୟର ନାଟକ ବାଧ୍ୟ ହେଇଥାଏ କହିବାକୁ ଯୁଦ୍ଧ ଓ ଶାନ୍ତିର କଥା। ନାଟକର ଦ୍ଵନ୍ଦ ମଣିଷ ଓ ସମାଜର ଦ୍ଵନ୍ଦର କଥା କହିଥାଏ। ଏହି ବାର୍ତ୍ତା ନାଟକକୁ କ୍ରିୟାଶୀଳ କରି ଦର୍ଶକଙ୍କ ପାଖରେ ପହଞ୍ଚେଇଥାଏ। ନାଟକ ସମାଜ ସହ ଜଡିତ ଥିବାରୁ ସମସାମୟିକ ସମାଜ ଓ ସାମାଜିକ ଜୀବନର ଅନୁଧ୍ୟାନ ଏହାର ପ୍ରଥମ ଆବଶ୍ୟକତା। ଏହା କଳାକାର ଓ ଦର୍ଶକଙ୍କର ଏକ ଗ୍ରହଣଶୀଳତାର ଯୋଗସୂତ୍ର ଉପରେ ନିର୍ଭର କରୁଥିବାରୁ ଦର୍ଶକଙ୍କ ଶିକ୍ଷା, ଗ୍ରହଣଶୀଳ ଚେତନାସ୍ତର ତଥା ନାଟକଟିର ପରିବେଷଣ ଶୈଳୀ ଏକ ମାନକ ହେଇ ଛିଡ଼ା ହୁଏ।

ଫଟୋ ସୌଜନ୍ୟ : ଶ୍ଵେତପଦ୍ମା ଥିଏଟର

ଏ ପ୍ରସଙ୍ଗରେ ଉପସଂହାରରେ ଏତିକି କୁହାଯାଇପାରେ ନାଟକ ଜୀବନର ଏକ ଆବଶ୍ୟକତା ଓ ଯେଉଁ ନାଟକ ଏହାକୁ ପ୍ରଭାବୀ ଢଙ୍ଗରେ କହିପାରିବ ତାକୁ ସଫଳ ନାଟକରେ ଗଣାଯିବ। ମନୁଷ୍ୟ ବଞ୍ଚିବା ପାଇଁ ନାଟକ କରୁଛି ପ୍ରତି ମୁହୂର୍ତ୍ତରେ ସମାଜ ସହ,ପରିବାର ସହ, ଜୀବନ ସହ। ହୁଏତ ଅଳ୍ପ ସମୟ ପାଇଁ ଖଳନାୟକର ପ୍ରଭାବ ଉପଲବ୍ଧି କରାଯାଇପାରେ କିନ୍ତୁ ନାୟକର ବିଜୟ ସୁନିଶ୍ଚିତ। ଏହି ବ୍ୟାପକତାରେ ବିଶ୍ୱାସ ରଖୁଥିବା ନାଟକ ମଣିଷ ଥିବାଯାଏଁ ବଞ୍ଚିରହିବ ଓ ଜୀବନର କଥା କହୁଥିବା ମଞ୍ଚନାଟକ ଦର୍ଶକଙ୍କୁ ଆମୋଦିତ କରୁଥିବ ଏଥିରେ ସନ୍ଦେହ ନାହିଁ। ନାଟକର ଜୟ ହେଉ।

(ବିଶ୍ୱନାଟକ ଦିବସ ଅବସରରେ)

Comments are closed.