Latest Odisha News

ଅନ୍ଧାର

ଅନ୍ଧାର
ଡା. ଜଗତବଂଧୁ ମହାପାତ୍ର

ଭଲଲାଗେ, ଅନ୍ଧାର
ଆଲୋକର ମାୟା ଠାରୁ ଚାଲିଯିବାକୁ ଦୂରକୁ
ହଜାଇଦେବାକୁ ନିଜର ସ୍ଥିତି
ଅନ୍ଧାରର ପରିଧିରେ
ଯେଉଁଠି ରମଣଠାରୁ ମରଣ ଯାଏ, ସବୁ ଏକାପରି

ଅନ୍ଧାରରେ ଶାନ୍ତି ଅଛି, ଅଛି ତୃପ୍ତି
ସତ୍ୟ, ଶିବ, ସୁନ୍ଦରର ସାନ୍ନିଧ୍ୟତା
ଜୀବାତ୍ମା ସହିତ ପରମାତ୍ମାର ଏକାକାର ନିମନ୍ତେ
ସୃଷ୍ଟିର ଆରମ୍ଭ, ଆଲୋକ ପୂର୍ବରୁ ତ ଅନ୍ଧାର
ଅସ୍ପଷ୍ଟ ହେଲେ ବି ଚିରନ୍ତନ ସତ୍ୟ ସୁନ୍ଦର

ସକାଳର କନକ କିରଣ ଶଯ୍ୟାରେ ବିଚ୍ଛୁରିତ ହେଲେ
ପୁଣି ଏକ ଦୟନୀୟ ଦୁଃଖଦ ଜୀବନ ଜଞ୍ଜାଳ
ଅକର୍ମଣ୍ୟ ହୋଇଯାଏ, ରାତିର ସୁନେଲି ସପନ
ଗୋଧୂଳିର ଆସନ୍ନ ସଂଧ୍ୟାର ବୁକୁଚିରି
ଅନ୍ଧାର ଆସିଥାଏ, ରାତିର ରୂପନେଇ
ଶେଷ କରିବାକୁ, ଅବସନ୍ନ କ୍ଳାନ୍ତିର କବରୀ

ମା’, ଯେଉଁ ଅନ୍ଧକାର ଗର୍ଭରେ ଧରି ରଖିଥାଏ
ଦଶମାସ ଦଶଦିନ ତା’ର ରୁଦ୍ଧ କୋଠରୀରେ
ଧନ, ଜନ, ଗୋପ, ଲକ୍ଷ୍ମୀ କିଛି ତ ଲୋଡା ନ ଥାଏ
ନା ଦରକାର ଥାଏ, ଐଶ୍ଵର୍ୟ୍ୟ ନା ଅମରତ୍ଵ

ଆଲୋକର ଆକର୍ଷଣେ
ପତଙ୍ଗର ତୃଷ୍ଣା ନେଇ ଦଗ୍ଧ ହେବା ଠାରୁ
ବରଂ ଭଲ
ଅନ୍ଧାରର ପ୍ରଶସ୍ତ ବକ୍ଷରେ ହଜିଯିବା
ଲୀନ ହୋଇଯିବା ଅନ୍ଧାରର ସାମ୍ରାଜ୍ୟରେ

ସବୁବେଳେ ଅଳି କରୁଥାଏ
ଅନ୍ଧାର ଗର୍ଭରେ ପରମ ତୃପ୍ତି ପାଇଁ
ସଂରକ୍ଷିତ ଅନ୍ଧାରରେ ଶାନ୍ତି ପାଇଁ
ଥାନ୍ତା, କି ଟିକେ ଯାଗା
ମିଳନ୍ତା, କି ଟିକେ ବିଶ୍ରାମ
ଯେଉଁଠି ନ ଥାନ୍ତା, ଆଲୋକର ଆକର୍ଷଣ
………………………………….

ଗ୍ରାମ – ଅଠରାଙ୍ଗ, ପୋଷ୍ଟ – ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨
ମୋ-୭୯୭୮୬୩୧୪୯୮

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Comments are closed.