Latest Odisha News

BREAKING NEWS

ବିବାଦୀୟ କୋଟିଆକୁ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ନବୀନଙ୍କୁ କହିଲେ ପିତୃତୁଲ୍ୟ

କୋଟିଆ: କୋଟିଆକୁ ନିଜର ବୋଲି କହି ଦାବି କରିବାକୁ ଆନ୍ଧ୍ରପ୍ରଦେଶ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ବେଳେ ସୋମବାର ବିବାଦୀୟ ଅଞ୍ଚଳ ଗସ୍ତ ସମୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରା ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

କୋଟିଆ ଗସ୍ତରେ ଆସିଥିବା ଦୋରା ଦାବି କରିଛନ୍ତି ଯେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଠିକ୍ ଭାଇ ଭଳି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ପିତୃତୁଲ୍ୟ। ଆମେ ସବୁବେଳେ ଓଡ଼ିଶାବାସୀଙ୍କୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛୁ, କାରଣ ଆମେ ତାଙ୍କୁ ଆମ ବାପାଙ୍କ ଭଳି ଭଲ ପାଉଛୁ।

ବଳପୂର୍ବକ ଭାବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନୁପ୍ରବେଶ ସହିତ ଏଭଳି ବୟାନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । କାରଣ ମାସକ ତଳେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇଥିଲେ ଏହି ସମୟରେ ଧର୍ମେନ୍ଦ୍ରଙ୍କ ଆନ୍ଧ୍ର ଗୋବ୍ୟାକ ନାରାକୁ ନେଇ ଆପତ୍ତି ଉଠାଇଥିଲା ପଡ଼ୋଶୀ। ଯାହାକୁ ନେଇ ଓଡିଶାର ଶାସକ ଦଳ ମଧ୍ୟ ସୁହାଇଲା ଭଳି ବିବୃତ୍ତି ରଖିଥିଲା।

ଆଉ ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଭିନ୍ନ ଏକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଦୋରାଙ୍କ ଗସ୍ତ ପୂର୍ବରୁ କିନ୍ତୁ ରାସ୍ତାରେ କାଦୁଅ ପକାଇ ଅବରୋଧ କରାଯାଇଥିଲା। ତେବେ ଏହା ଆନ୍ଧ୍ରକୁ ଚେକମେଟ୍ ଦେବା ପାଇଁ ଓଡିଶାର ଉଦ୍ୟମ ନା ପଡୋଶୀ ରାଜ୍ୟ ଓଡିଶା ଅଧିକାରୀଙ୍କୁ ଘଟଣା ସ୍ଥଳରେ ନପହଞ୍ଚିବାକୁ ଦେବା ପାଇଁ ଉଦ୍ଯମ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

ଦୋରାଙ୍କ ସହ ସାଲୁର ତହସିଲଦାର, ବିଡିଓ, ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ। ଘର ଘର ବୁଲି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଉଦ୍ଦେଶ୍ୟ ଗରିବ ଆଦିବାସୀଙ୍କ ପାଖରେ ଯୋଜନା ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ଆନ୍ଧ୍ର ସରକାର ପୁଣି ଥରେ ଏହି ଯୋଜନାଗୁଡ଼ିକୁ ମଞ୍ଜୁର କରିବେ ବୋଲି ଦୋରା କହିଛନ୍ତି।

କାରଣ ଯାହା ହେଉନା କାହିଁକି, ଓଡ଼ିଶା ଓ ଆନ୍ଧ୍ର ଭାଇ ବୋଲି ଦାବି କରି ଆନ୍ଧ୍ରର ଆଭିମୁଖ୍ୟ ବଦଳିବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରିଛି ଯେ ଏଭଳି ବୟାନ ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥାଇପାରେ?

Leave A Reply

Your email address will not be published.