Latest Odisha News

ପଶୁମାନେ ଅସଲ ଅର୍ଥନୈତିକ ମେରୁଦଣ୍ଡ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର” 

ଗରିବ ଭାରତର ମେହନତି ମଣିଷକୁ ଜୀବନ ବଞ୍ଚିବାକୁ ପଡିଥାଏ ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ । ଗାଆଁଗଣ୍ଡାର ଅଧିବାସୀ ଓ ବଣମୁଲକର ଆଦିବାସୀବର୍ଗର ଜୀବନଶୈଳୀ ହେଉଛି ମଣିଷସମାଜ ସହିତ ପଶୁସମାଜର ଏକ ସୂକ୍ଷ୍ମ ଓ ସୁସମନ୍ୱିତ ପାରିବାରିକ ସମ୍ପର୍କ ସ୍ଥାପନର ସାବଲୀଳ ଶୈଳୀ । ଅଥଚ ଆମ ଭାରତୀୟ ରାଜନୀତିର ଚର୍ଚ୍ଚିତ ଚରିତ୍ରମାନଙ୍କ ମଧ୍ୟରୁ କେତେଜଣ ଗରିବ ଭାରତର ଏ ସ୍ୱତନ୍ତ୍ର ଜୀବନଶୈଳୀକୁ ମାନ୍ୟତା ଦିଅନ୍ତି ? ସେମାନେ ମହାତ୍ମା ଗାନ୍ଧୀ ଓ ଛେଳି ଛୁଆକୁ ମିଶାଇ ଆମକୁ ଗପଟିଏ ଶୁଣାଇପାରନ୍ତି ଭାଷଣରେ, ମାତ୍ର ଗରିବଭାରତର ମଣିଷ ଓ ପଶୁ ପ୍ରତି ସାମାନ୍ୟତମ ଗୁରୁତ୍ୱ ଦେଇଆସିଛନ୍ତି କି ଏ ଗଣତାନ୍ତ୍ରିକ ଶାସନରେ ? ଗରିବ ଭାରତର ଅସଲ ଅର୍ଥନୈତିକ ମେରୁଦଣ୍ଡ ହେଉଛନ୍ତି ପଶୁମାନେ । ଗ୍ରାମ୍ୟ ଅର୍ଥନୀତି ଆଜିଯାଏଁ ବଞ୍ଚି ରହିଛି ଏଇମାନଙ୍କ ଉପରେ ନିର୍ଭର କରି ।

ବର୍ଷକୁ ୫୦ ନିୟୁତ ଟନ୍ କ୍ଷୀର ଯୋଗାଉଥିବା, ୬୦ ନିୟୁତ ହେକ୍ଟର ଜମି ଚଷୁଥିବା, ୧୮,୦୦୦ ନିୟୁତ ଟନ୍ ମାଲ୍‌ ପରିବହନ କରୁଥିବା ସମେତ ଏମାନେ ୫୨୦୦୦ ନିୟୁତ ୱାଟ୍‌ଶକ୍ତି ମଧ୍ୟ ଉତ୍ପନ୍ନ କରନ୍ତି – ଯାହା ଏ ଦେଶର ସମୁଦାୟ ପାୱାର ହାଉସରୁ ଉତ୍ପନ୍ନ ସମ୍ମିଳିତ ଶକ୍ତିଠାରୁ ସୁଦ୍ଧା ଅଧିକ । ଆର୍ଥିକ ମୂଲ୍ୟ ଦୃଷ୍ଟିରୁ ବିଚାର କଲେ ଗ୍ରାମ୍ୟ ଅର୍ଥନୀତିର ଏହି ମେରୁଦଣ୍ଡଦ୍ୱାରା ଭାରତର ଅର୍ଥନୀତି ଅନାୟାସରେ ହାସଲ କରିପାରୁଛି ୫୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବାର୍ଷିକ ବିତ । ଗରିବ
ଭାରତର ୭୨ ପ୍ରତିଶତ ମଣିଷର ଜୀବନଜୀବିକା ଯେଉଁ ପଶୁମାନଙ୍କ ଉପରେ ଏକାନ୍ତ ନିର୍ଭରଶୀଳ, ସେ ମହୋପକାରୀ ପଶୁମାନଙ୍କ ସୁରକ୍ଷାବ୍ୟବସ୍ଥା ପାଇଁ ଆମ ସରକାରୀ ବଜେଟ୍‌ରେ କିନ୍ତୁ ଯେତିକି ବରାଦ ହୋଇଥାଏ – ତାହା ପଶୁ ପିଛା ବର୍ଷକୁ ଟଙ୍କାଟାଏରୁ ବି ଉଣା !

ବଞ୍ଚିଥିବା ଯାଏଁ ମେହନତି ମଣିଷକୁ ସାହାଯ୍ୟ କରିଚାଲିଥିବା ପଶୁମାନେ ମାମୁଲି ରୋଗରେ ବି ମରିଯାନ୍ତି ଗାଆଁ ଗଣ୍ଡାରେ, ସେମାନଙ୍କ ପାଇଁ ଚିକିତ୍ସା କେନ୍ଦ୍ରର ଚିନ୍ତା କେବେ କରନ୍ତି କି ବଡ ବଡ କଥା କହୁଥିବା ନେତୃପକ୍ଷ ? ଅନ୍ତତଃ ଗୋଟିଏ କଥା ମାନସାଙ୍କଠାରୁ ବି ସହଜ – ପଶୁପକ୍ଷୀମାନଙ୍କୁ ମାଂସ ଲୋଭରେ ହତ୍ୟା କରିବା ଅପେକ୍ଷା ବଞ୍ଚାଇ  ରଖିପାରିଲେ ଭାରତର ଅର୍ଥନୀତି ହୋଇପାରିବ ଅଧିକ ସୁସ୍ଥ ଓ ସମୃଦ୍ଧ । ମୁଁ ରାଜନୈତିକ ଦଳମାନଙ୍କୁ ଏ ବିଷୟ ବୁଝାଇବା ଅପେକ୍ଷା
ଅର୍ଥନୈତିକ ବିଶାରଦମାନଙ୍କୁ ଏ ଦିଗରେ ଟିକେ ମୁଣ୍ଡ ଖେଳେଇବାକୁ ଆହ୍ୱାନ କରୁଛି । ଏଥି ସହ ଅଗ୍ରାଧିକାର ଦେଉଛି, ପଶୁ ପରି ବଞ୍ଚିଥିବା ଗରିବ ଭାରତରେ ମଣିଷମାନଙ୍କ ପାଇଁ କିଛି ଅସଲ ସୂତ୍ର ସୃଷ୍ଟି କରିବାର ଇଚ୍ଛାଶକ୍ତି ଓ ସଂକଳ୍ପକୁ ନେଇ ଏକ ରାଜନୈତିକ ନବଜାଗରଣ ଉପରେ ।

ଗରିବ ଭାରତର ୩୦ ପ୍ରତିଶତରୁ ଉର୍ଦ୍ଧ୍ୱ ଉର୍ବର ଜମିକୁ ସମ୍ପ୍ରତି ମାଂସ ଆହରଣ ଉଦ୍ଦେଶ୍ୟରେ ଗୋଚରରେ ପରିଣତ କରାଯାଇଥିବାର ନିର୍ଦ୍ଦୟ ଖବର କ’ଣ ଆମ
ରାଜନେତା ବର୍ଗଙ୍କୁ ସତରେ ଅଜଣା ? ଗୋଟିଏ ପଟେ ଗୋହତ୍ୟା ନିରୋଧ ଆଇନକୁ ଗ୍ରହଣ କରାଗଲା ସିନା, ଆରପଟେ ଏଥିପାଇଁ ସାମାନ୍ୟତମ ଦାୟିତ୍ୱ ବହନ କରାଯାଇପାରିଲାନାହିଁ କେଉଁ ଭୟରେ ? ଭୟ…ହଁ, ଏ ଭୟ ଭୋଟ୍‌ର ଭୟ – ଅଣହିନ୍ଦୁ ଜାତି ଓ ଜନଜାତିର ସମର୍ଥନ ହରାଇବାର ଭୟ । ଅଥଚ ଭୟ ଦ୍ୱାରା ନୁହେଁ, ଭଲପାଇବା ଦ୍ୱାରା ଅଣହିନ୍ଦୁ ସମାଜକୁ ବୁଝାଇ ପାରିବାର ଇଚ୍ଛାଶକ୍ତିକୁ ପ୍ରୟୋଗ ନକରି ଆମ ରାଜନେତା ବର୍ଗ ଚୋରାବାଲିରେ ଚଲଉଛନ୍ତି ସାରା ଦେଶବାସୀଙ୍କୁ । ବରଂ ଧର୍ମୀୟ ବିଭେଦ ଓ ସାମ୍ପ୍ରଦୟିକ ଦଙ୍ଗାକୁ ବି ପରିଣତ କରାଯାଉଛି ନିର୍ବାଚନୀ ପୁଞ୍ଜିରେ । କ୍ଷୋଭର କଥା । ଗୋଟିଏ ଆଧୁନିକ କଂସେଇଖାନାର ଯନ୍ତ୍ରାଂଶଗୁଡିକୁ ଚାଳନା କରିବାରେ ଯେଉଁ ୧୬ ନିୟୁତ ଲିଟର ଜଳ ଦିନକୁ ବ୍ୟବହୃତ ହୁଏ,ସେଥିରେ ଅନ୍ୟୂନ ୯୦ ଲକ୍ଷ ଲୋକଙ୍କ ଦୈନିକ ପାନୀୟ ଜଳର ସମସ୍ୟା ସମାଧାନ କରାଯାଇପାରନ୍ତା ।

ଯେଉଁଠି ଗରିବ ଭାରତ ଆଜି ଉତ୍କଟ ଖାଦ୍ୟସମସ୍ୟାରେ ସଢି ମରୁଚି ଆଉ ପିଇବା ପାଣି ଟୋପାଏ ପାଇଁ ବି ଲଢି ଚାଲୁଛି – ସେଠି କାହା ପାଇଁ ପାଣି ଆଗେ ଦରକାର ? କଂସେଇଖାନା ପାଇଁ ନା ଗରିବଖାନା ପାଇଁ ? ଗରିବ ଭାରତକୁ ଆଦିବାସୀ, ଅଧିବାସୀ ହିନ୍ଦୁ-ଅଣହିନ୍ଦୁରେ ଭାଗ ଭାଗ କରି ଆମେ କ’ଣ ଭାଇମାନଙ୍କ ଭିଟାମାଟିରେ ଭଗାରିଶାସନ ଚଲାଇଥିବା ?

ଚାଷଜମି ସହିତ ଜଙ୍ଗଲ ସଂରକ୍ଷଣ, ନଦୀବନ୍ଧ ନିର୍ମାଣ, ଜଳ ଆବଣ୍ଟନ ଓ ବିକଳ୍ପ ଶକ୍ତି ଉତ୍ପାଦନ ଉପରେ ମଧ୍ୟ ଜୋର୍ ଦେବାର ସମୟ ଆସିଛି । ମୁନାଫା ଲୋଭରେ ଶିଳ୍ପସାମ୍ରାଜ୍ୟବାଦୀ ମଣିଷମରା ମେସିନ୍‌-ଶାସନ ଅପେକ୍ଷା ମୁଁ ମୋ’ ଭୋଟ୍‌ଖଣ୍ଡିକ ଦେଉଛି ଭଙ୍ଗା ଭାତହାଣ୍ଡିର ଭାରତବର୍ଷକୁ ସେବାୟତ ସୁଯୋଗ ପ୍ରଦାନ ସପକ୍ଷରେ – ଯାହାପାଇଁ ଆଗେ ଦରକାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଲୋକାଭିମୁଖୀ ଜୀବନଶୈଳୀର ପ୍ରାତ୍ୟହିକ ପ୍ରବର୍ତନ । କୁଟୀରଶିଳ୍ପର କବର ଭିତରେ ଶୋଇପଡିଥିବା ଆମ ଘାଟି ଓ ମାଟିର ସଠିକ୍ ମିଶାଣ ମୁଁ ଚାହେ ଆଜିର ରାଜନୈତିକ ହିସାବ ଫର୍ଦ୍ଦରେ ।

ଏବେ ଆମେରିକା ଓ ୟୁରୋପ ଦ୍ୱାରା ଅପପ୍ରଚାରିତ ଆର୍ଥିକ ଅକାଳ କଥା ସାରା ଦୁନିଆକୁ ଥରହର କରୁଥିବାବେଳେ ଭାରତବର୍ଷର ଛୋଟବଡ କମ୍ପାନୀଗୁଡିକ ଏଇ ମଉକାରେ ଆରମ୍ଭ କରିଦେଇସାରିଲେଣି ଆଖିବୁଜା ଶ୍ରମିକ ଛଟେଇ । ଏଇ ଆଳରେ ବି ଶିଳ୍ପସାମ୍ରାଜ୍ୟର ସୁଦୃଶ୍ୟ ମରୀଚିକାରେ ମୋହଗ୍ରସ୍ତ ହୋଇଥିବା ଉଚ୍ଚବେତନଭୋଗୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକଙ୍କୁ ଯେତେବେଳେ ହଠାତ୍ ନିକାଲି ଦିଆଯାଉଛି, ସେତେବେଳେ ଆମର ନ୍ୟାୟପାଳିକା ମଧ୍ୟ ନୀରବନିଷ୍କ୍ରିୟ । ଏବେ ସିନା ଅର୍ଥନୀତିରେ ଶୀତଋତୁ ଆସିଲା, ହେଲେ ପୂର୍ବରୁ ଅଚଳାଚଳ ସମ୍ପତି ଅର୍ଜିସାରିଥିବା ଶିଳ୍ପସଂସ୍ଥାସବୁ ନିଜ କୋଟିକୋଟି କଳାଟଙ୍କାର ମହଜୁଦ୍‌
ମୁନାଫାରୁ କ’ଣ କାଣିଚାଏ ଖର୍ଚ୍ଚକରି ବର୍ତମାନର ଉତ୍କଟ ଆର୍ଥିକ ଅକାଳକୁ ଟାଳି ଦେଇପାରନ୍ତେନି ? ମାତ୍ର ଏ କଥା ଉପରେ ଆମ ରାଜନେତାମାନେ ମୁଣ୍ଡ ଖେଳାଉନଥିବା ସତରେ ନିତାନ୍ତ ଦୁର୍ଭାଗ୍ୟଜନକ । କୃଷକଶ୍ରେଣୀ ଓ ଶ୍ରମିକଶ୍ରେଣୀ ପ୍ରକୃତରେ ଆଧୁନିକ ଭାରତବର୍ଷର ସର୍ବାଧିକ ପ୍ରବଞ୍ଚିତ ଶ୍ରେଣୀ । ଏମାନେ ନବଭାରତର ନିର୍ମାତା, ଅଥଚ ଏ ଦୁଇଶ୍ରେଣୀକୁ ନିଶ୍ଚିହ୍ନ କରିଦେବାର ଯେଉଁ ଅପପ୍ରକ୍ରିୟା ଏବେ ଚାଲୁହେବାକୁ ଯାଉଛି ; ସେଥି ପ୍ରତି ଆଗ ହୁଁ ସାବଧାନ ନହେଲେ କାହାପାଇଁ ଏ ଗଣତାନ୍ତ୍ରିକ ରାଜନୀତି ?

ଧନତାନ୍ତ୍ରିକ ବ୍ୟବସ୍ଥା ଆଜି ଗଣତାନ୍ତ୍ରିକ ସଂସ୍ଥାଗୁଡିକୁ ଅକ୍ତିଆର କରିନେଉଛି – ଏହାର ମୁକାବିଲା ପାଇଁ ଉଭୟ ନାଗରିକ ଓ ନେତୃବର୍ଗ ସଜାଗ ରହିବା ଏକାନ୍ତ ବବାଞ୍ଚନୀୟ । ନଗରୀକରଣକୁ ଉନ୍ନୟନ କୁହାଯାଉଛି । ଗ୍ରାମ ସଙ୍ଗଠନଗୁଡିକୁ ଏହି ଆଳରେ ଚରମ ଉପେକ୍ଷା କରାଯିବା ଭବିଷ୍ୟତର ଭାରତବର୍ଷ ପକ୍ଷରେ ଘୋର ଅମଙ୍ଗଳକର ଆଭିମୁଖ୍ୟ । ପ୍ରାକୃତିକ ଜୀବନଶୈଳୀର ତୀର୍ଥଭୂମି ଗ୍ରାମଗୁଡିକ ହେଉଛି ଅସଲ ଭାରତର ଆତ୍ମା । ଅଥଚ ଲୋକେ ଚାକିରିବାକିରି ଲୋଭରେ ଗାଆଁ ଛାଡି ଚାଲିଯାଉଛନ୍ତି ସହରକୁ । ଗାଆଁ ଆଜି ଖାଆଁଖାଆଁ । ବୁଢାବୁଢୀ, ବିଧବାମାନଙ୍କ ସମେତ ଗରିବଗୁରୁବାଙ୍କ ଗଞ୍ଜଣା ଦେଖିଦେଖି ଦେହ ସହୁନି । ଏମାନଙ୍କୁ କିଏ ଅନାଇବ ? ଦେଶର ଯୁବକମାନେ ମେଷ ପାଲଟିଗଲେଣି କି ? ସିଂହମାନେ ଘାସ ଖାଇଲେଣି କି ? ଗଣତନ୍ତ୍ରରେ ରାଜନୀତି ଅଛି, ହେଲେ ରାଜନୀତିରେ ଆଜି ଗଣତନ୍ତ୍ର କାହିଁ ?

ବ୍ୟୟବହୁଳ ଏ ରାଜନୀତିର ଧାରା ଦରିଦ୍ର ଭାରତକୁ କରିଚାଲୁଚି ଦରିଦ୍ରତର । କୁଟିଳ କୁବେରତନ୍ତ୍ର କବଳିତ ଭାରତୀୟ ରାଜନୀତି ଦରିଦ୍ର ପ୍ରତି ଦରଦୀ ହେବା ଦୂରେ ଥାଉ, ବରଂ ଧନୀମାନଙ୍କର ବକେୟା ଋଣଛାଡ ପାଇଁ ମଧ୍ୟ ନ୍ୟାୟକୁ ନୟାନ୍ତ କରିବାରେ ନିରନ୍ତର ନିୟୋଜିତ ! ଏ ଦେଶର ଗଣତନ୍ତ୍ର ତେଣୁ ଗୋରୁ ଓ ଗରିବ ମଧ୍ୟରେ ଫରକ ଦେଖିପାରେନା କିଛି । ଚାନ୍ଦା ଆଉ ଚୋରାଧନ ଏଠି ଚାଲୁ ରଖିଥାଏ ରାଜନୈତିକ ଚଣ୍ଡଚାମୁଣ୍ଡାମାନଙ୍କ ଚମତ୍କାର ଚାକଚକ୍ୟ । ମମତାହୀନ କ୍ଷମତା-ରାଜନୀତି ବହୁବିଧ ବିଷାକ୍ତ ବିଳାସର ବଳୟରେ ବଶମ୍ବଦ ବୈଶ୍ୟ ! ତା’ ଛଡା ନିର୍ବାଚନ ଆସିଗଲେ ଦେଶରେ ରାଜନୈତିକ ଦଳମାନେ ଯେପରି ପାରସ୍ପରିକ ବିବାଦ, ବିଦ୍ୱେଷ ଓ ବିଷୋଦ୍‌ଗାର ମଧ୍ୟରେ ମାତିଯାଆନ୍ତି, ତାହା ଆମ ଦେଶର ସୀମାନ୍ତରେ ପଇଁତରା, ମାରୁଥିବା ଶତ୍ରୁପକ୍ଷକୁ ଏବଂ ଅଭ୍ୟନ୍ତରରେ ଉଣ୍ଡିବୁଲୁଥିବା ଆତଙ୍କବାଦୀମାନଙ୍କୁ ସୁଦ୍ଧା ଲଜ୍ଜା ଦେବାକୁ ଯଥେଷ୍ଟ । ଦେଶ ଦୁର୍ବଳ ହେଉଛି ଜାତି, ଜନଜାତି, ଧର୍ମ, ସମ୍ପ୍ରଦାୟର ସଙ୍ଘାତ ଓ ସଂଘର୍ଷରେ । ମଣିଷକୁ ମଡା କରି ସଢା ଶାସନତନ୍ତ୍ର ବଜାୟ ରଖିଚି ବିଜୟଧାରା । ମାତ୍ର କିଏ ପ୍ରଶ୍ନ ପଚାରିପାରୁଚି ଏ ନକାରାତ୍ମକ ନିର୍ବାଚନ ଓ ଗଣତାନ୍ତ୍ରିକ ଗୃହଯୁଦ୍ଧରେ ଅଂଶଗ୍ରହଣ କରୁଥିବା ବଂଶବୁଡା
ଡାହୁକମାନଙ୍କୁ ?

ଜନଗଣ ଜବାବ୍ ମାଗନ୍ତୁ – ନହେଲେ ନକଲି ଗଣତନ୍ତ୍ରକୁ କେନ୍ଦ୍ରକରି ଚାଲିଥିବା ନିର୍ବାଚନୀ ରାଜନୀତିର ଚିଡିଆଖାନାରେ ଆମ ପିଲାକବିଲାଏ ପାଲଟିଯିବେ ଦିନେ ଦୟନୀୟ ଜୀବଜନ୍ତୁ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

 

Comments are closed.