Latest Odisha News

BREAKING NEWS

ଓଡ଼ିଆଣୀ ବେଶରେ ଶ୍ରୀରାଧାରାଣୀ; ସାକ୍ଷୀଗୋପାଳରେ ପାଦଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି । ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜିପରି ଏକ ପବିତ୍ର ତିଥିରେ ମନ୍ଦିର ମଧ୍ୟରେ ଶ୍ରୀରାଧାକୃଷ୍ଣଙ୍କୁ ଦର୍ଶନ କରିବାକୁ ସାକ୍ଷୀଗୋପାଳରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।

ଆଜି ସକାଳ ସମୟରୁ ଶ୍ରୀରାଧାଙ୍କ ପବିତ୍ର ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁମାନେ । ମାଆ ରାଧାରାଣୀଙ୍କୁ ନାଲି ରଙ୍ଗର ପାଟ୍ଟ ଶାଢି ସହିତ ପାରମ୍ପରିକ ଓଡ଼ିଆଣୀ ଅଳଙ୍କାରରେ ସଜ୍ଜିତ କରାଯାଇଛି । ଶ୍ରୀରାଧାରାଣୀ ଶଙ୍ଖା, ବାହୁଟି, ନାକଚଣା, ପାଦମୁଦି, ସାଙ୍ଗକୁ କମରପେଟି ଅଳଙ୍କାର ପିନ୍ଧିଛନ୍ତି । ମାଆଙ୍କୁ ସ୍ୱର୍ଣ୍ଣାହାର ଅର୍ପଣ କରାଯିବା ସହିତ ମଥାରେ ନାଲି ସିନ୍ଦୁର ଓ ପାଦରେ ଅଳତା ଲଗାଇଛନ୍ତି । ମାଆଙ୍କର ଏହି ଅପୂର୍ବ ତଥା ପବିତ୍ର ବେଶ ଦେଖିବାକୁ ଶ୍ରଦ୍ଦାଳୁମାନେ ଲମ୍ବାଲାଇନ ମାଧ୍ୟମରେ ଅପେକ୍ଷା କରି ଦର୍ଶନ କରୁଛନ୍ତି ।

ଅଁଳାନବମୀରେ ଏହି ବିଶେଷ ଦର୍ଶନ ସହିତ ସକାଳୁ ରାତ୍ର ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ଲାଗିରହିଛି ।

ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସକାଳୁ ୨୨ ପ୍ଲାଟୁନ ପୋଲିସ ମୂତୟନ କରାଯାଇଛି । ସାକ୍ଷୀଗୋପାଳଠାରେ ନିଜେ ପୁରୀ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ଯାତ୍ରୀ ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ଏବଂ ବାହାରେ ବିଭିନ୍ନ ସ୍ଥାନମାନଙ୍କରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ସିସିଟିଭି ମାଧ୍ୟମରେ ଭିଡ଼ ଏବଂ ଲୋକମାନଙ୍କ ଗତିବିଧୀ ଉପରେ ତୀକ୍ଷଣ ଦୃଷ୍ଟିରେ ରଖିଛନ୍ତି ।

Leave A Reply

Your email address will not be published.