Latest Odisha News

BREAKING NEWS

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ଭର୍ଚୁଆଲ ଜରିଆରେ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅନୁରାଗ ଠାକୁର । ଟୋକିଓ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତା ପରେ ଆଥଲେଟଙ୍କ ପାଇଁ ଭବିଷ୍ୟତର ଅଲିମ୍ପିକ୍ସ, ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଇଛି । ସେହିପରି ତୃଣମୂଳସ୍ତରରେ କ୍ରୀଡ଼ାର ପ୍ରୋତ୍ସାହନ ଲାଗି ରାଜ୍ୟମାନେ କି ପଦକ୍ଷେପ ନେଉଛନ୍ତି ସେ ନେଇ ମଧ୍ୟ ଆଲୋଚନା ହୋଇଛି ।

କ୍ରୀଡ଼ାବିତଙ୍କ ପାଇଁ ନଗଦ ପୁରସ୍କାରର ଏକ ସାଧାରଣ ପୁଲ୍ ଗଠନ କରାଯିବା ଆବଶ୍ୟକ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗଦାନ ରହିବା ଉଚିତ୍ । ଫଳରେ ଦେଶର ସବୁ ଅଞ୍ଚଳର କ୍ରୀଡ଼ାବିତମାନେ ପଦକ ଜିତିବା ପରେ ସମାନ ପରିମାଣର ଲାଭ ପାଇପାରିବେ । ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଠାରୁ ମତାମତ ଲୋଡ଼ିଛନ୍ତି ଅନୁରାଗ ଠାକୁର ।

କ୍ରୀଡ଼ା ଏକ ରାଜ୍ୟ ବିଷୟ ହୋଇଥିବାରୁ ଏହାର ସାମଗ୍ରିକ ବିକାଶ ପାଇଁ ଉଭୟ ଗ୍ରାମୀଣ ଓ ସହରାଞ୍ଚଳ କ୍ଷେତ୍ରରେ କ୍ରୀଡ଼ା ପ୍ରତିଯୋଗିତା କରାଯିବା ଦରକାର । ତୃଣମୂଳସ୍ତରରେ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ସାଧାରଣ ଏବଂ ପାରା କ୍ରୀଡ଼ାବିତମାନଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘକୁ ସମର୍ଥନ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ।

ବିଭିନ୍ନ କ୍ରୀଡ଼ାରେ ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯାହାଫଳରେ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟ, ଜିଲ୍ଲା ଓ ଜାତୀୟ ସ୍ତରରେ ଅଧିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । କ୍ରୀଡ଼ାବିତଙ୍କୁ ଭବିଷ୍ୟତର ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ଏବଂ ଭବିଷ୍ୟତରେ ଅଧିକ ପଦକ ହାସଲ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଜାତୀୟ କ୍ରୀଡ଼ା ସଂଗଠନ, ଶିକ୍ଷାନୁଷ୍ଠାନ, କେନ୍ଦ୍ର ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ରାଜ୍ୟଗୁଡ଼ିକ ଆଗେଇ ଆସିବେ । ଭାରତର ଭବିଷ୍ୟତର ଚାମ୍ପିଅନ ସୃଷ୍ଟି କରିବା ଲାଗି କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.