Latest Odisha News

BREAKING NEWS

Heavy Rain Alert: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଭୁବନେଶ୍ବର: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ତୁହାକୁ ତୁହା ବର୍ଷୁଛି; କେଉଁଠି ଭାଙ୍ଗିଲାଣି ଘର, ଆଉ କେଉଁଠି ବଡ ଗଛ, ରାସ୍ତା ଉପରେ ଚାଲୁଛି ପାଣି…ଓଡ଼ିଶାରେ ଗଭୀର ଅବପାତର ପ୍ରଭାବ। ଲଗାଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଜଟଣୀ-ପିପିଲି ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଛି। ରାସ୍ତା ମଝିରେ ଗଛ ପଡ଼ିଯିବାରୁ ଉଭୟ ପଟେ ଯାତାୟାତ ପ୍ରଭାବିତ ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ରହିଥିଲା ଏବଂ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିଲା। ପରେ ଉଦ୍ଧାରକାରୀ ଦଳ ଗଛଟିକୁ କାଟି ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ଗଭୀର ଅବପାତ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଲାଗିରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ବର୍ଷା ସାଙ୍ଗକୁ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି। ମାଲକାନଗିରିରେ ସ୍ଥିତି ଗମ୍ଭୀର। କଙ୍ଗୁରକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬, ପୋଟେରୁ ଓ କନ୍ୟାଶ୍ରମ ବ୍ରିଜ୍‌ ଉପରେ ୩ରୁ ୪ ଫୁଟ୍‌ ପର୍ଯ୍ୟନ୍ତ ପାଣି ଚାଲୁଛି। ଫଳରେ ହାଇଦ୍ରାବାଦ ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ଶହ ଶହ ଗାଡ଼ି ରାସ୍ତାରେ ଅଟକିଛି। ଗଜପତିର ରା.ଉଦୟଗିରି ଅଞ୍ଚଳରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ପାରିଭେଟା ଗାଁ ନିକଟରେ ପାହାଡ଼ ଧସି ରାସ୍ତା ଉପରେ ବଡ଼ ପଥର ପଡ଼ିଛି। କନ୍ଧମାଳର କଳିଙ୍ଗା ଘାଟିରେ ମଧ୍ୟ ଭୂସ୍ଖଳନ ଆଶଙ୍କାରେ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏପଟେ ଘୁ.ଉଦୟଗିରିରେ ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡ଼ି ଜଣେ ଶିଶୁ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଦୁଇ ଶିଶୁ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି।

ଏବେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗିଥିବା ଦକ୍ଷିଣ ଓଡ଼ିଶା ଉପରେ ଗଭୀର ଅବପାତ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ସକାଳ ୮ଟା ୩୦ର ଅପଡେଟ୍ ଅନୁସାରେ, ଗତ ୬ ଘଣ୍ଟାରେ ଡିପ୍ ଡିପ୍ରେସନ୍ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଏବେ ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଲାଗିଥିବା ଦକ୍ଷିଣ ଓଡ଼ିଶା ଉପରେ ୧୮.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୩.୫ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ରହିଛି।

ଏହା କଳିଙ୍ଗପଟ୍ଟନମ୍‌ଠାରୁ ପ୍ରାୟ ୭୦ କିଲୋମିଟର ପଶ୍ଚିମ-ଉତ୍ତରପଶ୍ଚିମରେ, ଓଡ଼ିଶାର ରାୟଗଡ଼ାଠାରୁ ୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, କୋରାପୁଟଠାରୁ ୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଛତିଶଗଡ଼ର ଜଗଦଲପୁରଠାରୁ ୧୭୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ରହିଛି।

ପାଣିପାଗ ବିଭାଗ ଅନୁସାରେ, ଏହା ଆଗକୁ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଜି, ସେପ୍ଟେମ୍ବର ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଡିପ୍ ଡିପ୍ରେସନ୍ ଧୀରେ ଧୀରେ ଦୁର୍ବଳ ହୋଇ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି।

ଏହାପରେ ମଧ୍ୟ ଏହି ପ୍ରଣାଳୀ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଧୀରେ ଧୀରେ ଆହୁରି ଦୁର୍ବଳ ହେବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Leave A Reply

Your email address will not be published.