Latest Odisha News

[ଦେଖନ୍ତୁ ଭିଡିଓ] ରାଜ୍ୟରେ ଘନଉଛି କୋଭିଡର ଚତୁର୍ଥ ପ୍ରବାହ ଆଶଙ୍କା, ୬ ଦିନରେ ୨୫୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ବିଗତ ୬ ଦିନରେ ୨୫୦ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଘାରିଛି ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ବିଗତ ୨ ମାସ ମଧ୍ୟରେ ମେ ୮ ତାରିଖରେ ସର୍ବାଧିକ ୭୧ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ଗତ ୨୪ ଘଣ୍ଟାରେ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୬ ଦିନ ହେଲା ସଂକ୍ରମଣ ମାମଲା ବଢ଼ି ଚାଲିଛି ।

୧୬ ତାରିଖରେ ୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ତାରିଖରେ ୨୫ ଜଣ, ୧୮ ତାରିଖରେ ୩୮ ଜଣ, ୧୯ ତାରିଖରେ ୫୧ ଜଣ, ୨୦ ତାରିଖରେ ୪୬ ଜଣ ଓ ୨୧ ତାରିଖରେ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ଦିନରେ ୨୫୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ଚତୁର୍ଥ ପ୍ରବାହକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମଣ ମାମଲା ୩ ଶହ ତଳେ ଥିବାବେଳେ ୧୨ଟି ଜିଲ୍ଲାରେ କେହି କୋଭିଡ୍ ସଂକ୍ରମିତ ନାହାନ୍ତି ।

ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ପୁରୁଣା ଷ୍ଟ୍ରାଟେଜି ଅନୁସାରେ ଟିକାକରଣ ଓ ସର୍ଭେଲାନ୍ସ ଜୋରଦାର ହୋଇଥିବା ବେଳେ ଆରମ୍ଭ ହୋଇଛି ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ । ଘର ଘର ବୁଲି ରୋଗୀ ଚିହ୍ନଟ ସହ ଆଇସୋଲେସନରେ ରଖି ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି । ଜୁନ୍ ୧୯ରେ ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ୦.୪୪ ପ୍ରତିଶତ ଥିଲା ।

ଏବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ଢେଙ୍କାନାଳ, ଗଜପତିସୋନପୁର ଜିଲ୍ଲା କୋଭିଡ୍ ମୁକ୍ତ ରହିଛି । ରାଜ୍ୟରେ ମୋଟ ୧୨ ଲକ୍ଷ ୮୮ ହଜାର ୯୫୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୧୨୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ୧୯ରୁ ୪୦ ବର୍ଷ ବୟସ୍କ କୋଭିଡରେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ।

Leave A Reply

Your email address will not be published.