Latest Odisha News

ସ୍ୱଳ୍ପ ଗଳ୍ପ : ଜଣେ ଲେଖକର ଇଚ୍ଛାପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୬

 

ଜଣେ ଇଂରେଜୀ ଔପନ୍ୟାସ ହିସାବରେ ସେ ଖୁବ୍ ଚର୍ଚ୍ଚିତ । ବିଶେଷତଃ ତାଙ୍କର ରଚିତ କିଶୋର ଉପନ୍ୟାସଗୁଡିକର ବିଶ୍ୱବ୍ୟାପୀ ଚାହିଦା ଆଜି ବି ରହିଛି । ସେ ହେଉଛନ୍ତି “ଟ୍ରେଜର୍ ଆଇଲାଣ୍ଡ”,”ଡକ୍ଟର ଜେକିଲ୍ ଆଣ୍ଡ ମିଃ ହାଇଡ୍” ଭଳି ଅନେକ ଉପନ୍ୟାସର ରଚୟିତା ରବର୍ଟ ଲୁଇସ୍ ଷ୍ଟିଭେନସନ୍ ।

ଏହି ପ୍ରସିଦ୍ଧ ଔପନ୍ୟାସିକ ଜଣକ ୧୯ ଜୁନ୍ ୧୮୯୧ ରେ ଗୋଟିଏ ଇଚ୍ଛାପତ୍ର ପ୍ରସ୍ତୁତ କରିଥିଲେ । ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ହେନେରି କ୍ଲେ ଇଦେ ଯିଏ ସେତେବେଳକୁ ସାମୋଆ ବୋଲି ଏକ ସ୍ୱତନ୍ତ୍ର ରାଷ୍ଟ୍ରରେ ଆମେରିକାର କମିଶନର ଆକାରରେ ଅବସ୍ଥାପିତ ଥିଲେ ତାଙ୍କର ବାରବର୍ଷ ବୟସର ଝିଅ ପାଇଁ ଏହି ଇଚ୍ଛାପତ୍ରଟି ଉଦ୍ଦିଷ୍ଟ ଥିଲା ।

ରବର୍ଟ ଲୁଇସ୍ ଷ୍ଟିଭେନସନଙ୍କର ସେଦିନର ସେହି ଇଚ୍ଛା ପତ୍ରକୁ ପାଠ କଲେ ଆମ ଆଗରେ ସମସ୍ତ କାହାଣୀ ପରିଷ୍କାର ହୋଇଯିବ ।

ସେଇ ଇଚ୍ଛା ପତ୍ରଟି ଏହିଭଳି ଥିଲା :

ମୁଁ ରବର୍ଟ ଲୁଇସ୍ ଷ୍ଟିଭେନସନ୍ ସ୍ଥିର ବୁଦ୍ଧିରେ ବିଚାର କରୁଅଛି ଯେ କୁମାରୀ ଏ.ଏଚ୍.ଇଦେ ପିତା ଶ୍ରୀ ଏଚ୍.ସି. ଇଦେ ବାସସ୍ଥାନ ସେଣ୍ଟ ଜନସବରି,କାଉଣ୍ଟି କାଲେଡୋନିଆ, ଭରମାଉଣ୍ଟ ରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ନିବାସୀ, ଯଥାଯଥ କାରଣ ବର୍ଜିତ ହୋଇ ଖ୍ରୀଷ୍ଟମାସ ଦିବସରେ ଜନ୍ମଗ୍ରହଣ କରିଅଛନ୍ତି ଏବଂ ଏହା ଦ୍ୱାରା ସେ ନିଜର ଏକ ବିଶେଷ ସ୍ୱାଭାବିକ ଜନ୍ମଦିନ ପାଳନ କରିବା ଭଳି ସୁଯୋଗରୁ ଉପଯୁକ୍ତ ନ୍ୟାୟ ବିଚାର ବିନା ବଞ୍ଚିତ ରହିଛନ୍ତି ।

ଏହି ସମସ୍ତ ତଥ୍ୟକୁ ବିବେଚନା ପୂର୍ବକୁ ମୁଁ ପୂର୍ବ ଉଲ୍ଲିଖିତ ରବର୍ଟ ଲୁଇସ୍ ଷ୍ଟିଭେନସନ୍ ଏହିଭଳି ଏକ ବୟସରେ ଉପନୀତ ହୋଇଅଛି ଯେତେବେଳେ ଏହା ଶୂନ୍ୟ,ଆମ୍ଭେ ଏହାକୁ ଏତାଦୃଶ ଉଲ୍ଲେଖ କଦାପି କରିନାହିଁ, ଏବଂ ଏହା ପ୍ରକାଶିତବ୍ୟ ଯେ ଯେ କୌଣସି ବର୍ଣ୍ଣନାଭିତ୍ତିକ ଜନ୍ମଦିନ ପାଳନରେ ମୋର ଆଉ ଅଧିକ ଆବଶ୍ୟକତା ନାହିଁ ।

ପ୍ରତ୍ୟର୍ପଣ ସମ୍ପନ୍ନ ପରେ, ଏତଦ୍ୱାରା ମୁଁ ଉଲ୍ଲିଖିତ ଏ.ଏଚ୍. ଇଦେଙ୍କୁ ପ୍ରତ୍ୟର୍ପଣ କରୁଅଛି ମୋର ସମସ୍ତ ଅଧିକାର ଏବଂ ସୁବିଧା ଯାହା ୧୩ ନଭେମ୍ବର,ଯାହା ମୋର ପୂର୍ବ ଜନ୍ମଦିନ ସହିତ ରହିଆସିଥିଲା ବର୍ତ୍ତମାନ, ଏତଦ୍ୱାରା ଏହା ଉଲ୍ଲିଖିତ ଏ.ଏଚ୍.ଇଦେଙ୍କର ଆଧିକାରିକ ଜନ୍ମଦିନ । ସେ ଏହାକୁ ନିଜ ସହିତ ରଖିବା ସହ ,ଏହାକୁ ସମସ୍ତ ପ୍ରଥାଗତ ଭାବରେ ପାଳନ କରିବାର ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ ପ୍ରାପ୍ତ ହୋଇବେ । ଏହା ଫଳରେ ସେ ଉକ୍ତ ଦିବସରେ ରଙ୍ଗୀନ ପୋଷାକ ପରିଧାନ,ନାନାବିଧ ଆମିଷ ଭକ୍ଷଣ ତଥା ଉପହାର ନିମନ୍ତେ ମଧ୍ୟ ଯୋଗ୍ୟ ବିବେଚିତ ହେବେ।
ଇତି

ସ୍ୱା : ରବର୍ଟ ଲୁଇସ୍ ଷ୍ଟିଭେନସନ୍

ରବର୍ଟ ଲୁଇସ୍ ଷ୍ଟିଭେନସନ୍ ଏଇ ଇଚ୍ଛାପତ୍ ଟି ପ୍ରସ୍ତୁତ କରିବା ପରେ ଆଉ ଜନ୍ମଦିନ ପାଳନ କରିନାହାଁନ୍ତି। ସେ କିନ୍ତୁ ଏହାପରେ ଆଉ ଚାରୋଟି ସେହି ଭଳି ପୂର୍ବବର୍ତ୍ତୀ ଜନ୍ମଦିନ କୁ ନିଜ ଜୀବଦ୍ଦଶାରେ ଅତିକ୍ରମ କରିଥିଲେ । ତାଙ୍କର ଦେହାବସାନ ୧୮୯୪ ମସିହା ଡିସେମ୍ବର ତିନି ତାରିଖ ଦିନ ହୋଇଥିଲା ।

ବାରବର୍ଷ ବୟସର କିଶୋରୀ ଇଦେ ର ଦୃଷ୍ଟିକୋଣରୁ ଦେଖିଲେ ଖ୍ରୀଷ୍ଟମାସ ଦିନ ତାହାର ଜନ୍ମଦିନ ହୋଇଥିବାରୁ ତାହା ବ୍ୟକ୍ତିଗତ ଭାବରେ ତାହା ପାଇଁ ସେମିତି କିଛି ପାଳନ କରିବା ଭଳି ଉତ୍ସାହବ୍ୟଞ୍ଜକ ନଥିଲା । ସେହି ଦିନ ଚାରିଆଡ ପବିତ୍ର ଯୀଶୁମୟ । ଏଇ ସାଧାରଣ କିଶୋରୀର ସେମିତିକା ମନଦୁଃଖକୁ ଦୂର କରିବା ପାଇଁ ନିଜର ଜନ୍ମଦିନ କୁ ଅର୍ଥାତ୍ ୧୩ ନଭେମ୍ବରକୁ ଇଚ୍ଛାପତ୍ର କରି ଦାନ କରିଦେଇଥିଲେ ପ୍ରଖ୍ୟାତ ଉପନ୍ୟାସକାର ରବର୍ଟ ଲୁଇସ୍ ଷ୍ଟିଭେନସନ୍ ।

ତାହାପରଠାରୁ ଇଦେର ଅଧିକାରରେ ସେହି ଦିନଟି ରହିଥିଲା । ତାହାର ଅଧିକାରରେ ରହିଥିଲା ତ ସେଇଥିପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ ଦୁଇଟି କେକ୍ କାଟୁଥିଲା ।

ଅନ୍ୟ କେକଟି ରବର୍ଟ ଲୁଇସ୍ ଷ୍ଟିଭେନସନଙ୍କ ପାଇଁ ,ଏକଥା କହିବା ଅନାବଶ୍ୟକ ।

Leave A Reply

Your email address will not be published.