Latest Odisha News

BREAKING NEWS

ଧର୍ମନିରପେକ୍ଷ କାର୍ଡ: ନବୀନଙ୍କ ବିଦେଶ ଗସ୍ତ ବଢ଼ାଇଲା ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଚିନ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଟାଲୀର ଭାଟିକାନ ସିଟି ଯାଇ ଖ୍ରୀଷ୍ଟଧର୍ମ ଗୁରୁ ପୋପ ଫ୍ରାନସିସ୍କୋଙ୍କୁ ଭେଟିବେ । ଏହାପରେ ପରେ ସେ ଇସଲାମିକ ଦେଶ ଦୁୁବାଇ ଗସ୍ତ କରି ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମଙ୍କୁ (Mohammed bin Rashid Al Maktoum) ଭେଟିବେ। ନବୀନଙ୍କ ଏହି ବିଦେଶ ଗସ୍ତ ବେଳେ ଅନେକ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଯେମିତିକି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଏବଂ ଦୁବାଇରେ ପୁଞ୍ଜି ନିବେଶ କାର୍ଯ୍ୟକ୍ରମରେ ସାମିଲ ହେବା ଇତ୍ୟାଦି ରହିଛି। ହେଲେ ହଠାତ୍ ନବୀନ ବିଦେଶ ଗସ୍ତ ବେଳେ ଖ୍ରୀଷ୍ଟଧର୍ମ ଗୁରୁ ଏବଂ ଇସଲାମିକ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନେଇ ଅନେକ ଚର୍ଚ୍ଚା ବଢ଼ିଛି।

ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏଠାରେ କୌଣସି ସରକାର ଗୋଟିଏ ଧର୍ମକୁ ଗୁରୁତ୍ୱ ଦେଇପାରିବେ ନାହିଁ ବା କୌଣସି ଏକ ଧର୍ମର ଦଳ ହେବା ଅନୁଚିତ । କିନ୍ତୁ ଦେଶର ଶାସକ ଦଳ ଏବଂ ହାଇଦ୍ରାବାଦର ଏଆଇଏମଆଇଏମ ଭଳି ଦଳ ନିର୍ଦ୍ଦିଷ୍ଟ ଏକ ଧର୍ମର ଭୋଟ୍ ବ୍ୟାଙ୍କ ଜରିଆରେ କ୍ଷମତାରେ ରହିବାକୁ କାମ କରନ୍ତି ବୋଲି ଅଭିଯୋଗ ଆସେ। ଓଡ଼ିଶାରେ କିନ୍ତୁ ନବୀନ ଶାସନରେ ଏପରି ଧର୍ମକୁ ନେଇ ରାଜନୀତି ହୁଏ ନାହଁ। କିନ୍ତୁ ୨୦୦୮ରେ କନ୍ଧମାଳ ଦଙ୍ଗା ବେଳେ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ବିଜେପି ସହିତ ମେଣ୍ଟ ସରକାରରେ ଥିଲେ। ଆଉ ଧର୍ମକୁ ନେଇ ବିବାଦ ପରେ ଦଙ୍ଗା ହୋଇଥିଲା। ଏହି ସମୟରେ ମେଣ୍ଟରେ ଥାଇ ମଧ୍ୟ ନବୀନ କହିଥିଲେ ‘ମୋ ଶରୀରର ପ୍ରତ୍ୟେକଟି ହାଡ଼ ଧର୍ମନିରପେକ୍ଷ’। ଯାହାକି ସାରା ରାଜ୍ୟ ତଥା ଦେଶରେ ନବୀନଙ୍କ ରାଜନୈତିକ ରଣକୈଶଳ ନିଆରା ବୋଲି ଜଣାପଡିଥିଲା। ପରେ ୨୦୦୯ ନିର୍ବାଚନ ବେଳକୁ ନବୀନ ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଥିଲେ।

ତେବେ ସମୟ ବଦଳିବା ସହିତା ଏକଦା ମେଣ୍ଟରେ ଥିବା ବିଜେପି ଏବେ ରାଜ୍ୟର ବିରୋଧୀ ଦଳରେ ଥିବା ବେଳେ କେନ୍ଦ୍ରରେ କ୍ଷମତାରେ ରହିଛି। ଆଉ କେନ୍ଦ୍ରର ବିଜେପି ସରକାରର ହିନ୍ଦୁତ୍ୱ ଏଜେଣ୍ଡା ରହିଛି ବୋଲି ଜଣାପଡିଛି। ତେଣୁ ଆଗାମୀ ଦିନରେ ବିଜେପି ମଧ୍ୟ ଏଠାରେ କ୍ଷମତାକୁ ଆସିବାକୁ ଯାଇ ହିନ୍ଦୁତ୍ୱ ଏଜେଣ୍ଡାକୁ ଆହୁରି ଜୋରଦାର କରିପାରେ । ସେ ନେଇ ବିଜେପି ରଣନୀତି ତିଆରି କରୁଥିବା ଜଣାପଡ଼ିଛି। ବିଧାୟକ ନହେଲେ ନାହିଁ ୨୦୨୪ରେ କିଭଳି ବିଜେପିର ସାଂସଦ ପୂର୍ବ ଅପେକ୍ଷା ଅଧିକ ଜିତିବେ ସେ ନେଇ ବିଜେପି ଯୋଜନା କରୁଥିବା ଜଣାପଡ଼ିଛି।

ଏହାରି ଭିତରେ ଓଡ଼ିଆଙ୍କ ପ୍ରାଣ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ, ଗଞ୍ଜାମର ତାରା ତାରାଣୀ ଏବଂ ଅନ୍ୟାନ୍ୟ ମନ୍ଦିରର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି। ଯାହାକୁ ନେଇ ନବୀନ ସମାଲୋଚନାର ଶିକାର ହୋଇଛନ୍ତି। ହିନ୍ଦୁତ୍ୱ ଏଜେଣ୍ଡା ଆଡକୁ ନବୀନ ଏବେ ଢଳୁଥିବା ନେଇ ଚର୍ଚ୍ଚା ହେଉଛି। ଯାହାକି ବିଜେପିର ଭୋଟ୍ ବ୍ୟାଙ୍କ ଉପରେ ପ୍ରହାର ବୋଲି ବିଚାର କୁହାଯାଉଛି। ନବୀନଙ୍କ ଏପରି ରଣନୀତିକୁ ନେଇ ରାଜ୍ୟ ବିଜେପି ମଧ୍ୟ କେଉଁଠି ନା କେଉଁଠି ଚିନ୍ତିତ ବୋଲି ଜଣାପଡ଼ିଛି।

ଠିକ୍ ଏହି ସମୟରେ ନବୀନ ପୋପଙ୍କୁ ଭେଟିବା ଏବଂ କେନ୍ଦ୍ରର ଶାସକ ଦଳକୁ ନେଇ ଅନେକ ଇସଲାମିକ ଦେଶ ଅସନଷ୍ଟ ଥିବା ବେଳେ ନବୀନ ୟୁଏଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ଏପରି କରି ନବୀନ ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ଆହୁରି ଆଗକୁ ବଢାଇବାକୁ ଯୋଜନା କରୁଛନ୍ତି ବୋଲି କୁହାଯାଉଛି।

ଖାଲି ସେତିକି ନୁହେଁ କନ୍ଧମାଳ, କୋରାପୁଟ ପାଖରୁ ଆରମ୍ଭ କରି ଅନେକ ଜିଲ୍ଲାରେ ମିଶନାରୀମାନେ ରହୁଛନ୍ତି। ଆଉ ସେମାନଙ୍କ ମୁଖ୍ୟମନ୍ତ୍ରୀ ଯାଇ ପୋପଙ୍କୁ ଭେଟିବା ତାଙ୍କ ପାଇଁ ବଡ଼ ବାର୍ତ୍ତା ଦେବ ସେହିପରି କେନ୍ଦ୍ରର ଶାସକ ଦଳ ବିରୋଧରେ ଇସଲାମିକ ଦେଶ ଅସନ୍ତୁଷ୍ଟ ରହିବା ସହିତ ଦେଶର  ଅନେକ ମୁସଲମାନ ନେତା ପ୍ରଫେଟଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ରାଜ୍ୟରେ ସେତେଟା ବିରୋଧ ସାମ୍ନାକୁ ଆସିନଥିଲେ ବି କିନ୍ତୁ ଭିତରେ ଭିତରେ ଏହା କୁହୁଳୁଛି। ତେଣୁ ୟୁଏଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ବିରୋଧରେ ଥିବା ଅସନ୍ତୋଷର ଭୋଟକୁ ନବୀନ ନିଜ ଆଡକୁ ଆଣିବାକୁ ଯାଉଛନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.