ଭୁବନେଶ୍ୱର: ରାଜ୍ୟରେ ପୁରୁଣା ତଥା ଫିଟନେସ୍ ନଥିବା ଗାଡ଼ିଗୁଡ଼ିକ ଉପରେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ସରକାରୀ ନିୟମ ଉଲ୍ଲଂଘନ ଏବଂ କାଗଜପତ୍ର ନବୀକରଣ ନକରିବା କାରଣରୁ ଓଡ଼ିଶାରେ ଏକାଥରକେ ୨୦ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ବାତିଲ ବା ଆର୍ସି ରଦ୍ଦ କରାଯାଇଛି । କେବଳ ସେତିକି ନୁହେଁ, ଆଗାମୀ ଦିନରେ ରାଜ୍ୟର ଆହୁରି ପ୍ରାୟ ୩୦ ଲକ୍ଷ ଗାଡ଼ି ଉପରେ ମଧ୍ୟ ବାତିଲର ଖଣ୍ଡା ଝୁଲୁଥିବା ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଏବେ ବେପରୁଆ ଗାଡ଼ି ମାଲିକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସ୍କ୍ରାପେଜ୍ ନୀତି ଏବଂ ମୋଟର ଯାନ ଆଇନକୁ କଡ଼ାକଡ଼ି ପାଳନ କରିବା ଉଦ୍ଦେଶ୍ୟରେ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଯେଉଁ ଗାଡ଼ିଗୁଡ଼ିକୁ ୧୫ ବର୍ଷରୁ ଅଧିକ ସମୟ ବିତିଯାଇଛି ଏବଂ ସେମାନେ ଦୀର୍ଘ ଦିନ ଧରି ନିଜର ଫିଟନେସ୍ ପ୍ରମାଣପତ୍ର ନବୀକରଣ କରିନାହାନ୍ତି, ସେହିସବୁ ଗାଡ଼ିର ଆର୍ସିକୁ ସିଧାସଳଖ ବାତିଲ କରାଯାଇଛି । ଏହାବ୍ୟତୀତ ବର୍ଷ ବର୍ଷ ଧରି ଟ୍ୟାକ୍ସ ବା ଟିକସ ପୈଠ କରିନଥିବା ଗାଡ଼ି ମାଲିକମାନଙ୍କ ବିରୋଧରେ ମଧ୍ୟ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବାତିଲ ହୋଇଥିବା ଏହି ୨୦ ଲକ୍ଷ ଗାଡ଼ି ମଧ୍ୟରେ ଅଧିକାଂଶ ପୁରୁଣା ଦୁଇ ଚକିଆ ଏବଂ ବାଣିଜ୍ୟିକ ଯାନ ସାମିଲ ଥିବା ଜଣାପଡ଼ିଛି। ରାସ୍ତା ସୁରକ୍ଷା ନିଶ୍ଚିତ କରିବା ସହ ପରିବେଶ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଏଭଳି ପଦକ୍ଷେପ ଅପରିହାର୍ଯ୍ୟ ହୋଇପଡ଼ିଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ, ରାଜ୍ୟରେ ଏବେ ବି ପ୍ରାୟ ୩୦ ଲକ୍ଷ ଗାଡ଼ି ରହିଛି, ଯାହାର କାଗଜପତ୍ର ଅବଧି ଶେଷ ହୋଇସାରିଛି କିମ୍ବା ସେଗୁଡ଼ିକ ରେଡ୍ ବା ବିପଦ ଜୋନ୍ରେ ଅଛନ୍ତି। ଯଦି ଏହି ଗାଡ଼ିଗୁଡ଼ିକର ମାଲିକମାନେ ତୁରନ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ନିଜର ବକେୟା ଟିକସ ପୈଠ ନକରନ୍ତି ଏବଂ ଫିଟନେସ୍ ଟେଷ୍ଟ କରାଇ ଆର୍ସି ନବୀକରଣ ନକରନ୍ତି, ତେବେ ଖୁବଶୀଘ୍ର ସେମାନଙ୍କ ଗାଡ଼ିର ପଞ୍ଜୀକରଣ ମଧ୍ୟ ସବୁଦିନ ପାଇଁ ରଦ୍ଦ କରାଯିବ ।
ବିନା ଆର୍ସି କିମ୍ବା ଫିଟନେସ୍ରେ ରାସ୍ତାରେ ଗାଡ଼ି ଚଳାଇବା ସମ୍ପୂର୍ଣ୍ଣ ବେଆଇନ । ଏଭଳି ଗାଡ଼ି ଚେକିଂ ବେଳେ ଧରାପଡ଼ିଲେ ମୋଟା ଅଙ୍କର ଜୋରିମାନା ଆଦାୟ ହେବା ସହ ଗାଡ଼ିକୁ ସିଜ୍ କରାଯିବାର କଡ଼ା ପ୍ରାବଧାନ ରହିଛି । ତେଣୁ ସାଧାରଣ ଲୋକେ ଯଥାଶୀଘ୍ର କେନ୍ଦ୍ର ସରକାରଙ୍କ ‘ବାହନ’ ପୋର୍ଟାଲ ମାଧ୍ୟମରେ ନିଜ ଗାଡ଼ିର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ କାଗଜପତ୍ର ଅପଡେଟ୍ କରିନେବାକୁ ପରିବହନ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।


Comments are closed.