Latest Odisha News

BREAKING NEWS

ସାହସ ଅଛି ତ ନବୀନଙ୍କୁ ଗିରଫ କର !

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦିନକ ତଳେ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାରଣ ଦର୍ଶାଇଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟକୁ ନିନ୍ଦା କରିଛି ବିଜେଡି । ରୁଲସରେ ଗିରଫ ଶବ୍ଦ ନଥିବା ବେଳେ କିଭଳି ମନ୍ତ୍ରୀ କହିଲେ ବୋଲି ପ୍ରଶ୍ନ କରିଛି । ଏଥିସହ ଗୃହ ବିବରଣୀରୁ ବାଦ୍ ଦେବାକୁ ଦାବି କରିଛି । ତେବେ ପ୍ରଶ୍ନ ଉଠୁଛି, ନବୀନଙ୍କୁ ଗିରଫ କରିପାରିବେ କି ମୋହନ ସରକାର?

ବହିରେ ନାହିଁ ‘ଗିରଫ’ ଶବ୍ଦ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାଉଲ୍ ସବଦରଙ୍କର ପ୍ରାକ୍ଟିସ ପ୍ରୋସିଡ୍ୟୁର ବହି ଦର୍ଶାଯାଇଥିଲା । ତେବେ ଯେଉଁ ବହିକୁ ଦେଖାଇ ଗିରଫଦାରୀ ଭଳି କଥା କହିଲେ ମନ୍ତ୍ରୀ, ସେଥିରେ କୌଣସି ସ୍ଥାନରେ ବି ଗିରଫ ଶବ୍ଦ ନଥିବା ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ତେଣୁ ବିଧାନସଭା ବିବରଣୀରୁ ମନ୍ତ୍ରୀଙ୍କ ବକ୍ତବ୍ୟକୁ ବାଦ୍ ଦେବାକୁ ସେ ଦାବି କରିଛନ୍ତି । ଆଉ ଯଦି ସାହସ ଅଛି, ତ ନବୀନଙ୍କୁ ଗିରଫ କର ବୋଲି କହିଛନ୍ତି ଅରୁଣ ସାହୁ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଏଭଳି ବୟାନ ଦେବା ବନ୍ଦ ନକଲେ ରାସ୍ତାରେ ଲଢେଇ କରିବେ ବୋଲି କହିଛନ୍ତି ।

ରୁଲସ ଦେଖାଇଲା ବିଜେପି

ରୁଲସରେ ଉଲ୍ଲେଖ ଅଛି, ରାଜ୍ୟପାଳ ବକ୍ତବ୍ୟ ରଖିବା ସମୟରେ କୌଣସି ନେତାଙ୍କର କହିବାର ଅଧିକାର ନାହିଁ । ସେ ସମୟରେ କୌଣସି ନେତା ଗୃହରେ ବିଶୃଙ୍ଖଳା କଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ରୁଲ୍ ବୁକରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବା ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି । ବିରୋଧୀ କହୁଛନ୍ତି ମାଇକ୍ ବନ୍ଦ କରାଗଲା । ଏହାର ଅର୍ଥ ପରୋକ୍ଷରେ ସେମାନେ ବିଶୃଙ୍ଖଳା ପାଇଁ ଉଦ୍ୟମ କରୁଥିଲେ ବୋଲି ସ୍ବୀକାର କରିଥିବା ଇରାଶିଷ କହିଛନ୍ତି ।

କ’ଣ କହୁଛି ନିୟମ?

୧୯୬୮ ମସିହା ଏପ୍ରିଲ ୫ତାରିଖରେ ଏକ କମିଟି ଗଠନ କରାଯାଇଥିଲା । କମିଟି ଏପ୍ରିଲ ୧୬ ତାରିଖରେ କରିଥିବା ସୁପାରିସରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କେଉଁ ନିୟମ ପାଳନ ହେବ ସେନେଇ କହିଥିଲା। ଶେଷ ପଏଣ୍ଟରେ ଲେଖାହୋଇଛି, ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ, ପୂର୍ବରୁ କିମ୍ବା ପରେ କୌଣସି ସଦସ୍ୟ ବାଧା ଦେଲେ ଏହାକୁ ବିଶୃଙ୍ଖଳା କୁହାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ।

ନବୀନଙ୍କୁ ଗିରଫ କରିପାରିବେ ତ?

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ ନୂଆ ନୁହେଁ। ପୂର୍ବରୁ ବିଜେଡି ସରକାର ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଅନେକ ଥର କକ୍ଷତ୍ୟାଗ କରିଛନ୍ତି । ନା ସେତେବେଳେ ଗିରଫଦାରୀ କଥା ଉଠିଛି ନା ଆକ୍ସନ୍ ନିଆଯାଇଛି । ହେଲେ ଏବେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବୟାନ ଆଶ୍ଚର୍ଯ୍ୟ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃତ୍ବ ନବୀନଙ୍କୁ କେଉଁଭଳି ସମ୍ମାନ ଦିଅନ୍ତି, ସେକଥା ବାରମ୍ବାର ଦେଖିବାକୁ ମିଳିଛି । ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅମିତ ଶାହା, ଜେପି ନଡ୍ଡା ନବୀନଙ୍କୁ ପାଛୋଟି ନେଇଥିଲେ । ଏମିତିକି ବିଧାନସଭାରେ ଯୋଗ ଦେବାକୁ ବି ନବୀନଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ କେବଳ ବିରୋଧୀ ଦଳ ନେତା ନୁହନ୍ତି ଗତ ୨୪ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେଣୁ ତାଙ୍କୁ ଗିରଫ କରିବା ପାଇଁ ବିଧାନସଭାରେ ମନ୍ତ୍ରୀ କହିବା ନିଶ୍ଚୟ ଭାବେ ହାସ୍ୟାସ୍ପଦ ।

ବୟାନରେ ଲାଗୁ ଲଗାମ୍

କେବଳ ନବୀନଙ୍କୁ ଗିରଫ ଦାବି ନୁହେଁ ଓଡିଶାରେ ଫାଇଭ୍ ଟାଉଟର ଶାସନ କରୁଥିବା ବିଧାନସଭାରେ କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଫାଇଭ୍-ଟାଉଟର ଚେୟାରରେ ବସୁଥିଲେ । ବିଜେଡି ବିଧାୟକ ଓ ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ ବୋଲି କହିଥିଲେ । ରାଜନୈତିକ ବିରୋଧାଭାଷ ଠିକ୍ ଅଛି, ହେଲେ ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଶବ୍ଦର ଉପଯୋଗ ଠିକ୍ କି? ଦୁର୍ନୀତି ଥିଲେ ତଦନ୍ତ କର, ଭୁଲ୍ ବାହାରିଲେ ଆକ୍ସନ୍ ନିଅ । ହେଲେ ଏଭଳି ଶବ୍ଦ ବ୍ୟବହାର କରି ଗୃହର ଗରିମା କ୍ଷୁର୍ଣ୍ଣ କରିବା କେତେଦୂର ଯୁକ୍ତିଯୁକ୍ତ?

Comments are closed.