ପରମବ୍ରହ୍ମ ଶ୍ରୀଜଗନ୍ନାଥ…

”ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ”

ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମ ଏହି ଦିବ୍ୟ ବ୍ରହ୍ମଦାରୁ ବିଷୟରେ ସମ୍ୟକ ଶାସ୍ତ୍ରୀୟ ମତ । ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ ପାଞ୍ଚପ୍ରକାର ଅର୍ଚ୍ଚା ବିଗ୍ରହ ରହିଛି । ହିନ୍ଦୁ ଧର୍ମରେ ବିବିଧ ଦେବାଦେବୀଙ୍କର ପୂଜାର୍ଚ୍ଚନା ନିମିତ୍ତ ସାଧାରଣତଃ ୫ ପ୍ରକାର ଅର୍ଚ୍ଚା ବିଗ୍ରହ ବ୍ୟବହୃତ ହୋଇଥାନ୍ତି । ଯଥା- ୧) ମଣି ବିଗ୍ରହ, ୨) ଧାତୁ ବିଗ୍ରହ, ୩) ଦାରୁ ବିଗ୍ରହ, ୪) ଚିତ୍ର ବିଗ୍ରହ, ୫) ମୃଣ୍ମୟ ବା ମାଟି ବିଗ୍ରହ ।

ବିଶ୍ୱାସ ରହିଛି ଯେ, ମଣି ବିଗ୍ରହଙ୍କ ପରମାୟୁ ୧୦ ସହସ୍ର ବର୍ଷ, ଧାତୁ ବିଗ୍ରହଙ୍କ ପରମାୟୁ ୧ ସହସ୍ର ବର୍ଷ, ଦାରୁ ବିଗ୍ରହଙ୍କ ପରମାୟୁ ୧୨ ବର୍ଷ, ଚିତ୍ର ବିଗ୍ରହଙ୍କ ପରମାୟୁ ୧ ବର୍ଷ ଓ ମୃଣ୍ମୟ ବା ମାଟି ବିଗ୍ରହଙ୍କ ପରମାୟୁ ୧ ମାସ ।

ବିଗ୍ରହଙ୍କ ନିର୍ମାଣ ମୁଖ୍ୟତଃ ତାହାଙ୍କୁ ଦୀର୍ଘକାଳ ସ୍ଥାୟୀ କରିବା ଉଦ୍ଦେଶ୍ୟରେ କିମ୍ବା ପ୍ରଚଳିତ ପରମ୍ପରାକୁ ଦେଖି କରାଯାଇଥାଏ । ଭାରତବର୍ଷରେ ଏହି ପାଞ୍ଚ ପ୍ରକାର ବିଗ୍ରହଙ୍କ ପୂଜାର୍ଚ୍ଚନା ବିବିଧ ଦେବାଦେବୀଙ୍କ ପୀଠରେ ଦେଖିବାକୁ ମିଳିଥାଏ । ତେବେ ବୋଧହୁଏ, ଶ୍ରୀମନ୍ଦିର ହେଉଛି ଏକମାତ୍ର ଦେବାଳୟ ଯେଉଁଠାରେ ଏହି ପାଞ୍ଚ ପ୍ରକାର ବିଗ୍ରହଙ୍କ ଉପସ୍ଥିତି ବା ପୂଜାର୍ଚ୍ଚନା ଏକତ୍ର ଦେଖିବାକୁ ମିଳିଥାଏ । ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଶ୍ରୀଜୀଉଙ୍କର ମୃଣ୍ମୟ ବା ମାଟି ବିଗ୍ରହ – ଶ୍ରୀମନ୍ଦିର ପରମ୍ପରାରେ ଗହ୍ମା ପୂର୍ଣ୍ଣିମାରେ ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥାଏ ଯେଉଁଥିରେ କି ଶ୍ରୀବଳଭଦ୍ରଙ୍କ ମୃଣ୍ମୟ ବିଗ୍ରହ ପୂଜିତ ହୋଇଥାନ୍ତି । ଗହ୍ମାପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ସେବକମାନେ ଚଉଦୋଳରେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ବିଜେ କରାଇଥାନ୍ତି । ତତ୍ପଶ୍ଚାତ ଅନ୍ୟାନ୍ୟ ନୀତି ବଢିବା ପରେ ବିମାନବଡ଼ୁ ସେବକମାନେ ଶ୍ରୀସୁଦର୍ଶନଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ମାର୍କଣ୍ଡେୟ ପୁଷ୍କରିଣୀ ନିକଟକୁ ନେଇଥାନ୍ତି, ଯେଉଁଠାରେ କି ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଆରମ୍ଭ ହୋଇଥାଏ । ଏଥିରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଶ୍ରୀବଳଭଦ୍ରଙ୍କ ମାଟି ମୂର୍ତ୍ତିଙ୍କ ପାଇଁ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରାଯାଇଥାଏ । ଏହି ନୀତି ସମ୍ପନ୍ନ ହେବାପରେ ଶ୍ରୀସୁଦର୍ଶନ ଶ୍ରୀମନ୍ଦିରକୁ ଫେରିଥାନ୍ତି । ଏହିପରି ଭାବରେ ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀଜୀଉଙ୍କର ମୃଣ୍ମୟ ବା ମାଟି ବିଗ୍ରହ ଅର୍ଚ୍ଚିତ ଓ ବିସର୍ଜିତ ହୋଇଥାନ୍ତି ।

ଶ୍ରୀଜୀଉଙ୍କର ଚିତ୍ର ବିଗ୍ରହ – ରଥଯାତ୍ରା ପୂର୍ବରୁ ସ୍ନାନ ଯାତ୍ରା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନବସରର ରୁହନ୍ତି । ଏହି ସମୟରେ ପଟି ଦିଅଁ ପୂଜାର ପରମ୍ପରା ପ୍ରଚଳିତ । ପଟଚିତ ଧାରାରେ ଠାକୁରମାନଙ୍କ ଚିତ୍ର ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟଚିତ୍ର ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ । ସ୍ନାନ ପୁର୍ଣିମାର ସମସ୍ତ ନୀତି ସମ୍ପାଦିତ ହେବା ପରେ ମଧ୍ୟରାତ୍ରିରେ ଏହି ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ ହୁଅନ୍ତି । ଏହି ପଟିଦିଅଁମାନଙ୍କୁ ସ୍ୱତନ୍ତ୍ର ଭାବରେ ଚିତ୍ରକାର ସେବକମାନେ ପ୍ରତିବର୍ଷ ଖୁବ ନିଷ୍ଠାର ସହ ୩ ଗୋଟି ପଟିରେ ଆଙ୍କିଥାନ୍ତି । ସ୍ନାନ ପୁର୍ଣିମା ପରବର୍ତ୍ତୀ ପନ୍ଦର ଦିନ ଅନବସର କାରଣରୁ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ମିଳେ ନାହିଁ ।

ମନ୍ଦିରର ଗର୍ଭଗୃହ ସମ୍ମୁଖ କଳାହାଟ କବାଟ ପୂର୍ବରୁ ଥିବା ଅନବସର ପିଣ୍ଡିରେ ଠାକୁରମାନେ ଅନବସର ନୀତିରେ ରୁହନ୍ତି । ଏହି ଅନବସର ଗୃହକୁ ତାଟିରେ ପ୍ରସ୍ତୁତ କରାଯାଇଥାଏ । ଅନବସର ଗୃହର ବାହାର ପଟ ତାଟିରେ ଏହି ପଟିଦିଅଁମାନେ ବିଜେ କରି ୧୪ ଦିନ ଅନବସର କାଳରେ ପୂଜା ପାଇଥାନ୍ତି । ସ୍ୱତନ୍ତ୍ର ଭାବରେ ଚିତ୍ରକାର ସେବକମାନେ ପ୍ରତିବର୍ଷ ଖୁବ ନିଷ୍ଠାର ସହ ୩ଟି ପଟିରେ ଏହି ପଟିଦିଅଁମାନଙ୍କୁ ଆଙ୍କିଥାନ୍ତି । ଶ୍ରୀଜଗନ୍ନାଥଙ୍କ ପଟିରେ ମହାପ୍ରଭୁ ଚତୁର୍ଭୁଜ ରୂପରେ ଶୋଭା ପାଉଥିବା ବେଳେ ତାଙ୍କର ନାମ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କୁ ମା’ ଭୁବନେଶ୍ୱରୀ ଓ ଶ୍ରୀସୁଦର୍ଶନଙ୍କୁ ପତିତପାବନ ଭାବରେ ଆରାଧନା କରାଯାଇଥାଏ । ଅନବସର ସମୟ ଅତିକ୍ରାନ୍ତ ହେବା ପରେ ଅମାବାସ୍ୟା ଦିନ ରାତ୍ର ସମୟରେ ଏହି ପଟିରେ ଅଧିଷ୍ଠିତ ଦେବତାଙ୍କ ବିସର୍ଜନ ନୀତି ସମ୍ପନ୍ନ କରାଯାଇଥାଏ । ଏହିପରି ଭାବରେ ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀଜୀଉମାନଙ୍କର ଚିତ୍ର ବିଗ୍ରହ ଅର୍ଚ୍ଚିତ ଓ ବିସର୍ଜିତ ହୋଇଥାନ୍ତି ।

ଶ୍ରୀଜୀଉଙ୍କର ଦାରୁ ବିଗ୍ରହ – ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଆଦି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ଶ୍ରୀମାଧବ (ଶ୍ରୀଜଗନ୍ନାଥଙ୍କ କ୍ଷୁଦ୍ର ବିଗ୍ରହ) ମଧ୍ୟ ଦାରୁ ବିଗ୍ରହ ଭାବେ ପୂଜା ପାଇଥାନ୍ତି । ଶ୍ରୀଜୀଉମାନଙ୍କର ଏହି ଦାରୁ ବିଗ୍ରହଙ୍କର ନିର୍ମାଣ ଓ ପୂଜାର୍ଚ୍ଚନା ବିଧି କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଚାଲିଆସୁଅଛି । ତେବେ ଏହି ଦାରୁ ବିଗ୍ରହମାନେ ପ୍ରତ୍ୟେକ ନବକଳେବର ସମୟରେ (ଯେଉଁବର୍ଷ ଯୋଡ଼ା ଆଷାଢ଼ ମାସ ପଡେ, ସାଧାରଣତଃ ପ୍ରତି ୮ରୁ ୧୯ ବର୍ଷର ବ୍ୟବଧାନରେ) ପୁନଃ ନିର୍ମିତ ହୁଅନ୍ତି । ଏହି ସମୟରେ ପୁରାତନ ଦାରୁ ବିଗ୍ରହମାନଙ୍କୁ କୋଇଲି ବୈକୁଣ୍ଠରେ ପାତାଳି କରାଯାଇଥାଏ ଓ ସେମାନଙ୍କ ମଧ୍ୟରେ ସ୍ଥାପିତ ବ୍ରହ୍ମ ପଦାର୍ଥଙ୍କୁ ସ୍ଥାନାନ୍ତରିତ କରାଯାଇ ନବନିର୍ମିତ ଦାରୁ ବିଗ୍ରହ ଗୁଡିକରେ ସ୍ଥାପିତ କରାଯାଇଥାଏ । ଏହିପରି ଭାବରେ ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀଜୀଉମାନଙ୍କର ଦାରୁ ବିଗ୍ରହ ଅର୍ଚ୍ଚିତ ଓ ପରିବର୍ତ୍ତିତ ହୋଇଥାନ୍ତି ।

”ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ, ରତ୍ନସିଂହାସନ ସ୍ଥମ୍
ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରଂ, ସଂଯୁକ୍ତଂ ଚାଗ୍ରଜେନ
ଭଦ୍ରାୟାଃ ବାମ ଭାଗେ ରଥଚରଣ ଯୁତଂ, ବ୍ରହ୍ମାରୁଦ୍ରେନ୍ଦ୍ର ବନ୍ଦ୍ୟମ୍
ଦେବାନାଂ ସାରମେଶଂ ସ୍ୱଜନ ପରିବୃତଂ, ବ୍ରହ୍ମଦାରୁ ନମାମି ।”

ଅର୍ଥାତ୍ :- ନୀଳାଚଳରେ ଶଙ୍ଖ ମଧ୍ୟସ୍ଥ ପଦ୍ମ ଫୁଲରେ ଅଛି ରତ୍ନସିଂହାସନ । ତା ମଧ୍ୟରେ ଆପାଦମସ୍ତକ ଅଳଙ୍କାର ଶୋଭିତ ହୋଇ, ଦେବୀ ସୁଭଦ୍ରାଙ୍କ ବାମ ପାର୍ଶ୍ୱରେ ନିଜ ଲୋକଙ୍କ ମେଳରେ ଉପବେସିତ ବ୍ରହ୍ମଦାରୁ ତଥା ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଣାମ । ନୀଳାଚଳ ନିବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ, ଭକ୍ତର ମନ ଦିବ୍ୟସତ୍ତାରେ ବିଲୀନ ହୋଇଯାଏ, ଜନ୍ମମୃତ୍ୟୁର ଅର୍ଗଳିରୁ ସେ ମୁକ୍ତ ପାଏ । ତାଙ୍କର ଦାରୁ ନିର୍ମିତ ଶ୍ରୀବିଗ୍ରହରେ ସଂସ୍ଥାପିତ ରହସ୍ୟମୟୀ ବ୍ରହ୍ମ । ନା କେହି ଜାଣିଛନ୍ତି, ନା କେହି ସ୍ପର୍ଶ କରିଛନ୍ତି । ଏହି ଦାରୁବ୍ରହ୍ମଙ୍କ ଲୀଳାର ପଟ୍ଟାନ୍ତର ନାହିଁ । ତାଙ୍କର ଦାରୁ ପୁରୁଷୋତ୍ତମ, ତତ୍ତ୍ୱ ପୁରୁଷୋତ୍ତମ ଏବଂ ଲୀଳାକ୍ଷେତ୍ର ମଧ୍ୟ ପୁରୁଷୋତ୍ତମ ଅଟେ ।

ଶ୍ରୀଜୀଉଙ୍କର ଧାତୁ ବିଗ୍ରହ – ଶ୍ରୀମନ୍ଦିରର ବିଭିନ୍ନ ନୀତି ଓ ପୂଜାପାର୍ବଣରେ ଶ୍ରୀଜୀଉମାନଙ୍କର ପ୍ରତିନିଧି ରୂପେ ବିବିଧ ଧାତୁ ନିର୍ମିତ ଚଳନ୍ତି ବା ଉତ୍ସବ ପ୍ରତିମା (ବିଗ୍ରହ) ଅଂଶଗ୍ରହଣ କରିଥାନ୍ତି ଯେପରିକି ଶ୍ରୀମଦନମୋହନ,ଶ୍ରୀଦୋଳଗୋବିନ୍ଦ, ଶ୍ରୀନୃସିଂହ, ଶ୍ରୀନାରାୟଣ, ଶ୍ରୀରାମ-କୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଇତ୍ୟାଦି । ଏମାନେ ସ୍ୱର୍ଣ୍ଣ, ରୌପ୍ୟ, ଅଷ୍ଟଧାତୁ, ପିତ୍ତଳ ଆଦିରେ ନିର୍ମିତ ଓ ଏମାନଙ୍କର ନିର୍ମାଣ ସମୟ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ପରବର୍ତ୍ତୀ ସମୟ । ଏହି ବିଗ୍ରହମାନଙ୍କ ମଧ୍ୟରୁ ଯଦିଓ ଅଧିକାଂଶ ବିଗ୍ରହ ଅନେକ ଦିନର ପୂଜାର୍ଚ୍ଚନା ସତ୍ତ୍ୱେ ନିଜର ମୂଳ ସ୍ୱରୂପରେ ଅକ୍ଷୁର୍ଣ୍ଣ ତେବେ ଶ୍ରୀଦେବୀଙ୍କ ବିଗ୍ରହ ଅବକ୍ଷୟୋନ୍ମୁଖୀ ଯେଉଁଥିପାଇଁ କି ନୂତନ ଶ୍ରୀଦେବୀଙ୍କ ବିଗ୍ରହ ନିର୍ମାଣର ଆବଶ୍ୟକତା ଦେଖାଦେଇଛି ଯାହାକି ଭବିଷ୍ୟତରେ କୌଣସି ଏକ ସମୟରେ ହୋଇପାରେ ।

ପୁରାତନ ଧାତବ ବିଗ୍ରହ ଅବକ୍ଷୟୋନ୍ମୁଖୀ ହେଲେ କିମ୍ବା କୌଣସି କାରଣରୁ ତାଙ୍କର ଅଭାବ ବା ଅନୁପସ୍ଥିତି ଦେଖାଦେଲେ ତାଙ୍କ ସ୍ଥାନରେ ନୂତନ ବିଗ୍ରହ ନିର୍ମିତ ହୋଇ ଅର୍ଚ୍ଚିତ ହେବାର ବିଧି ରହିଛି । ଏହିପରି ଭାବରେ ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀଜୀଉମାନଙ୍କର ଧାତୁ ବିଗ୍ରହମାନେ ଅର୍ଚ୍ଚିତ ଓ ପରିବର୍ତ୍ତିତ ହୋଇଥାନ୍ତି । ଅନବସର ସମୟରେ ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ଚଳନ୍ତି ପ୍ରତିମା ମଦନ ମୋହନ, ଦୋଳଗୋବିନ୍ଦ, ଶ୍ରୀ ନୃସିଂହ, ଶ୍ରୀ ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ସପ୍ତ ବିଗ୍ରହ ମଧ୍ୟ ପୂଜା ପାଇଥାନ୍ତି ।

ଶ୍ରୀଜୀଉଙ୍କର ମଣି ବିଗ୍ରହ – ସାଧାରଣତଃ ପ୍ରସ୍ତର ବିଗ୍ରହଙ୍କୁ ମଣି ବିଗ୍ରହ କୁହାଯାଏ । ଶ୍ରୀମନ୍ଦିରରେ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ସମେତ ତିନି ମୁଖ୍ୟ ପାର୍ଶ୍ଵଦେବତା ବା ନିଶା ବିଗ୍ରହଙ୍କ (ଶ୍ରୀବରାହ, ଶ୍ରୀନୃସିଂହ ଓ ଶ୍ରୀବାମନ) ପ୍ରସ୍ତର ବା ମଣି ବିଗ୍ରହ ଦେଖିବାକୁ ମିଳିଥାଏ ଓ ଏହି ସବୁ ମଣି ବିଗ୍ରହଙ୍କ ସମୟ ମଧ୍ୟ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ପରବର୍ତ୍ତୀ ସମୟ । ମଣି ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି ମୂଲ୍ୟବାନ ରତ୍ନ ପଥର । ମୂଲ୍ୟବାନ ରତ୍ନ ପଥରରେ ମଧ୍ୟ ବିଗ୍ରହ ନିର୍ମିତ ହୁଏ ଯାହାକି ଅତ୍ୟନ୍ତ ବିରଳ ଓ ଯଦିବା ଏହା ଦୃଷ୍ଟିଗୋଚର ହୁଏ ତାହା ବ୍ୟୟବହୁଳ ହୋଇଥିବାରୁ ଅତ୍ୟନ୍ତ କ୍ଷୁଦ୍ରାକୃତିର ହୋଇଥାନ୍ତି । ତେବେ ବୃହତ ଆକାରର ଓ ସବୁଠାରୁ ମୂଲ୍ୟବାନ ଅଥବା ଦୁର୍ମୂଲ୍ୟ ରତ୍ନ ପଥର ନିର୍ମିତ ବିଗ୍ରହଙ୍କର ବର୍ଣ୍ଣନା ସ୍କନ୍ଦ ପୁରାଣରେ ଦେଖିବାକୁ ମିଳିଥାଏ ଯେଉଁଥିରେ କି ପ୍ରଭୁ ଶ୍ରୀନୀଳମାଧବଙ୍କର ବିଗ୍ରହଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।

କିମ୍ବଦନ୍ତୀ କୁହେ ଯେ, ଯେତେବେଳେ ଅବନ୍ତୀ ପ୍ରଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରକୁ ଆସିଥିଲେ ଶ୍ରୀଜଗନ୍ନାଥଙ୍କ ଆଦିରୂପ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ସେତେବେଳେ ସେହି ବିଗ୍ରହ ସ୍ୱଇଚ୍ଛାରେ ଅନ୍ତର୍ହିତ ହୋଇଥିଲେ । ଏବଂ ଏହି ନୀଳମାଧବଙ୍କ ବିଗ୍ରହ ଦେଖିବାକୁ ଅତ୍ୟନ୍ତ କମନୀୟ ଥିଲେ ଯିଏକି ଇନ୍ଦ୍ରନୀଳ ମଣିରେ ନିର୍ମିତ ହୋଇଥିଲେ । ପ୍ରଭୁ ଶ୍ରୀନୀଳମାଧବ ଯମରାଜଙ୍କୁ ଦେଇଥିବା ନିଜର ବଚନ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ବା ପୁରୀର ସୁବର୍ଣ୍ଣ ବାଲୁକା ରାଶି ମଧ୍ୟରେ ଅନ୍ତର୍ହିତ ହୋଇଥିଲେ ଏବଂ ତାଙ୍କର ଏହି ବିଗ୍ରହ ଯଦିଓ ବର୍ତ୍ତମାନ ଅଦୃଶ୍ୟ, ଏହାଙ୍କର ଚିର ନିବାସ କ୍ଷେତ୍ର ହେଉଛି ପୁରୁଷୋତ୍ତମ କ୍ଷେତ୍ର ବା ପୁରୀ ଯାହାକୁ ସେ ପ୍ରଳୟ କାଳରେ ମଧ୍ୟ ତ୍ୟାଗ କରି ନଥାନ୍ତି । ତେଣୁ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜୀଉଙ୍କର ଏହି ଅଦ୍ଭୂତ ମଣି ବିଗ୍ରହଙ୍କ ଉପସ୍ଥିତି ଗୁପ୍ତ ହେଲେ ମଧ୍ୟ ସଦାସର୍ବଦା ରହିଛି ଓ ରହିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏହିପରି ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତିରେ ପାଞ୍ଚ ପ୍ରକାର ଅର୍ଚ୍ଚା ବିଗ୍ରହଙ୍କ ଭୂମିକା ଦେଖିବାକୁ ମିଳିଥାଏ ଯାହାକି ସମଗ୍ର ବିଶ୍ୱରେ ଅନନ୍ୟ ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତ ଅବତାରମାନଙ୍କ ସ୍ରଷ୍ଟା, ପାଳନକର୍ତ୍ତା ଓ ବିଲୟକର୍ତ୍ତା ମଧ୍ୟ । ସେ ଅବ୍ୟକ୍ତ, ଅଣାକାର ମାତ୍ର ମାନୁଷୀ ମାୟାରେ ପରିବ୍ୟାପ୍ତ । ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ଠାରୁ ସକଳ ସଗୁଣ ବାଦର ସୃଷ୍ଟି । ଅଖିଳ ବିଶ୍ୱକୁ ଧାରଣ କରି ଶାରିରୀକ ସମ୍ପର୍କରୁ ଉର୍ଦ୍ଧରେ ରହିବା ବେଳେ ସେ ନିର୍ଗୁଣ ମାତ୍ର ସକଳ ଜଗତରେ ପରିବ୍ୟାପ୍ତ ରହି ବିଶ୍ୱାନୁଗତ ରୂପ ଧାରଣ କଲାବେଳେ ସେ ସଗୁଣ । ବେଦବର୍ଣ୍ଣିତ ପରମ ରହସ୍ୟ ହେଉଛି ପୁରୁଷୋତ୍ତମ ତତ୍ତୱ । ଅର୍ଥାତ୍ ସେ ଷଡ଼ ଐଶ୍ୱର‌୍ୟ୍ୟର ଅଧିକାରୀ, ବିଭୂତି ସମ୍ପନ୍ନ ଓ ପୁରୁଷୋତ୍ତମ ।

ପ୍ରତିମାବାଦରେ ବେଦବର୍ଣ୍ଣିତ ପରଂବ୍ରହ୍ମ ପୁରୁଷୋତ୍ତମ ଆଜି ଶ୍ରୀକ୍ଷେତ୍ରରେ ଲୀଲାମଗ୍ନ । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ, ବେଦୋକ୍ତ ପୁରୁଷୋତ୍ତମ ହିଁ ଦାରୁବ୍ରହ୍ମ । ଦାରୁବ୍ରହ୍ମ ଗଠନ ପରେ ପୁରୁଷସୁକ୍ତ ମନ୍ତ୍ରରେ ପ୍ରାଣ ପ୍ରତିଷ୍ଠା କରାଯାଇଥାଏ । ବ୍ରହ୍ମପୁରାଣ ଅନୁସାରେ ଦାରୁବ୍ରହ୍ମ ହିଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଭାବେ ମହିମାବନ୍ତ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।