Latest Odisha News

BREAKING NEWS

ଓଡ଼ିଶା ଶିଳ୍ପୀ ମହାସଙ୍ଘର କାରିଗର ସମାବେଶ

ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମିଳୁ ମାସିକ ଆର୍ଥିକ ସହାୟତା

ଚଣ୍ଡିଖୋଲ : ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସ୍ଥାନୀୟ ଓଳାଶୁଣୀ ପୀଠ ଗଣେଷ ମଣ୍ଡପ ପରିସରରେ ଆୟୋଜିତ କଟକ ଜିଲ୍ଲା କାରିଗର ସମାବେଶରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ରାଜ୍ୟ ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ, ବୋଲି ଓଡିଶା ଶିଳ୍ପୀ ମହାସଂଘ ଦାବୀ କରିଛି ।

ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥି, କେନ୍ଦ୍ର ବୟନଶିଳ୍ପ ମନ୍ତ୍ରାଳୟ ଅଧିନସ୍ଥ ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସେବା କେନ୍ଦ୍ରର ସହ ନିର୍ଦ୍ଦେଶକ ଏକେ ହୋତା, ଡିଜାଇନର ଜ୍ଞାନେଶ ମିଶ୍ର, ସଂଗଠକ ପ୍ରକାଶ ନାୟକ, କଟକ ହସ୍ତଶିଳ୍ପ ବିକାଶ ଅଧିକାରୀ ତାପସ ମହାପାତ୍ର, ବିଆର ପିଏଲ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପି ଆର ପ୍ରସାଦ ଏବଂ ବୁଣାକାର ନେତା ଅର୍ଜୁନ ପାଲ ଓ ଲକ୍ଷ୍ମୀଧର ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ ।

୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ୧୨୦୦ ଟଙ୍କା ଆର୍ଥିକ ସହାୟତା ସହ ୨ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା, ଭୂମିହୀନ କାରିଗରଙ୍କୁ ଘରଢିହ, ପିଲାଙ୍କୁ ଛାତ୍ରବୃତି ଓ ବିନା ସୁଧରେ ଋଣ , ଜୀବନ ବୀମା, ଭୁବନେଶ୍ୱରରେ ସାମୟିକ ରହଣୀ ପାଇଁ କାରିଗର ହଷ୍ଟେଲ ,କାରିଗର କଲ୍ୟାଣ ପାଣ୍ଠି,ରାସ୍ତା କଡରେ ଥିବା ଶିଳ୍ପୀ ଓ ବୟନ ଗ୍ରାମ ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା ଓ ଜାତୀୟ ରାଜପଥ କଡରେ କାରିଗର ହାଟ ଓ ନୂତନ ଶିଳ୍ପୀ ଗ୍ରାମ ଘୋଷଣା ଆଦି ପାଇଁ ଆଜିର ସମାବେଶରେ ଦାବୀ ଉତଥାପନ କରାଯାଇଥିଲା । ତତସହିତ ଗୋପାଳପୁର ବୁଣାକାରଙ୍କୁ ଟସର ଯୋଗାଇବାରେ ବିଭାଗୀୟ ଅଧିକାରୀ ବିଫଳ ହୋଇଥିବାରୁ ମହାସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ବୁଣାକାରଙ୍କୁ ରିହାତି ଦରରେ ଟସର , ସୂତା ଓ ରଂଗ ଏବଂ ରାଜ୍ୟର ପଥର କାରିଗରଙ୍କୁ ସ୍ୱଳ୍ପ ମୂଲ୍ୟରେ କାରିଗରୀ ଉପଯୁକ୍ତ ପଥର ଯୋଗାଇଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଓାଲର୍ଡ ସ୍କିଲ ସେଂଟର ପକ୍ଷରୁ ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବାକୁ ବିଶେଷ ତାଲିମ ପ୍ରଦାନ କରାଯିବ ବୋଲି ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟ ରଞ୍ଜନ କର ସୂଚନା ଦେଇଥିଲେ । ଶହେ ଘଂଟା ଅବଧୀର ଏହି ତାଲିମ କାରିଗରଙ୍କ ଗାଁରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ସେ କହିିଥିଲେ । କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ର ବସ୍ତ୍ର ମନ୍ତାଳୟ ପକ୍ଷରୁ ମିଳିଥିବା ପରିଚୟ ପତ୍ର ସ୍ଥାନୀୟ ଶହେ ଛଅ ଜଣ କାରିଗରଙ୍କୁ ପ୍ରଦାନ କରାଯାଇଥିଲା ।

କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ୪ ଶହରୁ ଉର୍ଦ୍ଧ ହସ୍ତଶିଳ୍ପୀ ଓ ବୁଣାକାର ସାମିଲ ହୋଇଥିବା ଏହି ସମାବେଶରେ ମହାସଂଘର ସମ୍ପାଦକ ପ୍ରିୟ ରଞ୍ଜନ କର ମଞ୍ଚ ପରିଚାଳନା କରିଥିବାବେଳେ କଟକ ଜିଲ୍ଲା ଶାଖା ସଭାପତି ଗୋବିନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ଦିପ୍ତିରଂଜନ ରଣା, ମୋହନ ସିଂହ, ହୃଷିକେଶ ମହାରଣା, ଅଶୋକ କୁମାର ଗୁଇଁ, ଶୁଶାନ୍ତ ଦାସ,ଲକ୍ଷ୍ମୀଧର ଚାନ୍ଦ, ଦିପ୍ତୀରାଣୀ ବେହେରା, ସଂମ୍ପା ସିଲ,ପ୍ରଣତି ଦାସ, ଓ ସରୋଜିନୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.