Latest Odisha News

BREAKING NEWS

ନଦୀଜଳର ରଙ୍ଗ ପାଲଟିଲା କଳା, ମରି ଭାସିଲେ ହଜାରହଜାର ମାଛ

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରଦୂଷିତ ହୋଇଛି କାମେଙ୍ଗ ନଦୀର ଜଳ । ଏହି କାରଣରୁ ଜଳର ରଙ୍ଗ କଳା ହେବା ସହ ହଜାରହଜାର ମାଛ ନଦୀରେ ମରି ଭାସୁଛନ୍ତି । ଏହି ଘଟଣାକୁ ନେଇ କେବଳ ଖବର ସାମ୍ନାକୁ ଆସିନି । ବରଂ ନଦୀଜଳର ରଙ୍ଗର କଳା ପାଲିଟିବା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।

ଅରୁଣାଚଳପ୍ରଦେଶ ପୂର୍ବ କାମେଙ୍ଗ ଜିଲ୍ଲାରେ ଥିବା ନଦୀଜଳର ରଙ୍ଗ ହଠାତ୍ କଳା ପାଲଟିବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପରେପରେ ନଦୀରେ ମାଛ ମରି ଭାସିବା ଘଟଣା ଲୋକଙ୍କୁ ଆହୁରି ଅଧିକ ଭୟଭୀତ କରିଥିଲା । ଗତକାଲି ଏହି ଘଟଣା ସାମ୍ନାକୁ ଆସିଥିଲାବେଳେ ଜିଲ୍ଲା ମୁଖ୍ୟାଳୟ ସେପ୍ପାରେ ଏହି ଘଟଣାକୁ ନେଇ ଏକାଧିକ ସୂଚନା ସାମ୍ନାକୁ ଆସିଛି ।

ଜିଲ୍ଲା ମତ୍ସ୍ୟ ପାଳନ ମୁଖ୍ୟ ଅଧିକାରୀ ହାଲି ତାଜୋଙ୍କ ରିପୋର୍ଟ ଅନୁଯାୟୀ ନଦୀଜଳରେ ଅତ୍ୟଧିକ ମାତ୍ରାରେ ଟୋଟାଲ୍ ଡିଜଲଭ୍‌ଡ ସବ୍‌ଷ୍ଟାନ୍ସେସ୍ (ଟିଡିଏସ୍‌) ମିଳିଛି । ଟିଡିଏସ୍‌ର ଅତ୍ୟଧିକ ମାତ୍ରା ଜଳରେ ଅକ୍ସିଜେନର ଅଭାବ ସୃଷ୍ଟି କରିଥାଏ । ଏହି କାରଣରୁ ହଜାରହଜାର ମାଛ ମରି ଭାସୁଛନ୍ତି ।

ସାଧାରଣତଃ ନଦୀଜଳରେ ପ୍ରତି ଲିଟର ପିଛା ୩୦୦ରୁ ୧୨୦୦ ମି.ଗ୍ରା ଟିଡିଏସ୍ ରହିବା କଥା । ହେଲେ ସଦ୍ୟ ନମୁନାରେ ପ୍ରତି ଲିଟର ପିଛା ଜଳରେ ୬.୮୦୦ ମି.ଗ୍ରା ଟିଡିଏସ୍ ଠାବ ହୋଇଛି । ଏଭଳି ଆପାତକାଳୀନ ସ୍ଥିତିରେ ନଦୀଜଳକୁ ପିଇବା ଓ ମାଛ ଧରି ଖାଇବାକୁ ସ୍ଥାନୀୟ ପ୍ରଶାସନ ବାରଣ କରିଛି ।

ଅନ୍ୟପଟେ ସେପ୍ପା ବାସିନ୍ଦାଙ୍କ ଅନୁଯାୟୀ ପଡୋଶୀ ଦେଶ ଚାଇନାରେ ନିର୍ମାଣ କାମ ଜାରି ରହିଛି । ଏହି କାରଣରୁ ଜଳରେ ବିଷାକ୍ତ କେମିକାଲ ମିଶ୍ରଣ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ନଦୀଜଳରେ ମାତ୍ରାଧିକ ଟିଡିଏସ୍ ମିଳିବା ନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରିନି ।

Leave A Reply

Your email address will not be published.